Odia News Portal

ଲୋକଙ୍କଠାରୁ ଦୂରଉଛି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର

ଭୁବନେଶ୍ୱର : ଓଡିଆ ଭାଷାରେ ଲୋକଙ୍କ ନିକଟରେ ଟିଭି କାର୍ଯ୍ୟକ୍ରମର ଅୟାରମ୍ଭ କରିଥିବା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଏବେ ଧିରେ ଧିରେ ଓଡିଆମାନଙ୍କ ନିକଟରୁ ଦୂରେଇବାରେ ଲାଗିଛି । କିଛି ବ୍ୟକ୍ତିଙ୍କ ହସ୍ତମୁଦି ମାହାଲରେ ପରିଣତ ହୋଇଥିବା ଭାରତ ସରକାରଙ୍କ ଏହି ଦୂରଦର୍ଶନ କେନ୍ଦ୍ରଟିର କାର୍ଯ୍ୟକ୍ରମକୁ ଲୋକେ ଦେଖିବାକୁ ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଦୂରଦର୍ଶନ ସହିତ ଭାବଗତ ସମ୍ପର୍କ ରଖିଥିବା ଥିବା ବହୁ ଦର୍ଶକ ଏବେ ଏହାର ନିମ୍ନମାନର କାର୍ଯ୍ୟକ୍ରମକୁ ନେଇ ମନ୍ତବ୍ୟ ଦେଉଛନ୍ତି ।
ବାରମ୍ବାର ପୁରୁଣା କାର୍ଯ୍ୟକ୍ରମ ପ୍ରସାରଣ କରିବା, ସମ୍ବାଦ ପରିବେଷଣ କ୍ଷେତ୍ରରେ ପ୍ରତିଯୋଗିତା କରିନପାରିବା, ବୟସ୍କ ସମ୍ବାଦ ପାଠକ ପାଠିକାମାନଙ୍କ ଦ୍ୱାରା କାମ ଚଳାଇବା, ବର୍ଷ ବର୍ଷ ଧରି ନିର୍ଦ୍ଧିଷ୍ଟ ଲୋକଙ୍କୁ ସମ୍ବାଦ ବିଭାଗରେ କାର୍ଯ୍ୟ କରାଇବା, ବିଭିନ୍ନ କରେଣ୍ଟ ଆଫେୟାର୍ସ କାର୍ଯ୍ୟକ୍ରମ ପାଇଁ ଚିହ୍ନା ମୁହଁଙ୍କୁ ଡାକିବା ଓ ସର୍ବୋପରି ରାଜ୍ୟ ସରକାରଙ୍କ କିଛି କର୍ମଚାରୀଙ୍କୁ ଏଠାରେ ପ୍ରଶୟ ଦେବା ଏବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଇଁ ମହଙ୍ଗା ହେଲାଣି । ଲୋକେ ଦୂରଦର୍ଶନ ଅପେକ୍ଷା ଅନ୍ୟ ଯେକୌଣସି ବେସରକାରୀ ଟିଭି ଚ୍ୟାନେଲ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କର କିଛି କର୍ମଚାରୀ ଏବେ ଏଠାରେ ଏକ ପ୍ରକାର ଆସ୍ଥାନ ଜମାଇଛନ୍ତି । ସମ୍ବାଦ ବିଭାଗ ହେଉ କିମ୍ବା ସାଂସ୍କୃତିକ ଅଥବା କୌଣସି ବିତର୍କ ସବୁଥିରେ ସେମାନେ ଦଖଲ କରୁଛନ୍ତି । କେତେବେଳେ ସମ୍ବାଦ ପଢୁଛନ୍ତି ତ ଆଉ କେତେବେଳେ ଆଙ୍କରିଂ କରୁଛନ୍ତି ।
ପୂଜାପାର୍ବଣ ବେଳେ ଚୁଡିଦାର ପଞ୍ଜାବୀ ପିନ୍ଧି ଭାସ୍ୟକାର ବି ସାଜୁଛନ୍ତି । ଏସବୁ ମୂଳରେ ରହିଛି ଅର୍ଥ ଉପାର୍ଜନ ସହିତ ଅନ୍ୟ ଲୋକଙ୍କୁ ଆଣି ଦୂରଦର୍ଶନରେ ମୁହଁ ଦେଖାଇ କାର୍ଯ୍ୟହାସଲ କରିବା । ଦୂରଦର୍ଶନର ସମ୍ବାଦ ଅତ୍ୟନ୍ତ ନିର୍ଭରଯୋଗ୍ୟ ହୋଇଥିବାବେଳେ ଏହାର ପାଠକ ପାଠିକାଙ୍କୁ ନେଇ ଏବେ ଲୋକେ ବୀତସ୍ପୃହ । ଯେଉଁମାନେ ଯୁବା ବୟସରେ
ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ସମ୍ବାଦ ପଢୁଥିଲେ ପରିଣତ ବୟସରେ ବି ସେହିମାନେ ପଢୁଛନ୍ତି । ଦର୍ଶକମାନେ ବାରମ୍ବାର ଏମାନଙ୍କ ମୁହଁ ଦେଖିବା ଅପେକ୍ଷା ଅନ୍ୟ ଚ୍ୟାନେଲ ଦେଖିବାକୁ ପସନ୍ଦ କରୁଛନ୍ତି । କାହା ସ୍ୱାର୍ଥରେ ନୂଆ ନୂଆ ପାଠକଙ୍କୁ ସୁଯୋଗ ମିଳୁନାହିଁ ତାହାର ଉତ୍ତର କାହା ପାଖରେ ନାହିଁ । ସେହିଭଳି ସମ୍ବାଦ ବିଭାଗ ସହ ଜଡିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ପରିବର୍ତ୍ତନ କରି ଅନ୍ୟମାନଙ୍କୁ ସୁଯୋଗ ଦିଆଯାଉ ନାହିଁ । ଏହାକୁ ନେଇ ଏବେ ଅନେକ ଗଣମାଧ୍ୟମ ପ୍ରତିନିଧି ଅସନ୍ତୁଷ୍ଟ । ବିଧାନସଭା ରିପୋର୍ଟିଂ ହେଉଛି ଏହାର
ଗୋଟିଏ ଉଦାହରଣ ମାତ୍ର । ସେହିଭଳି ଦୂରଦର୍ଶନ କେନ୍ଦ୍ରର ଆଉ ଗୋଟିଏ ଲୋକପ୍ରିୟ କାର୍ଯ୍ୟକ୍ରମ ହେଉଛି ପରିକ୍ରମା ।
କରେଣ୍ଟ ଆଫେୟାର୍ସକୁ ନେଇ ସପ୍ତାହରେ ଦୁଇଦିନ ପ୍ରସାରଣ ହୋଇଥାଏ । ହେଲେ ଏହି କାର୍ଯ୍ୟକ୍ରମ ବି ତାହାର ଲୋକପ୍ରିୟତା ହରାଇବାରେ ଲାଗିଛି । ଏହାର କାରଣ ହେଉଛି ବିଷୟ ଉପରେ ଦକ୍ଷତା ଥିବା ଆଙ୍କର ଓ ବିଶେଷଜ୍ଞମାନଙ୍କୁ ନେବା ପରିବର୍ତ୍ତେ ଅନେକ ସମୟରେ ଚିହ୍ନା ମୁହଁଙ୍କୁ ନେଇ ବସାଇ ଦିଆଯାଉଛି । ଏକାଧିକ ବ୍ୟକ୍ତି ବାରମ୍ବାର ଏହି କାର୍ଯ୍ୟକ୍ରମରେ ବସୁଥିବାରୁ ଲୋକେ ବିରକ୍ତ ହେଉଛନ୍ତି । ସବୁଠାରୁ ବଡ କଥା ହେଲା
କେନ୍ଦ୍ର ସରକାରଙ୍କ ଏହି ପ୍ରସାରଣ ସଂସ୍ଥାରେ ଏବେ ଅନେକ ଅନଭିଜ୍ଞ ରାଜନୈତିକ ଓ ପ୍ରଶାସନିକ ବ୍ୟକ୍ତି ମାମଲତକାର ସାଜିଛନ୍ତି । ରାଜ୍ୟ ସରକାର ଅଧିନରେ ଚାକିରି କରିଥିବା ବହୁ କର୍ମଚାରୀ ଏଠାରେ ଲୁଚିଛପି ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ ଚାପ ପକାଇ ନିର୍ଦ୍ଧିଷ୍ଟ ବ୍ୟକ୍ତିମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ଦୂରଦର୍ଶନ କେନ୍ଦ୍ରରେ ପୂର୍ବରୁ କାର୍ଯ୍ୟରତ କିଛି ଓଡିଆ ଅଧିକାରୀ ଏଭଳି ଜାଲ ବିଛାଇଛନ୍ତି ଯେ ସେଥିରୁ ଏହି କେନ୍ଦ୍ର ମୁକୁଳି ପାରୁନଥିବା କୁହାଯାଉଛି ।
ଏଭଳି ସ୍ଥିତିରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଯେଉଁ ଗୌରବ ଥିବା ତାହା ଫେରାଇ ଆଣିବାପାଇଁ ଯୁବ କଳାକାର, ଆଙ୍କର, ସମ୍ବାଦ ପାଠକମାନଙ୍କୁ ନେଇ ନୂଆ ନୂଆ କାର୍ଯ୍ୟକ୍ରମ ସହିତ ସମ୍ବାଦ ବିଭାଗକୁ ଅଧିକ ମଝବୁତ କରିବାପାଇଁ ମତପ୍ରକାଶ ପାଉଛି । ନହେଲେ ଦିନ ଆସିବ ଦୂରଦର୍ଶନ ପରଦାରେ କେବଳ ମୁହଁ ଦେଖାଉଥିବା ବ୍ୟକ୍ତି ଓ ସେମାନଙ୍କ ପରିବାରମାନେ ହିଁ କାର୍ଯ୍ୟକ୍ରମ ଦେଖିବା ସାର ହେବ ।