ଭୁବନେଶ୍ୱର : ଶୀତକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ଶାସକଦଳକୁ ଘେରିବାପାଇଁ ବିଜେପି ଯେଉଁ ଯୋଜନା କରିଥିଲା
ତାହା ଫେଲ ମାରିଛି । ଯେଉଁ ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ଆୟୁଧ କରି ବିଜେପି ରଣନୀତି ପ୍ରସ୍ତୁତ କରି ଶାସକଦଳକୁ ଘାଇଲା କରିବାକୁ ଯୋଜନା କରିଥିଲା ତାହା ତାହା ଏକ ପ୍ରକାର ଫୁସୁରି ଯାଇଛି । ସରକାରୀଦଳର ସଫଳ ଫ୍ଲୋର ମ୍ୟାନେଜମେଣ୍ଟ ଓ କଂଗ୍ରେସର ଯୋଜନାବଦ୍ଧ ରଣୀନୀତି ଆଗରେ ବିଜେପି ଏକ ପ୍ରକାର ପରାସ୍ତ ହୋଇଥିବା ଲକ୍ଷ୍ୟ କରାଯାଇଛି । ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାକୁ ବିଜେପି ଜୋରଦାର ଭାବେ ଉଠାଇ ଶାସକଦଳକୁ ଘେରିବ ବୋଲି ଯୋଜନା କରିଥିଲା ।
ସେହି ଅନୁଯାୟୀ ଦଳ ପକ୍ଷରୁ ପ୍ରଥମ ଦିନରୁ ହିଁ ଗୃହରେ ହଟଗୋଳ ସହିତ ମୁଲତବି ନୋଟିସ୍ ଦିଆଯାଇଥିଲା । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ହଟଗୋଳରେ ସାମିଲ ଥିଲା । ତେବେ ହଠାତ୍ ବିଜେପି ତାହାର ମୁଲତବି ନୋଟିସ୍କୁ ପ୍ରତ୍ୟାହାର କରିନେବା ସହିତ ମୋସନ ଆଲୋଚନା ପାଇଁ ନୋଟିସ୍ ଦେଇଥିଲା । କିନ୍ତୁ ଏହି ନୋଟିସ୍ଟି ଠିକଣା ଭାବେ ଦିଆଯାଇନଥିବାରୁ ତାହା ଗ୍ରହଣ ହୋଇନଥିବା ବାଚସ୍ପତି ଗୃହରେ ଘୋଷଣା କରିଥିଲେ । ଏହାପରେ ସମାନ ଘଟଣାରେ ମୁଲତବି ନୋଟିସ୍ ଦେଇଥିଲା କଂଗ୍ରେସ । ଯେହେତୁ ବିଜେପି ମୁଲତବି ନୋଟିସ୍ ପ୍ରତ୍ୟହାର କରିଥିଲା ଓ ମୋସନ ନୋଟିସ୍ ଠିକଣା ଭାବେ ଦେଇନଥିଲା ତେଣୁ ବାଚସ୍ପତି କଂଗ୍ରେସର ମୁଲତବି ନୋଟିସ୍କୁ ଗ୍ରହଣ କରିଥିଲେ । ତେବେ ମୋସନ ଆଲୋଚନା ପାଇଁ ଅନୁମତି ନମିଳିବା ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହ…ଗୋଳ କରିଥିଲେ । ପାଟିତୁଣ୍ଡ ମଧ୍ୟରେ ମୁଲତବି ଆଲୋଚନା ହୋଇଥିଲା ।
ଏହାର ଫାଇଦା କଂଗ୍ରସ ଉଠାଇଥିଲା । ତେବେ ମୁଲତବି ଆଲୋଚନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଜେପି ସଦସ୍ୟମାନେ ଯେତେ ପାଟିତୁଣ୍ଡ କଲେ ବି ତାହାର ପ୍ରଭାବ ଆଲୋଚନା ଉପରେ ପଡିନଥିଲା । ମୁଲତବି ପ୍ରସ୍ତାବଟି ଆଲୋଚନା ହେବା ସହିତ ଗୃହ ରାଷ୍ଟ୍ରମବୀଙ୍କ ଉତ୍ତର ପରେ ତାହା ନାକଚ ହୋଇଯାଇଛି । ବିଧି ଅନୁଯାୟୀ ଥରେ ଆଲୋଚନା ହୋଇଥିବାରୁ ଚଳିତ ଅଧିବେଶନ କାଳରେ ଗୃହରେ ଆଉ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ହୋଇପାରିବ ନାହିଁ । ମୁଖ୍ୟ ପ୍ରସଙ୍ଗଟି ହାତଛଡା ହେବାପରେ ବିଜେପି ସଦସ୍ୟମାନେ ଗୋଟିଏ ଦିନ ମୁହଁରେ କଳାପଟି ବାନ୍ଧି ପ୍ରଶ୍ନକାଳରେ ପ୍ରଦର୍ଶନ କରିବା ସହିତ ଆଉ ଗୋଟିଏ ଦିନ ପ୍ରଶ୍ନକାଳରେ ଯାଇ ଗାନ୍ଧୀମୂର୍ତ୍ତି ତଳେ ବସିଥିଲେ । ତେବେ ଏହି ରଣନୀତି ମଧ୍ୟ ସଫଳ ହୋଇନଥିଲା । କାରଣ ବିଜେପି ସଦସ୍ୟଙ୍କ ଅନୁପସ୍ଥିତି ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଥିଲା । କଂଗ୍ରେସ ସଦସ୍ୟମାନେ ମୁଖ୍ୟ ବିରୋଧିଦଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସେହିଭଳି ଏହି ସପ୍ତାହରେ ବିଜେପିକୁ ବେଶି ଘାଇଲା କରିଥିଲା ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଗାନ୍ଧୀଙ୍କ ସଂକ୍ରାନ୍ତରେ ପ୍ରଚାରପତ୍ରକୁ ନେଇ । ଏଥିରେ ଗାନ୍ଧୀଙ୍କ ମୃତ୍ୟୁକୁ ଆକସ୍ମିକ ବୋଲି ଦର୍ଶାଯାଇଥିବାରୁ କଂଗ୍ରେସ ଏହାକୁ ଅସ୍ତ୍ର କରି ବିଜେଡି ଓ ବିଜେପିକୁ ନିଶାଣ କରିଥିଲା ।
ତେବେ ବିଜେଡି ସଦସ୍ୟମାନେ ମଧ୍ୟ ଏଭଳି ଲେଖାକୁ ନିନ୍ଦା କରିବାରୁ କଂଗ୍ରେସ ଅଧିକ ଭାବେ ବିଜେପିକୁ ଟାର୍ଗେଟ କରିଥିଲା । ବିଜେପି ସଦସ୍ୟମାନେ ଏହି ପ୍ରସଙ୍ଗରେ ସେଭଳି କିଛି କହିପାରିନଥିଲେ । ଗୋଟିଏ ପଟେ ସ୍ମିତାରାଣୀ ପ୍ରସଙ୍ଗ ହାତଛଡା ହେବା ଓ ଅନ୍ୟପଟେ ଗାନ୍ଧୀହତ୍ୟା ପ୍ରସଙ୍ଗରେ କଂଗ୍ରେସର ଘନ ଘନ ଆକ୍ରମଣ ଅଧିବେଶନର ପ୍ରଥମ ସପ୍ତାହରେ ବିଜେପିର ସମସ୍ତ ରଣନୀତିକୁ ଏକ ପ୍ରକାର ବିଫଳ କରିଦେଇଥିବା ଦେଖିବାକୁ ମିଳିଥିଲା ।
