Odia News Portal

ଖାଇ ଖାଇ ଖୋଳ କରିଦେଲେ 

ଭୁବନେଶ୍ୱର : କିଏ ଖଣି ଖାଇଲାଣି ତ କିଏ ଜମି ଲୁଟିଲାଣି । କିଏ ନିଶା ବେପାର କଲାଣି ତ ଆଉ କିଏ ସୁଧ ବେପାର କରି ଆଧିପତ୍ୟ ବିସ୍ତାର କଲାଣି । ଦୋନମ୍ବରି ଧନ୍ଦାରେ ଚୋର-ଦଲାଲଙ୍କ ଠାରୁ ଦୁଇ ପାଦ ଆଗକୁ ଯାଇ ମାଫିଆ ସାଜିଛି କମିଶନରେଟ୍ ପୋଲିସ । ଏକଥା ଆମେ କହୁନୁ ବରଂ ଗତ କିଛି ଦିନର ଘଟଣା ହିଁ ବୟାନ କରୁଛି ଖାକିବର୍ଦ୍ଦିର ଅସଲ ରୂପ । ଘରେ ମୁରବୀ ନ ଥିଲେ ଯେଭଳି ପରିବାର ଶ୍ରୀହୀନ ହୋଇପଡେ ସେହିଭଳି ଅବସ୍ଥା ଏବେ କମିଶନରେଟ୍ ପୋଲିସରେ ଦେଖାଦେଇଛି ।
ଦୈନନ୍ଦିନ ହତ୍ୟା, ରାହାଜାନୀରେ ରକ୍ତରଞ୍ଜିତ ହୋଇପଡିଥିବା ରାଜଧାନୀରେ ଅପରାଧରେ ବ୍ରେକ ଲାଗୁନଥିବା ବେଳେ ନିଜେ ପୋଲିସ ଅପରାଧୀ ସାଜିବା ଘଟଣା ଆହୁରି ରୋଚକ ହୋଇଛି ।
କମିଶନରେଟ୍ ପୋଲିସରେ କାମ କରୁଥିବା ଅର୍ଜୁନ କହଁରଙ୍କୁ ଆଜି ନିଲମ୍ବିିତ କରାଯାଇଛି । କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡରେ କାର୍ଯ୍ୟ କରୁଥିଲେ ଅର୍ଜୁନ । ଏହି ଏଏସ୍ଆଇ ଜଣଙ୍କ ବିରୋଧରେ ବହୁତ ସଂଗୀନ ଅଭିଯୋଗ ରହିଅଛି । ସ୍ପେଶାଲ୍ ସ୍କ୍ୱାଡରେ କାର୍ଯ୍ୟ କରୁଥିବାବେଳେ ନିଜ କ୍ଷମତାର ଅପବ୍ୟବହାର କରି ବେଶ୍ ହାତ ସଫେଇ କରୁଥିଲେ ଏହି ବାବୁ ଜଣଙ୍କ । କେବଳ ଏତିକି ନୁହେଁ, ମୋଟା ଅଙ୍କର ଅର୍ଥ ନେଇ ଏହି କରିତକର୍ମା ଜଣଙ୍କ ଅପରାଧୀଙ୍କୁ ମଧ୍ୟ ଅନୁକମ୍ପା ଦେଖାଉଥିବା ଖବର ବାରମ୍ବାର ପୋଲିସ ମୁଖ୍ୟାଳୟରେ ପହଞ୍ôଚବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।
କିଛି ଦିନ ତଳେ ନୟାପଲ୍ଲୀ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ବେଳେ ଜାନକୀ ବଲ୍ଲଭ ଭାରିମଲ୍ଲ ନାମକ ଜଣେ କନଷ୍ଟେବଳକୁ ଗିରଫ କରାଯଇଥିଲା । ନୟାପଲ୍ଲୀ ଅଞ୍ଚଳରେ ସେ ଦିନକୁ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ବିକ୍ରି କରୁଥିଲା । ପୂର୍ବରୁ ବିଭିନ୍ନ ଅପରାଧରେ ସଂପୃକ୍ତ ଥିବା ଏହି କନଷ୍ଟେବଳ ଜଣଙ୍କ ଦାମୀଗାଡ଼ିରେ ବୁଲି ଅୟସ ମଧ୍ୟ କରୁଥିଲା । ଠିକ୍ ସେହିଭଳି ଖଣି ମାଫିଆଙ୍କ ସହ ଲିଙ୍କ୍ରେ ଆସିବା ପରେ ଏସ୍ଟିଏଫ୍ ସ୍କାନରରେ ଥିବା ଥାନା ଅଧିକାରୀ ବିକ୍ରମ ଜେନାଙ୍କୁ ନିଲମ୍ବିତ କରାଯାଇଛି । ଏପିରକି ଦୀର୍ଘ ଦିନ ଧରି ଫେରାର ହୋଇଯିବାରୁ ଜଗତସିଂହପୁର ସ୍ଥିତ ତାଙ୍କ ବାସଭବନକୁ ସମନ ପଠାଯାଇଛି । କେବଳ ଏହି ୩ ଜଣ ନୁହେଁ, ପ୍ରତ୍ୟେକ ଥାନାରେ ପୋଲିସ ବେଶରେ କିଛି ଦଲାଲ କାର୍ଯ୍ୟ କରୁଛନ୍ତି । ବାପା ନବୀନ ନିବାସରେ ଚାକିରି କରୁଛନ୍ତି କହି ଜନୈକ କନଷ୍ଟେବଳ ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ଲୁଟୁଥିବା ବେଳେ ଆଉ କିଛି ବଡବାବୁ ସୁଧବେପାର, ଝିଅଧନ୍ଦାରେ ଲିପ୍ତ ହେବା ଖବର ବିଶ୍ୱାସ୍ତ ସୂତ୍ରରୁ ମିଳିଅଛି ।
ତଥ୍ୟ ପ୍ରମାଣ ସହ ଏଭଳି କିଛି ବହୁରୂପୀ ଏଣ୍ଡୁଅଙ୍କ ଚେହେରାଙ୍କୁ ଖୁବଶୀଘ୍ର ଲୋକଲୋଚନକୁ ଅଣାଯିବ । ଏଣୁ ଏଭଳି ଏକ ଅବସ୍ଥାରେ ଗତି କରୁଥିବା କମିଶନରେଟ ପୋଲିସକୁ କେବଳ ପ୍ରଭୁ ଜଗନ୍ନାଥ ସାହା ବୋଲି ଖୋଦ୍ କିଛି ଅଫିସର ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ।