Odia News Portal

ବିଷମୟ ହୋଇଛି ରାଜ୍ୟର ୧୯ଟି ନଦୀ

ଭୁବନେଶ୍ବର : ରାଜ୍ୟର ତଟବର୍ତ୍ତୀ ସହରାଞ୍ଚଳର ନର୍ଦ୍ଦମା ଜଳ ଯୋଗୁଁ ୧୯ଟି ନଦୀ ପ୍ରଦୁଷିତ । ସହରାଞ୍ଚଳର କଠିନ ବର୍ଜବସ୍ତୁ ପରିଚାଳନା ନିମନ୍ତେ ଜାରୀ କରାଯାଇଥିବା ନିର୍ଦ୍ଦେଶାବଳୀର ଉଲଂଘନ ଯୋଗୁଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର, ଜୁନାଗଡ, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି । ବିଧାନସଭାରେ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି ।

ପ୍ରଦୂଷିତ ହୋଇଥିବା ନଦୀଗୁଡିକ ହେଲା ଭୁବନେଶ୍ବର ନିକଟବର୍ତ୍ତୀ ଗଙ୍ଗୁଆ, ଭୁବନେଶ୍ବରରୁ ବରଗଡ ମଧ୍ୟରେ ଦୟା ନଦୀ, ରାଉଲକେଲାରୁ ବିରିତୋଲ ମଧ୍ୟରେ ବ୍ରାହ୍ମଣୀ, ରାଉଲକେଲାର ଗୁରାଡିହ ନଳା, ପୁରୀର ମଙ୍ଗଳା ନଦୀ, ଜୟକାୟପୁରରୁ ରାୟଗଡା ମଧ୍ୟରେ ନାଗାବଳୀ, କଟକଠାରୁ ଉରାଳି ମଧ୍ୟରେ କାଠଯୋଡି, ଭୁବନେଶ୍ବରରୁ ପୁରୀ ମଧ୍ୟରେ ରତ୍ନଚିରା, ସମ୍ବଲପୁରରୁ ପାରାଦ୍ବୀପ ମଧ୍ୟରେ ମହାନଦୀ, ପ୍ରତାପପୁରରୁ ଗଂଜାମ ପର୍ଯ୍ୟନ୍ତ ଋଷିକୂଲ୍ୟା, ତାଳଚେରରେ କୁସୁମୀ, ବିଜିପୁରରେ ଲୁଣା, ଜଗନ୍ନାଥପାଟଣା ଓ ରମ୍ଭାରେ ସବୁଳିଆ, ମହୁଲିଆଠାରୁ ବାରିପଦା ମଧ୍ୟରେ ବୁଢାବଳଙ୍ଗ, ସେରୁଆ, ନନ୍ଦିରା ଜୋର, କୁଆଖାଇ, ଭେଡେନ ଆଦି ନଦୀ ବିଭିନ୍ନ ସ୍ଥାନରେ ପ୍ରଦୂଷିତ ହୋଇଛି ।

ପ୍ରଦୂଷିତ ହୋଇଥିବା ଏହିସବୁ ନଦୀର ସୁରକ୍ଷା ପାଇଁ ଭୁବନେଶ୍ବର, କଟକ, ସମ୍ବଲପୁର, ତାଳଚେର ଏବଂ ରାଉଲକେଲା ସହରରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଭୁବନେଶ୍ବର, ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ଓ ରାଉଲକେଲା ଆଦି ୬ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିକଟରେ କାର୍ଯ୍ୟକ୍ଷମ ହୋଇଛି । କଟକ ଓ ବାଲେଶ୍ବରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏତଦବ୍ୟତିତ ଅନ୍ୟ ୨୯ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ରାଜ୍ୟର ସମସ୍ତ ୧୧୪ଟି ସହରରେ ସେପଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ।