ଭୁବନେଶ୍ୱର : ରାଜ୍ୟ ସରକାର ୫-ଟି ଓ ମୋ ସରକାର ଭଳି ଯୋଜନା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ
ଲୋକସେବାଭବନର କର୍ମଚାରୀମାନେ କିନ୍ତୁ ସୁଧୁରୁ ନାହାନ୍ତି । ଅନ୍ୟ କଥା ତ ଛାଡ ସଂଖ୍ୟାଧିକ କର୍ମଚାରୀ ଠିକଣା ସମୟରେ
ଦପ୍ତରକୁ ବି ଆସୁନାହାନ୍ତି । ଏହା ଏବେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇବାରେ ଲାଗିଛି । ଅବସ୍ଥା ଏଭଳି ହୋଇଛି ଯେ ଦିନ ୧୦ଟା
ସମୟରେ ଦଶ ପ୍ରତିଶତ କର୍ମଚାରୀ ବି ନିଜ ନିଜ ଆସନରେ ଉପସ୍ଥିତ ରହୁନାହାନ୍ତି । ଲୋକସେବା ଭବନର କର୍ମଚାରୀଙ୍କ ପାଇଁ ଦପ୍ତର ସମୟ ଥିଲା ସକାଳ ୧୦ଟାରୁ ଅପରାହ୍ନ ୫ଟା । ହେଲେ ସରକାର ଚତୁର୍ଥ ଶନିବାରଟିକୁ ଆବଶ୍ୟକ ସ୍ଥଳେ ବୈଠକ ସହିତ ଛୁଟି ଘୋଷଣା କରିବାପରେ ଦପ୍ତର ସମୟ ସକାଳ ୧୦ଟା ରୁ ଅପରାହ୍ନ ୫ଟା ୩୦ଟି ହୋଇଛି ।
ଏଥି ମଧ୍ୟରେ ୧.୩୦ ରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିଛି । ତେଣୁ କର୍ମଚାରୀମାନେ ସକାଳ ୧୦ଟାରେ ଆସି ଦପ୍ତରରେ ପହଞ୍ଚିବା କଥା । ହେଲେ ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ଓ କେତେଜଣ ହାତଗଣତି କର୍ମଚାରୀଙ୍କୁ ବାଦ୍ଦେଲେ ଦିନ ୧୦ଟାରେ କାହାର ଦେଖାଦର୍ଶନ ମିଳୁନାହିଁ । କିଏ ୧୧ଟାରେ ଆସୁଛି ତ ଆଉକିଏ ଏହାପରେ ବି ଆସ ପହଞ୍ଚୁଛି । ସବୁଠାରୁ ଆ୧⁄୨ର୍ଯ୍ୟର କଥା ହେଉଛି ଲୋକସେବା ଭବନ ଆଖପାଖରେ ସରକାରୀ କ୍ୱାଟର୍ସ ପାଇଥିବା କର୍ମଚାରୀମାନେ ବି ବିଳମ୍ବରେ ଆସୁଛନ୍ତି । ଯେହେତୁ ବଡବାବୁଙ୍କ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଡେରିରେ ଆସୁଛନ୍ତି ତେଣୁ ‘ତୁ ତ ମୂତୂରୀ ମୁଁ ତ ମୂତୂରୀ’ ନ୍ୟାୟରେ କେହିକାହାକୁ ସଠିକ୍ ସମୟରେ ଆସିବାକୁ କହିପାରୁ ନାହାନ୍ତି । ଦିନ ୧୦ଟା ବେଳେ ଯେ କେହି ଲୋକସେବା ଭବନ ଭିତରେ ପଶିଗଲେ ଏହି ଦୃଶ୍ୟ ଦେଖପାରିବ ।
କିଛି ମହିଳା କର୍ମଚାରୀ ତ ଦିନ ୧୨ଟା ସମୟରେ ଆସୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଯେଉଁ କର୍ମଚାରାୀମାନେ ଠିକ୍ ୧୦ଟା ରେ ଆସି ଦପ୍ତରରେ ଯୋଗ ଦେଉଛନ୍ତି ସେମାନେ ହାତବାନ୍ଧି ବସୁଛନ୍ତି । କାରଣ ଅନ୍ୟମାନେ ଆସୁନଥିବାରୁ ଦପ୍ତର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ସବୁଠାରୁ ବଡ କଥା ହେଲା କେଉଁ କର୍ମଚାରୀ କେତେବେଳେ ଲୋକସେବା ଭବନରେ ପ୍ରବେଶ କରୁଛନ୍ତି ତାହାର ହିସାବ କାହା ପାଖରେ ନାହିଁ । କିଏ ଟ୍ରେନ ସମୟରେ ଆସୁଛି ତ ଆଉ କିଏ ବସ୍ ସମୟରେ । କେତେକ କର୍ମଚାରୀ ନିଜ ନିଜ ପିଲାଙ୍କୁ ବିଦ୍ୟାଳୟ କିମ୍ବା ଟିଉସନରେ ଛାଡି ଦପ୍ତରକୁ ଆସୁଛନ୍ତି । ଚାରି ଫାଟକରେ ଯଦି ସିସିଟିଭି ଲଗାଇ ବିଭାଗୀୟ ସଚିବ କିମ୍ବା ଅନ୍ୟ କୌଣସି ବଡ ଅଧିକାରୀମାନେ ତଦାରଖ କରନ୍ତେ ତେବେ ବାସ୍ତବ ସ୍ଥିତି ଦେଖିପାରନ୍ତେ । କିଛିବର୍ଷ ତଳେ କର୍ମଚାରୀମାନଙ୍କ ଲାଗି ଆଣ୍ଟିନାଯୁକ୍ତ ଆଇକାର୍ଡ ପ୍ରସ୍ତୁତ ହୋଇଥିଲା । ଏଥିରେ ଥିବା ଆଣ୍ଟିନା ଓ ଫାଟକରେ କାର୍ଡ ରିଡର ଲଗାଇ କେଉଁ କର୍ମଚାରୀ କେତେବେଳେ ଆସିବେ ତାହା ଜାଣିବାପାଇଁ ଉଦ୍ୟମ ହୋଇଥିଲା । ଆଇଟି ବିଭାଗ ପକ୍ଷରୁ ମଧ୍ୟ ଏଥିପାଇଁ ବ୍ୟାପକ ଅର୍ଥ ଶ୍ରାଦ୍ଧ ହୋଇଥିଲା । ହେଲେ ସେହି ଯୋଜନା ଅଧପନ୍ତରିଆ ହୋଇ ରହିଗଲା ।
ଯାହା ଏବେ କର୍ମଚାରୀମାନଙ୍କୁ ବେଶ୍ ସୁହାଇଛି । ସଂଖ୍ୟାଧିକ କର୍ମଚାରୀ ବିଳମ୍ବରେ ଆସୁଥିବାରୁ ସଚିବାଳୟରେ ୫-ଟି ଠିକଣା ଭାବେ କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ପ୍ରକାଶ ପାଇଲାଣି । କାରଣ ଯଦି କର୍ମଚାରାୀମାନେ ଠିକଣା ସମୟରେ ଦପ୍ତରକୁ ନଆସିବେ ତେବେ ଟାଇମ ଲିମିଟିରେ କିଭଳି କାର୍ଯ୍ୟ ସରିବ ତାହାକୁ ନେଇ ଏବେ ଚିନ୍ତା ବଢୁଥିବା ଲକ୍ଷ୍ୟ କରାଯାଉଛି ।