ଭୁବନେଶ୍ୱର : ରାଜ୍ୟରେ ପିଆଜ ଦର ଅଣାୟତ ହୋଇଥିବାବେଳେ ଦରବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ ଏବେ ଚର୍ଚ୍ଚାରେ । କେତେବେଳେ କହୁଛନ୍ତି ପିଆଜ ଦର ବଢିତ ଆଉ କେତେବେଳେ କହୁଛନ୍ତି ମାସ ପରେ କମିବ । ମନ୍ତ୍ରୀଙ୍କ ଏଭଳି ବିବୃତ୍ତି ବେପାରୀମାନଙ୍କୁ ବେଶ୍ ସୁହାଉଥିବାବେଳେ ସାଧାରଣ ଖାଉଟି କିନ୍ତୁ ଏହାକୁ ‘ଚୋପା ଛଡା ବୟାନ’ ବୋଲି କହିବାକୁ ଲାଗିଲେଣି । ରାଜ୍ୟରେ ପିଆଜ ଦର ହୁ ହୁ ବଢିବା ଆରମ୍ଭ କରିବା ସମୟରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ ଗଣମାଧ୍ୟମ ପ୍ରତିକ୍ରିୟା ଚାହିଁଥିଲେ । ସରକାର କିଭଳି ଦର ନିୟବଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂକ୍ରାନ୍ତରେ ମତ ଲୋଡିବାବେଳେ ମନ୍ତ୍ରୀ କହିଥିଲେ ପିଆଜ ଦର ୧୦ଟଙ୍କା ପର୍ଯ୍ୟନ୍ତ ବଢିବ । ତୁରନ୍ତ ଏହା ଗଣାମଧ୍ୟମରେ ଆସିବାପରେ ପରଦିନ ସକାଳୁ ଯେଉଁ ବେପାରୀମାନେ ଦର ବଢାଇ ଦୁଇ ପଇସା ରୋଜଗାର ଚିନ୍ତାରେ ଥିଲେ ସେମାନେ ତୁରନ୍ତ ରାତିରେ ବଢାଇଦେଲେ ।
ରାଜ୍ୟର ଜଣେ ମନ୍ତ୍ରୀ ଏଭଳି ବୟାନ ସାଧାରଣ ଖାଉଟିଙ୍କୁ ତାଜୁବ କରିଥିବାବେଳେ ବ୍ୟବସାୟୀମାନେ କିନ୍ତୁ ଭିତରେ ଭିତରେ କୁରୁଳିଲେ । ଏବେ ବଜାରରେ ପିଆଜ ଦର ୧୦୦ ଟଙ୍କା । ପଇସାବାଲାଙ୍କ ଆଖିରୁ ବି ପିଆଜ ପାଣି ବାହାର କରି ଦେଉଛି । ଗଣାମଧ୍ୟମର ବଡ ଖବର ହେଉଛି ପିଆଜ । ହେଲେ ଆଜି ପିଆଜ ଦର ନେଇ ମନ୍ତ୍ରୀଙ୍କ ମତାମତ ଲୋଡାଯିବାରୁ ଆଜି ସେ
କହିଛନ୍ତି ଯେ ଚଳିତମାସରେ ପିଆଜ ଦର କମିବାର ନାହିଁ । ନୂଆବର୍ଷରେ ପିଆଜ ଦର ହ୍ରାସର ସମ୍ଭାବନା ରହିଛି । ଏଭଳି ବକ୍ତବ୍ୟ ଏବେ ସାଧାରଣ ଖାଉଟିଙ୍କୁ ହତାଶ କରିଛି । ଏହାଦ୍ୱାରା ବ୍ୟବସାୟୀମାନେ ମାସକ ପର୍ଯ୍ୟନ୍ତ ଲାଇସେନ୍ସ ପାଇଗଲେ ବୋଲି ସେମାନେ କହୁଛନ୍ତି । ତେଣେ କେନ୍ଦ୍ର ସରକାର ଇଜିପ୍ଟରୁ ପିଆଜ ଆସୁଛି କହି ବେପାରୀଙ୍କୁ ନିୟବଣ କରିବାକୁ ଚାହୁଁଥିବାବେଳେ
ରାଜ୍ୟମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ଏବେ ଖାଉଟିଙ୍କ ଚିନ୍ତା ବଢାଇବାରେ ଲାଗିଛି ।
ଅନ୍ୟ ପକ୍ଷରେ ଯୋଗାଣ ବିଭାଗ ମୈତ୍ରୀ ଦୋକାନ ଜରିଆରେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଣ କରିବ ବୋଲି ଘୋଷଣା କରିବା ସହିତ କେତେକ ସ୍ଥାନରେ ଶସ୍ତା ପିଆଜ ବିକ୍ରି ବି କରିଥିଲା । ଏ ସଂକ୍ରାନ୍ତୀୟ ଖବର ପ୍ରତିଦିନ ଗଣମାଧ୍ୟମକୁ ଦିଆଯାଉଥିଲା । ହେଲେ କିଛିଦିନ ହେଲା ସରକାର କେତେ ଦରରେ କେଉଁଠି ପିଆଜ ବିକ୍ରି କରୁଛନ୍ତି ତାହାର ସୂଚନା ଆଉ ଦେଉନାହାନ୍ତି । ଏହାକୁ ନେଇ ଖାଉଟିମାନେ ସଂଶୟରେ ପଡିଥିବାବେଳେ ବ୍ୟବସାୟୀଙ୍କ ଉପରେ ଚଢଉ କରିବା
କିମ୍ବା ବଜାର ତାତିକୁ ସମ୍ଭାଳିବା ପରିବର୍ତ୍ତେ ଦର ବୃଦ୍ଧି ନେଇ ମନ୍ତ୍ରୀ ନିଜ ତୁଣ୍ଡରେ କହିବା ଏବେ ଅନେକଙ୍କୁ ଆଚର୍ଯ କରିଛି ।
କିଛି ଖାଉଟିଙ୍କ କହିବାକଥା ଯେ ପୂର୍ବରୁ ପିଆଜ, ଆଳୁ ଭଳି ସାମଗ୍ରୀର ଦର ବୃଦ୍ଧି ଘଟିଲେ ସରକାର ବ୍ୟବସାୟୀ ପ୍ରତିଷ୍ଠାନ
ଉପରେ ଘନ ଘନ ଚଢଉ କରୁଥିବାବେଳେ ଏବେ କିନ୍ତୁ ଓଲଟା ସ୍ଥିତି ଦେଖବାକୁ ମିଳୁଛି । ରାତାରାତି ଦରବୃଦ୍ଧିକୁ ନିୟବଣ ପାଇଁ
ଠୋସ୍ ପଦକ୍ଷେପ ନେବା ବଦଳରେ ମନ୍ତ୍ରୀ ଯେଭଳି ଚୋପା ଛଡା ବୟାନ ଦେଉଛନ୍ତି ତାହା ଦ୍ୱାରା କେବଳ ପିଆଜ ବେପାରୀମାନେ
ହିଁ ଲାଭରେ ରହୁଛନ୍ତି ।
