ଭୁବନେଶ୍ୱର : ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏବେ କେଉଁଠି ? ଦଳୀୟ କାର୍ଯ୍ୟକ୍ରମ କିମ୍ବା ଗଣମାଧ୍ୟମରେ ପ୍ରଶାନ୍ତ ଦୃଶ୍ୟମାନ
ହେଉନଥିବାରୁ ତାଙ୍କର କାର୍ଯ୍ୟକଳାପ ନେଇ ଏବେ ବିଜେଡି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଏପରିକି ଶ୍ରୀ
ନନ୍ଦଙ୍କ ବିଷୟରେ ଜାଣିବାପାଇଁ ରାଜନୈତିକ ମହଲରେ ବି ଉତ୍ସୁକତା ପ୍ରକାଶ ପାଇଛି । ୨୦୧୮ ଏପ୍ରିଲ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଶ୍ରୀ ନନ୍ଦ ବିଜେଡି ଟିକଟରେ ରାଜ୍ୟସଭାକୁ ଯାଇଥିଲେ । ଏହାପରେ ସେ ଦଳର ମୁଖପାତ୍ର ହିସାବରେ ବେଶ୍ ସକ୍ରିୟ ରହିବା ସହିତ ବିଜେପିକୁ ଟକ୍କର ଦେଇଥିଲେ । ଏହାପରେ ଆସିଥିଲା ସାଧାରଣ ନିର୍ବାଚନ । ସେତେବେଳେ ପୁଅ ଋଷଭଙ୍କୁ ଶ୍ରୀ ନନ୍ଦ ବେଗୁନିଆ ବିଧାନସଭା ଆସନରୁ ବିଜେଡି ଟିକଟ ଦିଆଇବାରେ ସଫଳ ହୋଇଥିଲେ ।
ହେଲେ ଋଷଭ ମାତ୍ର ୨୬ହଜାର ଭୋଟ ପାଇଁ ୩ ନମ୍ବର ସ୍ଥାନରେ ରହିଥିଲେ । ପୁଅକୁ ରାଜନୀତି ମଇଦାନରେ ଉତାରିବା ପରେ ଶ୍ରୀ ନନ୍ଦଙ୍କ କାର୍ଯ୍ୟକଳାପ ଉପରେ ବିଜେଡି ନଜର ରଖିବା ସହିତ ଖପ୍ପା ହୋଇଥିଲା ଶ୍ରୀ ନନ୍ଦ ପୂର୍ବରୁ ବେଗୁନିଆ ବିଧାୟକ ଥିବାବେଳେ ପୁଅ ବିଜେପି ପ୍ରାର୍ଥୀ ହେବାକୁ ବିଜେଡି ସହଜରେ ଗ୍ରହଣ କରିପାରିନଥିଲା ତେବେ ନିର୍ବାଚନକୁ ବର୍ଷଟିଏ ପୂରିବାକୁ ଯାଉଥିବାବେଳେ ଶ୍ରୀ ନନ୍ଦ କିନ୍ତୁ ଆଉ ଦୃଶ୍ୟମାନ ହେଉନାହାନ୍ତି । ସଂସଦରେ ବିଜେଡିର ବୈଠକ ହେଉ କିମ୍ବା ରାଜଧାନୀରେ ଦଳୀୟ କାର୍ଯ୍ୟକ୍ରମ ହେଉ, ପ୍ରଶାନ୍ତ ଅନୁପସ୍ଥିତ ସ୍ପଷ୍ଟ ବାରିହୋଇ ପଡୁଛି । ଜଣେ ସଫଳ ନିର୍ଦ୍ଦେଶକ, ଚଳଚିତ୍ର ଅଭିନେତା ସହିତ ପୂର୍ବତନ ମନ୍ତ୍ରୀ ହିସାବରେ ପ୍ରଶାନ୍ତ ବିଜେଡି ପାଇଁ ଆସେନ ହେବେ ବୋଲି ବିଚାରି ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଛି । ହେଲେ ଏବେ ସବୁ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତ ଦେଖିବାକୁ ମିଳୁଛି । ସଂସଦରେ ବି ପ୍ରଶାନ୍ତଙ୍କ ସ୍ୱର ଶୁଣାଯାଉ ନାହିଁ ।
ବର୍ତ୍ତମାନ ବିଜେପି ଘନ ଘନ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଥିବାବେଳେ ଜଣେ ପୂର୍ବତନ ମନ୍ତ୍ରୀ ଓ ଅନୁଭବି ନେତା
ହିସାବରେ ଶ୍ରୀ ନନ୍ଦ ଏହାର ସଫଳ ମୁକାବିଲା କରିପାରନ୍ତେ ବୋଲି ମତପ୍ରକାଶ ପାଉଛି । କାରଣ ଗଣମାଧ୍ୟମ ବିଶେଷକରେ
ଇଲେକଟ୍ରୋନିକ ଗଣମାଧ୍ୟମରେ ବବୃତ୍ତି ରଖିବାରେ ଶ୍ରୀ ନନ୍ଦ ବେଶ୍ ସିଦ୍ଧହସ୍ତ ।
କିନ୍ତୁ ପ୍ରଶାନ୍ତ ଏବେ ଦୃଶ୍ୟମାନ ହେଉନଥିବାବେଳେ ଦଳରେ ଏକ ପ୍ରକାର ଅଲୋଡା ହୋଇପଡିଲେଣି । ଉଲ୍ଲେଖନୀୟ ଯେ ରାଜ୍ୟରେ ବିଜେଡି-ବିଜେପି ମିଳିତ ସରକାର ଥିବାବେଳେ ଶ୍ରୀ ନନ୍ଦ ବିଜେପି ଟିକଟରେ ଜିଣି ରାଜ୍ୟ ଉଚ୍ଚଶିକ୍ଷାମବୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଜେଡି ଏବେ ମୋ ସରକାର ଓ ୫-ଟି ଭଳି ଯୋଜନାକୁ ନେଇ ବେଶ୍ ଉତ୍ସାହିତ ଥିବାବେଳେ ଏହାର ସଫଳ ଲାଗି ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ବଳ ଖଟାଇଛନ୍ତି । ସବୁଆଡେ ଚାଲିଛି ଅଚାନକ ଗସ୍ତ । ହେଲେ ଏହା ଭିତରେ କିନ୍ତୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଦୃଶ୍ୟମାନ ନହେବା ଏବେ ବିଜେଡି ନେତା କର୍ମୀଙ୍କ ଠାରୁ ଆରମ୍ଭକରି ସାଧାରଣ ଲୋକେ ମଧ୍ୟ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଏପରିକି ଶ୍ରୀ ନନ୍ଦ ଏବେ କେଉଁ ଦଳରେ ବୋଲି କହିବାକୁ ବି ଲୋକେ ପଛାଉ ନାହାନ୍ତି
