Odia News Portal

ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ନୂଆଦିଲ୍ଲୀ()  ନାରରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ହିଂସା ବ୍ୟାପକ ପରିମାଣର ବଢିବାର ଲାଗିଛି । ଦିଲ୍ଲୀରେ ଏହି ଆନ୍ଦୋଳନ କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଥିବାବେଳେ ବିମାନସେବା ମଧ୍ୟ ପ୍ରଭାବିତ ହୋଇଛି। ଦେଶର ବିଭିନ୍ନ ରାଜ୍ୟର ସମ୍ବେଦନଶୀଳ ଅଞ୍ଚଳରେ ୧୪୪ ଜାରି କରାଯାଇଛି।

କର୍ଣ୍ଣାଟକାର ମାଙ୍ଗାଲୋରରେ ଏହି ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଏହାକୁ ଦମନ କରିବା ପାଇଁ ପୁଲିସ୍ର ଗୁଳିଚାଳନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମଧ୍ୟ ଏହା ନିଶ୍ଚିତ କରାଯାଇଥିବାବେଳେ ସେମାନଙ୍କ ପରିଚୟ ମଧ୍ୟ ଜଣାପଡ଼ିଛି। ଏହା ପୂର୍ବରୁ ସେହି ୨ ଜଣ ଗୁରୁତର ଆହତ ହୋଇ ଆଇସିୟୁରେ ଥିଲେ।

ହିଂସାକୁ ଦେଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଚେତାବନୀ ଦେଇଛନ୍ତି । ଯୋଗୀ କହିଛନ୍ତି ଲୋକତନ୍ତ୍ରରେ ସମସ୍ତଙ୍କର ପ୍ରଦର୍ଶନ କରିବାର ଅଧିକାର ରହିଛି କିନ୍ତୁ ପ୍ରଦର୍ଶନ ନାଁରେ ହିଂସା ଗ୍ରହଣୀୟ ନୁହେଁ। ଆନ୍ଦୋଳନ ନାଁରେ ହିଂସା କରୁଥିବା ଲୋକଙ୍କ ପାଇଁ କଡାବାଣୀ ଶୁଣାଇ ଦେଇଛନ୍ତି ଯୋଗୀ। ସେ କହିଛନ୍ତି ହିଂସା କରି ସାର୍ବଜନୀନ ସମ୍ପତ୍ତି ନଷ୍ଟ କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ନିଲାମ କରାଯାଇ କ୍ଷୟକ୍ଷତିର ଭରଣା କରାଯିବ।