Odia News Portal

ଭିଜିଲାନ୍ସ ଜାଲରେ ଆର୍‌ଆଇ

ନୟାଗଡ଼ : ଜଣେ ହିତାଧିକାରୀଙ୍କ ଜମିର ତଦନ୍ତ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ଅନ୍ତର୍ଗତ ଆଡ଼କଟା ଆର.ଆଇ.ନମିତା ପ୍ରଧାନ । ଭିଜିଲାନ୍ସ କାର୍ଯ୍ୟାଳୟରେ ଗିରଫ ଆରଆଇଙ୍କୁ ପଚରାଉଚରା କରାଯାଉଛି ।

ନୟାଗଡ଼ ଭିଜିଲାନ୍ସ ଡିଏସ୍‌ପି ଶିଶିର କୁମାର ଭୋଇଙ୍କ ଠାରୁ ପ୍ରକାଶ ଯେ, ଆର୍‌ଆଇନମିତା ପ୍ରଧାନ ଧୂଆଁମଡ଼ା ଗ୍ରାମର ଯୁଗଳ ସାହୁଙ୍କ ଜମିର ଏକ ରିପୋର୍ଟ ଦେବା ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯୁଗଳ ଏ ସଂପର୍କରେ ନୟାଗଡ଼ ଭିଜିଲାନ୍ସ ଡିଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଆଜି ମଧ୍ୟାହ୍ନରେ ଡିଏସ୍‌ପିଙ୍କ ପରାମର୍ଶକ୍ରମେ ଯୁଗଳ ଆରଆଇଙ୍କୁ ତାଙ୍କ କାର୍ଯ୍ୟାଳୟରେ ଟଙ୍କା ଦେଇଥିଲେ । ତେବେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍‌ ତୁରନ୍ତ ସେଠାରେ ପହଞ୍ଚି ଆରଆଇଙ୍କଠାରୁ ଉକ୍ତ ଟଙ୍କା ଜବତ କରିଥିଲେ । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।