ଧରାପଡିଥିବା ଯୁବକ କ୍ରିକେଟ ଖେଳିବାକୁ ଆସି ପାଇଥିଲେ ଠିକା ନିଯୁକ୍ତି
ଭୁବନେଶ୍ୱର : ଲାଞ୍ଚ କାରବାରରେ ଜେଲ୍ ଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ନେଇ ରାଜ୍ୟରେ ଚହଳ ପଡିଥିବାବେଳେ ଟଙ୍କା ସହ ଧରାପଡିଥିବା ଯୁବକଙ୍କ ସଂକ୍ରାନ୍ତରେ ରୋଚକ ତଥ୍ୟ ମାନ ପଦାକୁ ଆସିବାରେ ଲାଗିଛି । ସମ୍ପୃକ୍ତ ଯୁବକ ଜଣଙ୍କ ହେଉଛନ୍ତି ଉଦ୍ୟାନ ବିଭାଗର ଜଣେ ଠିକା କର୍ମଚାରୀ ଓ ତାଙ୍କ କ୍ରିକେଟ ପ୍ରତିଭାକୁ ଦେଖି ପୂର୍ବତନ ନିର୍ଦ୍ଦେଶକ ତାଙ୍କୁ ଠିକାରେ ନିଯୁକ୍ତି ଦେଇଥିବା କୁହାଯାଉଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୃଷି ବିଭାଗର କ୍ରିକେଟ ଟିମ୍ ଖେଳୁଥିବା ସମୟରେ ଏହି ଯୁବକ ଜଣଙ୍କ ଦଳ ପାଇଁ ବାହାରୁ ଆସି ଖେଳୁଥିଲେ । ଭଲ ଖେଳୁଥିବାରୁ ତକ୍ରାଳୀନ ନିର୍ଦ୍ଦେଶକ ତାଙ୍କୁ ଠିକାରେ ରଖିଥିଲେ । ମାସକୁ ୮ହଜାର ଟଙ୍କା ଦରମାରେ ଥିବା ଏହି ବାବୁ ଜଣଙ୍କ କେବଳ ବିଭାଗ ପାଇଁ ଭଲ କ୍ରିକେଟ ଖେଳୁଥିଲେ ତାହା ନୁହେଁ ବରିଷ୍ଠ ଅଧିକାରୀଙ୍କ ବୋଲ ହାକ ବି କରୁଥିଲେ । ଧିରେ ଧିରେ ନିଜର ପାରିବା ପଣିଆ ବଳରେ ବିଭାଗରେ କାୟା ବିସ୍ତାର କରିବାରେ ଲାଗିଲେ । କ୍ରିକେଟ ଖେଳ ସହିତ ପଇସା ଖେଳ ବି ଆରମ୍ଭ ହେଲା । ବଡ ବଡ ଅଫିସର ଓ ବିଭିନ୍ନ ସଂସ୍ଥା ମଝିରେ ସିଏ ଏକ ପ୍ରକାର ସେତୁ ପାଲଟିଗଲେ ।
ଇତି ମଧ୍ୟରେ ବାବୁଙ୍କ ଠିକା ଦରମା ବଢି ବଢି ୨୦ହଜାର ହୋଇଥିବା କୁହାଯାଉଛି । ନିର୍ଦ୍ଦେଶକ ହୁଅନ୍ତୁ ବା ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ଯିଏ ନିର୍ଦ୍ଦେଶାଳୟକୁ ଆସିଲା ସିଏ ଏହି ବାବୁଙ୍କୁ ଖୋଜିଲା । ବିଭିନ୍ନ ବ୍ୟାଙ୍କ୍ ଠାରୁ ଆରମ୍ଭ କରି କମ୍ପାନୀ ପର୍ଯ୍ୟନ୍ତ ଯିଏ ବି ଆସିଲା ତାଙ୍କୁ ନଧରିଲେ କିଛି କରିପାରିଲା ନାହିଁ । ଆଲୋଚନା ଅନୁଯାୟୀ ସାନ ବଡ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତ କଥା ବୁଝୁଥିଲେ ଏହି ବାବୁ ଜଣଙ୍କ । କିଏ କେଉଁଠାକୁ ବୁଲିବାକୁ ଯିବ, କେଉଁଠି ରହିବ, କାହାର କେତେ ଟିକଟ ହେବ ସବୁକିଛି ଚୁଟ୍କିରେ କରିଦେଉଥିଲେ । ଏଥିପାଇଁ ବାବୁମାନଙ୍କୁ ପଇସା ବି ଅନେକ ସମୟରେ ଦେବାକୁ ପଡୁନଥିଲା । ତେଣୁ ଠିକା କର୍ମଚାରୀ ଜଣଙ୍କ ପାଲଟି ଯାଇଥିଲେ ନିର୍ଦ୍ଦେଶାଳୟର ଗେହ୍ଲାପୁଅ ।
ଗେହ୍ଲାପୁଅ କରିବାର ଦଶା ଭୋଗିଛନ୍ତି ଏବେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ନିର୍ଦ୍ଦେଶାଳୟର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏହି ଠିକା ବାବୁଙ୍କ ଉପରେ ଦୀର୍ଘଦିନ ହେଲା ନଜର ଥିଲା । ଶେଷରେ ଫସିଲେ । କାରଣ ନିର୍ଦ୍ଦେଶାଳୟ ସହିତ ଅନେକ ଘରୋଇ ସଂସ୍ଥାର କାରବାର ଥିବାରୁ ବାବୁଙ୍କୁ ନଧରିଲେ କିଛି ହୋଇପାରୁ ନଥିଲା । ବାବୁଙ୍କ ଡିମାଣ୍ଡ ବି ଦିନକୁ ଦିନ ବଢିବାରେ ଲାଗିଥିଲା । ତେଣୁ ଏଥିରେ ଅତିଷ୍ଠ ହୋଇ କିଛି ସଂସ୍ଥା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ହେଲେ ଉପରିସ୍ଥ ଅଧିକାରୀଙ୍କ ଗେହ୍ଲାପୁଅ ହୋଇଥିବାରୁ ସମସ୍ତେ ଏକ ପ୍ରକାର ଆଖିବୁଜି ଦେଇଥିଲେ ।
ହେଲେ ଚୋର ଘର ସବୁଦିନେ ଅନ୍ଧାର ରୁହେନି ନ୍ୟାୟରେ ବାବୁ ଏବେ ଧରାପଡିବା ପରେ ନିର୍ଦ୍ଦେଶକଙ୍କ ମୁଣ୍ଡକୁ ଦୋଷ ପେଲି ଦେଇଛନ୍ତି । ଏଥିରେ ନିର୍ଦ୍ଦେଶକ କେତେ ମାତ୍ରାରେ ସମ୍ପୃକ୍ତ ତାହାର ତଦନ୍ତ ହେଲେ ଜଣାପଡିବ । କିନ୍ତୁ ଏହି ବାବୁଙ୍କ କମ୍ପ୍ୟୁଟର ଏବେ ଭିଜିଲାନ୍ସ ହାତରେ । ଆଲୋଚନା ହେଉଛି ଯେ ବାବୁଙ୍କ କଳା କାରବାରର ସବୁ ହିସାବ ଏଥିରେ ରହିଛି । ଏହାକୁ ଯଦି ଭିଜିଲାନ୍ସ ଖୋଲି ଠିକଣା ଭାବେ ତଦନ୍ତ କରିବ ତେବେ ବର୍ତ୍ତମାନର ନିର୍ଦ୍ଦେଶକଙ୍କ ସହିତ କିଛି ପୂର୍ବତନ ନିର୍ଦ୍ଦେଶକ ଓ କିଛି ଅଧିକାରୀ ତଦନ୍ତ ପରିସରକୁ ଆସିବାଟା ଏକ ପ୍ରକାର ଥୟ ।