ଭୁବନେଶ୍ୱର : ରାଜଧାନୀରେ ଏବେ ଚାଲିଛି ବିଭିନ୍ନ ସରକାରୀ ବିଭାଗର ଭଳିକି ଭଳି ମେଳା । ତେବେ ଏହିସବୁ ମେଳା ଯୋଗୁଁ
ବିଭିନ୍ନ ଇଭେଣ୍ଟ ସଂସ୍ଥା ଏବେ ମାଲେମାଲ । ସରକାରୀକଳ ବି ସବୁ ଦାୟିତ୍ୱ ତାଙ୍କ ଉପରେ ଛାଡି ନିଶ୍ଚିତ ରେ ବସିଯାଉଛି ।
କୌଣସି ବିଭାଗ ମେଳାଟିଏ ଆୟୋଜନ କଲେ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରିବାକଥା ତାହା ବି ଆଉ କରିପାରୁ
ନାହାନ୍ତି । କାରଣ ମେଳାପାଇଁ ସମସ୍ତ ଅର୍ଥ ଇଭେଣ୍ଟ ସଂସ୍ଥା ହାତକୁ ଚାଲିଯାଉଛି । ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନର ଏବେ ସରକାରୀ ବିଭାଗ ଗୁଡିକ ମେଳା ଆୟୋଜନ କରୁଛନ୍ତି । ଏ କ୍ଷେତ୍ରରେ ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟଜଳ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସବୁଠାରୁ ଆଗରେ ଅଛନ୍ତି । ଏହି ବିଭାଗ ଗୁଡିକ ଗାଁ ଗହଳର ସ୍ୱୟଂ ସହାୟକ ଗୋଷ୍ଠି ଓ ବିଭିନ୍ନ ଅନୁଷ୍ଠାନ ସହିତ ସିଧାସଳଖ ଜଡିତ ରହିବା ସଂଗେ ସଂଗେ ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ ଚଳାଉଥିବାରୁ ମେଳା ଆୟୋଜନ ପ୍ରାୟତଃ ସେହି ବିଭାଗ ହିଁ କରନ୍ତି । ତେବେ ପୂର୍ବଭଳି ଆଉ ସରକାରୀ ବାବୁମାନେ ମେଳା ଆୟୋଜନରେ ନିଜକୁ ସାମିଲ କରୁନାହାନ୍ତି । ରାଜ୍ୟ ଭିତର ଓ ବାହାରର ଇଭେଣ୍ଟ ସଂସ୍ଥା ଗୁଡିକ ହାତରେ ମେଳା ଦାୟିତ୍ୱ ସମର୍ପି ଦେଇ ନିଶ୍ଚିତରେ ବସୁଛନ୍ତି ।
ମେଳାପାଇଁ ପ୍ରସ୍ତୁତି ବୈଠକ ହେଉ କିମ୍ବା ସାମ୍ବାଦିକ ସମ୍ମିଳନୀ ସବୁଥିରେ ଇଭେଣ୍ଟ ସଂସ୍ଥାର ଦବଦବା ରହୁଛି । ତେବେ କିଏ ଏହି
ଇଭେଣ୍ଟ ସଂସ୍ଥା ଓ କେଉଁଠାରୁ ଆସି କେତେ ଟଙ୍କାରେ କାମ ନେଉଛନ୍ତି ତାହାର ସଠିକ୍ ଖବର ଅଧିକାଂଶ ଜାଣିପାରୁ ନାହାନ୍ତି
ା ପୂର୍ବରୁ ସରକାରୀ ସ୍ତରରେ ମେଳା ଆୟୋଜନ ହେଉଥିବାବେଳେ ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ଦିଆଯାଉଥିଲା । ହେଲେ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ । କାଁ ଭାଁ ଗୋଟିଏ ଦୁଇଟି ଗଣମାଧ୍ୟମରେ ବିଜ୍ଞାପନ ଦେଇ କାମ ସାରିଦେଉଛନ୍ତି । ଏ ସଂକ୍ରାନ୍ତରେ ଅନୁଧ୍ୟାନରୁ ଜଣାଯାଇଛି ଯେ ବିଜ୍ଞାପନ ପାଇଁ ଥିବା ଅର୍ଥକୁ ବି ଇଭେଣ୍ଟ ସଂସ୍ଥା ଚଳୁକରି ଦେଉଛନ୍ତି । ନିଜେ ସବୁ କରିଦେବେ କହି ପଇସା ନେଇଯାଉଛନ୍ତି । ଯେହେତୁ ପୂର୍ବଭଳି ସରକାରୀ ବାବୁମାନେ ଆଉ ଦାୟିତ୍ୱରେ ରହୁନାହାନ୍ତି ତେଣୁ ସେମାନେ ଚାହିଁଲେ ବି କାହାକୁ ବିଜ୍ଞାପନଟିଏ ଦେଇପାରୁ ନାହାନ୍ତି । ଏବେ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଚାଲିଛି ଶିଶିର ସରସ ମେଳା ।
ଆସନ୍ତା କାଲିଠାରୁ ଆରମ୍ଭ ହେବ ଏମ୍ଏସ୍ଏମଇ ମେଳା । ଏହା ପରେ ଆଦିବାସୀ ମେଳା । ଅଳ୍ପଦିନ ତଳେ ସରକାରୀ ସ୍ତରୀୟ ପୁସ୍ତକ ମେଳା ଓ ମିଶନ ଶକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ତେବେ ଇଭେଣ୍ଟ ସଂସ୍ଥାକୁ ମେଳା ଦାୟିତ୍ୱ ଦେଇ ତାହାକୁ ଚକଚକିଆ କରି ସଫଳତା ସାଉଁଟୁଥିବାବେଳେ ବାସ୍ତବରେ କିନ୍ତୁ ମେଳାର ଉଦ୍ଦେଶ୍ୟ ସାଧିତ ହେଉନଥିବା ଅନେକ ମତ ଦେଉଛନ୍ତି । କାରଣ ସରକାରୀ ବାବୁମାନେ ଯଦି ସିଧାସଳଖ ଭାବେ ମେଳା ସହିତ ଜଡିତ ରୁହନ୍ତେ ତେବେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି କିମ୍ବା ସଂସ୍ଥା ସହିତ ମିଶି ସେମାନଙ୍କର ସୁବିଧା ଅସୁବିଧା ଜାଣି ପାରନ୍ତେ ଏବଂ ଯୋଜନା ପ୍ରସ୍ତୁତ ସମୟରେ ତାହା କାମ ଦିଅନ୍ତା । ହେଲେ ବାବୁମାନେ ଇଭେଣ୍ଟ ସଂସ୍ଥାରେ ହାତରେ ସବୁକିଛି ଟେକି ଦେଉଛନ୍ତି । ଏହାଦ୍ୱାରା ମେଳାରୁ ଯଦିଓ ସଫଳତା ମିଳୁଛି
ଉଦ୍ଦେଶ୍ୟ ଯେଉଁଭଳି ଭାବେ ସାଧନ ହେବାକଥା ତାହା ହୋଇପାରୁ ନାହିଁ ବୋଲି ମତପ୍ରକାଶ ପାଉଛି ।