Odia News Portal

ଗଞ୍ଜେଇ ବେପାରୀକୁ ଧରି ଖାକି ବାବୁ ମାଲେମାଲ

ଭୁବନେଶ୍ୱର : ପଞ୍ଜାବୀ ଯୁବକ ମାଡ ଘଟଣାରେ କମିଶନରେଟ ପୁଲିସ୍‍ ଚାରିଆଡୁ ଷଣ୍ଢୁଆସି ଆକ୍ରମଣର ଶିକାର ହେଉଥିବାବେଳେ ସରକାର ବି ବଦନାମ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ ରାଜଧାନୀରେ ଅବକାରୀ ଓ ଖାକି ବାବୁଙ୍କର ଆଉ ଗୋଟିଏ କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୟାପଲ୍ଲୀ ଅଞ୍ଚଳରେ ଜଣେ ଗଞ୍ଜେଇ ବେପାରୀଙ୍କୁ ଧରି ଖାକିବାବୁମାନେ ବେଶ୍‍ ହାତ ଚିକ୍କଣ କରିଥିବାବେଳେ ଗଞ୍ଜେଇ ବେପାରୀ ଏବେ ତାହାର କାରବାର ଆରମ୍ଭ କରିଦେଲାଣି । ହେଉଥିବା ଚର୍ଚ୍ଚା ଅନୁଯାୟୀ ନୟାପଲ୍ଲୀ ଥାନାଠାରୁ ମାତ୍ର କେଇଶହ ମିଟର ଦୂରରେ ଅବକାରୀ ବିଭାଗ ପକ୍ଷରୁ ଜଣେ ଗଞ୍ଜେଇ ବେପାରୀଙ୍କ ଉପରେ ରେଡ୍‍ ହୋଇଥିଲା । ଏ ସଂକ୍ରାନ୍ତରେ ଥାନା ବାବୁମାନେ ଟେର୍‍ ପାଇନଥିଲେ । ତେବେ ଗିରଫ ପରେ ତାଙ୍କୁ ରାତିରେ ଥାନାକୁ ଅଣାଗଲା ।
ସମ୍ପୃକ୍ତ ବ୍ୟବସାୟୀଙ୍କ ଘରୁ କୁଆଡେ ଦୁଇବସ୍ତା ଗଞ୍ଜେଇ ସହିତ ୧୬ଲକ୍ଷ ଟଙ୍କା ଓ ଦୁଇ କିଲୋ ପାଖାପାଖି ସୁନା ଅଳଙ୍କାର ଜବତ ହୋଇଥିଲା । ଏଥିରେ ଅବକାରୀ ବାବୁମାନେ ବେପାରୀଙ୍କୁ ନେଇ ଥାନାରେ ବସାଇଥିଲେ । ଖାକି ବାବୁଙ୍କ ନଜରକୁ ଏହା ଆସିବାପରେ ମାମଲା ରଫାଦଫା ପାଇଁ ଚାଲିଲା ଯୁଦ୍ଧକାଳୀନ କସରତ । ଆଲୋଚନା ଅନୁଯାୟୀ ଦୁଇ ବସ୍ତା ଗଞ୍ଜେ ୨୧ କିଲୋ ହୋଇଗଲା । ଟଙ୍କା ପରିମାଣ ବି ଲକ୍ଷେରୁ ସାମାନ୍ୟ ଅଧିକ ଦର୍ଶାଗଲା । ଅବଶିଷ୍ଟ ଅର୍ଥ ଦୁଇ ଭାଗ ହେଲା । ଅଧେ ଗଞ୍ଜେଇ ବେପାରୀ ଫେରି ପାଇଲେ ଓ ଅଧେ ଖାକିବାବୁମାନେ କୁଆଡେ ବାଣ୍ଟି ନେଇଗଲେ । ଜବତ ହୋଇଥିବା ସୁନା ଅଳଙ୍କାର ଗୁଡିକ ସସ୧ାନେ ଗଞ୍ଜେଇ ବେପାରୀଙ୍କୁ ଫେରାଇ ଦିଆଗଲା । ସୁନା ଅଳଙ୍କାର ଓ ଅଧା ଟଙ୍କା ପାଇବାପରେ ଗଞ୍ଜେଇ ବେପାରୀ ଖୁସ୍‍ । ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କୁ ପୁଲିସ୍‍ ଗିରଫ କରିଛି । ଗଞ୍ଜେଇ କାରବାର କରୁଥିବା ସମ୍ପୃକ୍ତ ଅଭିଯୁକ୍ତର ନୟାପଲ୍ଲୀ ଅଞ୍ଚଳରେ ଗୋଟିଏ ଚା ପାନ ଦୋକାନ ରହିଛି । ଉପରକୁ ଚା ପାନ ଦୋକାନ ହୋଇଥିବାବେଳେ ଅସଲ ବେପାର କିନ୍ତୁ ଗଞ୍ଜେଇ । ଦୀର୍ଘଦିନ ଧରି ଏହା ଚାଲୁଥିଲା ।
ସ୍ଥାନୀୟ ଲୋକେ ବି ଖବର ଦେଉଥିଲେ । ହେଲେ ଥାନା ଠାରୁ ଅଳ୍ପ ଦୂରରେ ଚାଲିଥିବା କାରବାର ସଂକ୍ରାନ୍ତରେ ଖାକି ବାବୁମାନେ ଜାଣିପାରୁନଥିଲୋ  ଏବେ ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇ ଜେଲ୍‍ ଯିବାପରେ ତାଙ୍କ ପତ୍ନୀ ବ୍ୟବସାୟ ସମ୍ଭାଳିଥିବା କୁହାଯାଉଛି । ପୂର୍ବଭଳି ସେ ଗଞ୍ଜେଇ ପୁଡିଆ ବିକିବା ଆରମ୍ଭ କରିଥିବାବେଳେ ଖାକିବାବୁମାନେ ନେଇଥିବା ଟଙ୍କା କିଭଳି ଉଠିବ ବୋଲି ଓଲଟା ଚିହ୍ନା ପରିଚୟ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି ।
କେବଳ ନୟାପଲ୍ଲୀ ଅଞ୍ଚଳ ନୁହେଁ ସମଗ୍ର ରାଜଧାନୀ ଏବେ ଗଞ୍ଜେଇ ବେପାରୀଙ୍କ ଆଡ୍ଡା ପାଲଟିଛି । କମିଶନରେଟ ପୁଲିସ୍‍ର ଗୁଇନ୍ଦା ବ୍ୟବସ୍ଥା ଚିତ୍‍ପଟାଙ୍ଗ ମାରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ । ପୁଲିସ୍‍ ଡାଳେ ଡାଳେ ଗଲେ ଗଞ୍ଜେଇ ଓ ଡ୍ରଗ୍ସ ବେପାରୀମାନେ ପତ୍ରେ ପତ୍ରେ ଯାଉଛନ୍ତି ।
ଛଅ ନମ୍ବର, ଦୁଇ ନମ୍ବର, ଚାରି ନମ୍ବର, ଲକ୍ଷ୍ମୀସାଗର ଆଦି ଅଞ୍ଚଳ ଏବେ ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବଙ୍ଗଳାଦେଶୀ ଡ୍ରାଗ୍ସ ସାଙ୍ଗକୁ ଫୁଲବାଣୀ ଓ ମାଲକାନଗିରିର ଗଞ୍ଜେଇ ନିଶା ଏବେ ରାଜଧାନୀର ଯୁବପୀଢିଙ୍କୁ ବାୟା କରିଛି । କମିଶନରେଟ ପୁଲିସ୍‍ ହେଲମେଟ ଚେକିଂ ସାଙ୍ଗକୁ ବଡ ବଡିଆ ସନ୍ତୁଷ୍ଟିକରଣରେ ଅଧିକାଂଶ ସମୟ ଦେବା ଓ ବଡ ଖାକିବାବୁମାନେ ସଭା ସମିତିରେ ଗେଣ୍ଡୁମାଳ ପିନ୍ଧିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଖୋଲାଖୋଲି ଆଲୋଚନା କରୁଛନ୍ତି ।