Odia News Portal

୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ତମ ପରିଷଦ ବୈଠକ

ଭୁବନେଶ୍ବର : ଆସନ୍ତା ୧୨ରେ ପୂର୍ବାଞ୍ଚଳ ପରିଷଦର ବୈଠକ ଭୁବନେଶ୍ୱରରେ ବସିବ । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହ ଯୋଗ ଦେବେ । ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ତମ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି ।

ଲୋକସେବା ଭବନର କନଭେନସେନ ସେଣ୍ଟରରେ ବୈଠକ ବସିବାକୁ ଆପାତତଃ ସ୍ଥିର ହୋଇଥିଲା ବେଳେ ଆସାମ, ପଶ୍ଚିମବଙ୍ଗ, ସିକିମ୍‌, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିଭିନ୍ନ ସମସ୍ୟା ସଂପର୍କରେ ଏ ବୈଠକରେ ଆଲୋଚନା ହେବ । ବୈଠକରେ ଯୋଗଦେବାକୁ ଶ୍ରୀ ଶାହ ଆସିବା ଚୂଡ଼ାନ୍ତ ହୋଇଥିଲା ବେଳେ ସେ ବିଜେପିର କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି । ଦଳ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନତା ଅଭିଯାନ ଚାଲିଥିଲା ବେଳେ ଶ୍ରୀ ଶାହ ଏଥିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଶାହଙ୍କ ଗସ୍ତ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଆସିନି ବୋଲି ଦଳ କହିଛି ।