Odia News Portal

ଗଡ୍‌ସେମାନଙ୍କୁ ଗାନ୍ଧୀ ଛାଲ ପିନ୍ଧାଇବା ଚେଷ୍ଟାରେ ଶାହା

ଭୁବନେଶ୍ୱର : ଭାରତ ସରକାର ଦେଶରେ ୧୫୦ କୋଟି ଟଙ୍କା ବ୍ୟୟକରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଦେଶ ଦୁନିଆ ବୁଲି ଗାନ୍ଧୀ ପ୍ରଚାରରେ ଲାଗିପଡ଼ିଛନ୍ତି । ହେଲେ ଏହି ସରକାର ଖୋଲାଖୋଲି ଦେଶର ଗଣତନ୍ତ୍ର, ଆଇନର ଶାସନକୁ କୁଠାରଘାତ କରି ଗାନ୍ଧୀ ଦର୍ଶନ ବିରୋଧୀ ଅନେକ କାର୍ଯ୍ୟ କରିଚାଲିଥିବା ବେଳେ କ’ଣ ପାଇଁ ଗାନ୍ଧୀ ୧୫୦ ପାଳୁଛି, ତାହା ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରଠାରେ ସିଏଏ ସମର୍ଥନରେ ଆୟୋଜିତ ସଭାରେ ସ୍ପଷ୍ଟ କରିଦେଇଛନ୍ତି । ଏହି ସଭାକୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶହା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓଡ଼ିଶାର ଗାନ୍ଧୀ ଭାବେ ଲୋକପ୍ରିୟ । ତାଙ୍କର ଏହି କଥାରୁ ଶ୍ରୀ ଶାହା ଗୁଜରାଟରେ ଜନ୍ମ ହେଲେବି ମହାତ୍ମା ଗାନ୍ଧୀ ଓ ତାଙ୍କ ଦର୍ଶନ ବାବଦରେ କିଛି ବି ଜାଣିନଥିବା ବୁଝାପଡ଼ୁଛି । ଅପରପକ୍ଷରେ ପ୍ରତାପଙ୍କୁ ଗାନ୍ଧୀ କହି ସେ ଉଭୟ ମହାତ୍ମା ଗାନ୍ଧୀ ଓ ଓଡ଼ିଶାର ଗାନ୍ଧୀ ରୂପେ ସର୍ବଜନବିଦିତ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କୁ ଅପମାନ କରିଛନ୍ତି ।
ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରଦର୍ଶିତ ପଥରେ ଚାଲି ଗୋପବନ୍ଧୁ ଚୌଧୁରୀ ବ୍ରିଟିଶ୍ ସରକାରର ଉପଜିଲ୍ଲପାଳ ପଦରୁ ମିଛ ରିପୋର୍ଟ ଦେବେ ନାହିଁ ବୋଲି ଇସ୍ତଫା ଦେଇ ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ତ୍ୟାଗ ଯୋଗୁ ଓଡ଼ିଶାବାସୀ ତାଙ୍କୁ ତ୍ୟାଗୀ ଗୋପବନ୍ଧୁ ଭାବରେ ବି ସମ୍ବୋଧିତ କରୁଥିଲେ । ସ୍ୱର୍ଗତ ଚୌଧୁରୀ କେବଳ ନିଜେ ସଂଗ୍ରାମରେ ଲିପ୍ତ ନ ଥିଲେ, ତାଙ୍କର ସମଗ୍ର ପରିବାର ପତ୍ନୀ ରମାଦେବୀ, ଭାଇ ନବକୃଷ୍ଣ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ମହାରଣା, ପୁତୁରା ବିନାୟକ ଚୌଧୁରୀ, ଝିଆରି ଉତ୍ତରା ସମସ୍ତଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ପ୍ରେରଣା ଯୋଗାଇଥିଲେ । ହେଲେ ଗାନ୍ଧୀଜୀଙ୍କ ଭଳି ସେ କେବେ କ୍ଷମତାକୁ ଗଲେ ନାହିଁ ଓଲଟା ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦତ୍ତ ପ୍ରଥମ ସମ୍ମାନସୂଚନ ଡକ୍ଟରେଟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଓଡ଼ିଶାର ଜନଗଣ ତାଙ୍କୁ ବାପା ରୂପରେ ଓ ତାଙ୍କ ଧର୍ମପତ୍ନୀ ରମାଦେବୀଙ୍କୁ ମାଆ ରୂପରେ ଆଜିବି ସମ୍ବୋଧିତ କରିଥାନ୍ତି ।
ହେଲେ ଅମିତ ଶାହା ଯେଉଁ ପ୍ରତାପ ଷଡ଼ଙ୍ଗୀଙ୍କୁ ଗାନ୍ଧୀ ବୋଲି କହିଲେ ତାଙ୍କର ବିଗତ ଦିନକୁ ଯଦି ଦେଖିବା ତେବେ ବୁଝାପଡ଼ିବ ଯେ ଅଷ୍ଟ୍ରେଲୀୟ ପାଦ୍ରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ଫିଲିପ୍ ଓ ଡିମୋଥିଙ୍କୁ ଗାଡ଼ି ଭିତରେ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ୱାରା ଜୀବନ୍ତ ଜଳାଇ ମାରି ଦିଆଯାଇଥିବା ସମୟରେ ପ୍ରତାପ ହିଁ ବଜରଙ୍ଗ ଦଳର ଓଡ଼ିଶା ମୁଖ୍ୟ ଥିଲେ । ସେହିପରି ନିଜ ଗାଁ ଗୋପୀନାଥପୁରରେ ଆଦିବାସୀମାନଙ୍କ ଉପାସନାସ୍ଥଳୀକୁ ଭାଙ୍ଗି ଜଳାଇ ଦେଇଥିବା ଯୋଗୁ ୨୦୦୪ ମସିହାରେ ସେ ଅଭିଯୁକ୍ତ ହୋଇଥିଲେ । ୨୦୧୧ ମସିହାରେ ବାଲେଶ୍ୱରର ନୀଳଗିରିଠାରେ ଆଦିବାସୀମାନଙ୍କୁ ଅସଦ୍ ବ୍ୟବହାର ଘଟଣାରେ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଗଣତନ୍ତ୍ରର ମନ୍ଦିର ଓଡ଼ିଶା ବିଧାନସଭାରେ ତାଙ୍କ ନେତୃତ୍ୱକରେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଧସେଇ ପଶିବା ଘଟଣାରୁ ସେ କେବଳ ଓଡ଼ିଶାର ଗଡ୍‌ସେ ଉପାଧିରେ ଭୂଷିତ ହୋଇପାରିବେ ବୋଲି ଶ୍ରୀ ଶାହାଙ୍କ ମତକୁ ନିନ୍ଦାକରି ଗାନ୍ଧୀବାଦୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଗଡ୍‌ସେମାନଙ୍କୁ ଗାନ୍ଧୀ ଛାଲ ପିନ୍ଧାଇବା ଚେଷ୍ଟା ଭାଜପା ଚଳାଇଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଯୋଗେ ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ଡଃ ସତ୍ୟ ରାୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବିଶ୍ୱଜିତ ରାୟ, ମିହିର ପ୍ରତାପ ଦାସ, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ, ରଣଜିତ୍ ଦେହୁରି, ଅନିମା ରାୟ, ମାନସ ପଟ୍ଟନାୟକ, ହିନ୍ଦ ସ୍ୱରାଜ ଅଭିଯାନ ଟ୍ରଷ୍ଟ ପକ୍ଷରୁ ଗୋଲକ ଚନ୍ଦ୍ର ଦାସ, କୃଷ୍ଣାରାଣୀ ବୋଷ, ଉତ୍କଳ ଖଦି ମଣ୍ଡଳର ସଭାପତି ବୈଷ୍ଣବ ଦାସ, ବାଜି ରାଉତ ଛାତ୍ରାବାସର ସମ୍ପାଦକ ଭାବଗ୍ରାହୀ ନାୟକ ପ୍ରମୁଖ ଜଣାଇଛନ୍ତି ।