ଭୁବନେଶ୍ୱର : ଆହୁରି ୧୫ ଦିନ ଯାଏଁ ଗରମ ବଢ଼ିବାର ସମ୍ଭାବନା ନାହିଁ । ମାର୍ଚ୍ଚ ୧୬ ଆଗରୁ ରାଜ୍ୟରେ ତାତି ପ୍ରକୋପ ବଢ଼ିବାର ସମ୍ଭାବନା ପରିଲକ୍ଷିତ ହେଉନି । ଅପରପକ୍ଷରେ ଆସନ୍ତା ୧୨ ଦିନ ଭିତରେ ମଝିରେ ମଝିରେ ବର୍ଷା, ପବନର ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।
ଡକ୍ଟର ପଶୁପାଳକ କହିଛନ୍ତି, ମାର୍ଚ୍ଚ ପହିଲାବେଳକୁ ସାଧାରଣତଃ ଗରମ ପ୍ରକୋପ ଆରମ୍ଭ ହୋଇଯାଇଥାଏ । ତେବେ ନିକଟରେ ବର୍ଷା ହୋଇଥିବାରୁ ତାପମାତ୍ରା ବିଶେଷ ବଢ଼ିପାରିନି । ଆସନ୍ତା ୧୫ ଦିନ ଭିତରେ ତାପମାତ୍ରା ବିଶେଷ ବଢ଼ିବା ସମ୍ଭାବନା ଦେଖାଯାଉନି । ଆସନ୍ତା ୨-୬ ତାରିଖବେଳକୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ତେଣୁ ପ୍ରଥମ ସପ୍ତାହରେ ଗରମ ବଢ଼ିବ ନାହିଁ । ଏହା ପରେ ପୁଣି ୧୨ କିମ୍ବା ୧୩ ତାରିଖବେଳକୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ । ଏହା ପ୍ରଭାବରେ ଆଉ ୨/୩ ଦିନ ତାପମାତ୍ରା କମ୍ ରହିବ । ୧୬ ତାରିଖ ସୁଦ୍ଧା ତାପମାତ୍ରା ବୃଦ୍ଧି ପାଇବ ନାହିଁ ।
ପାଣିପାଗ ବିଭାଗ କହିଛି, ଆସନ୍ତା ୨ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩ ତାରିଖରେ ବର୍ଷା ସମ୍ଭାବନା ଥିବାବେଳେ ୪ରେ ବର୍ଷା ପରିମାଣ ବଢ଼ିବ । ଆସନ୍ତା ୪-୫ ଦିନ ପାଇଁ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ମାଲକାନଗିରିର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଥିବାବେଳେ ପ୍ରାୟ ସବୁଠି ପାରଦ ୩୦ ଡିଗ୍ରୀ ପାଖାପାଖି ରହିଛି ।
