Odia News Portal

ଓଡିଶାବାସୀଙ୍କୁ ବାଟଵଣା କରୁଛି ବିଜେପି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ସଫଳତାର ସହ ୨୦ବର୍ଷ ଶାସନକାଳ ପୂରଣ କରିବା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୪ ତମ ଜୟନ୍ତୀ ସମଗ୍ର ରାଜ୍ୟରେ ପାଳନ ହେଉଥିବା ବେଳେ ଏଥିରୁ ନଜର ହଟାଇବା ପାଇଁ ବିଜେପି ଲୋକଙ୍କୁ ବାଟବଣା କରିବାକୁ ଉଦ୍ୟମ ଚଳାଇଛି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଏହା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ଆନନ୍ଦର କଥା ହେଉଛି ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ବିଜେପି ପକ୍ଷରୁ ବିଜେଡିକୁ ସମାଲୋଚନା କରାଯାଉଥିବା ବେଳେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର କିନ୍ତୁ ସମଗ୍ର ଦେଶରେ ଗ୍ରାମାଞ୍ଚଳ ଗୃହ ନିର୍ମାଣରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶାକୁ ପୁରସ୍କୃତ କରୁଛନ୍ତି । ଏଭଳି ହୀନ ରାଜନୀତି ଦ୍ୱାରା ବିଜେପି ବାରମ୍ବାର ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖାତ ହେଉଥିବା ଭଲଭାବେ ଅବଗତ ଅଛି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ୱେବ୍‌ସାଇଟ୍‍ରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ ନେଇ ଯେଉଁ ତଥ୍ୟ ରହିଛି ତାହା କେନ୍ଦ୍ର ସରକାର ସଂଗ୍ରହ କରିଥିବା ସାମାଜିକ-ଅର୍ଥନୈତିକ ସୂଚନା ଉପରେ ଆଧାରିତ । ତେବେ ମଜାର କଥା ହେଉଛି ବିଜେପି କେନ୍ଦ୍ର ସରକାରଙ୍କ ଏଭଳି ତଥ୍ୟକୁ ବିଶ୍ୱାସ ନକରି ଲୋକଙ୍କୁ ଭ୍ରମିତ କରିବା ପାଇଁ ବାରମ୍ବାର ଭୁଲ୍‍ ସୂଚନା ଦେବାରେ ଲାଗିଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।