ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ ପରିସରରେ କୌଣସି ଭୋଜିଭାତ କିମ୍ବା ସଭା ସମିତି ହୋଇପାରିବ ନାହିଁ । ଏହା ଉପରେ ସଂଘର ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ଏଥି ସହିତ ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଗତମାସ ୧୪ ତାରିଖରେ ଗଠନ ହୋଇଥିବା ନିର୍ବାଚନ କମିଶନ ପ୍ରତ୍ୟେକ ବିଭାଗରେ ସଂଘର ସଦସ୍ୟମାନଙ୍କ ଠାରୁ ମତାମତ ଲୋଡିଛନ୍ତି । ସିଧାସଳଖ ସେମାନଙ୍କ ମତ ଲିଖିତ ଆକାରରେ ଦେବାକୁ କୁହାଯାଇଛି । ଇ ମେଲ୍, ହ୍ୱାଟ୍ସ ଆପ୍ କିମ୍ବା ମେସେଜରେ ଅଭିମତ ନପଠାଇବାକୁ ତାଗିଦା ହୋଇଛି । ସଂଘର ନିର୍ବାଚନ କମିଶନ ଏଭଳି ମତ ଲୋଡିଥିବାରୁ ଖୁବ୍ଶୀଘ୍ର ରାଜ୍ୟ ସରକାରୀ କର୍ମଚାରୀଙ୍କ ସବୁଠାରୁ ପୁରାତନ ଓ ପ୍ରତିଷ୍ଠିତ ସଂଘରେ ନିର୍ବାଚନ ହେବାକୁ ଯାଉଛି । ସେହି ନିର୍ବାଚନ ସରି ନୂତନ କର୍ମକର୍ତ୍ତାମାନେ ଶପଥ ନନେବା ପର୍ଯ୍ୟନ୍ତ ଖାରବେଳନଗର ଠାରେ ଥିବା ସଂଘ କାର୍ଯ୍ୟାଳୟରେ ବୈଠକ, ଭୋଜିଭାତ ଆଦି ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଏଠାରେ କୌଣସି ସଭାସମିତି କରିବାର କ୍ଷମତା କେବଳ କମିଶନ ନିକଟରେ ଥିବାରୁ ଯଦି କୌଣସି ସଦସ୍ୟ ଏହାର ଉଲ୍ଲଙ୍ଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏପରିକି ସଭାପତି ଗୋଷ୍ଠି ପକ୍ଷରୁ ଏଠାରେ ବୈଠକ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ସଚିବାଳୟ ସେବା ସଂଘର ନିର୍ବାଚନ ପ୍ରତି ଦୁଇବର୍ଷରେ ଥରେ ହେଉଥିବାବେଳେ ଶେଷଥର ପାଇଁ ଏହା ୨୦୧୭ ଜୁଲାଇ ମାସରେ ହୋଇଥିଲା । ତଦନୁଯାୟୀ ୨୦୧୯ରେ ପରବର୍ତ୍ତୀ ନିର୍ବାଚନ ହୋଇ ନୂତନ କର୍ମକର୍ତ୍ତା ବଛାହେବା କଥା । ହେଲେ କାର୍ଯ୍ୟକାଳ ସରିବାପରେ ନୂଆ ର୍ନିବାଚନ ପାଇଁ ଆଉ ନେତାମାନେ ଧରାଛୁଆଁ ଦେଇନଥିଲେ । ସଂଘ କାର୍ଯ୍ୟାଳୟରେ ତାଲା ପକାଇ ରଖିଥିଲେ । ଏପରିକି ଗୃହ ବିଭାଗ ତୁରନ୍ତ ର୍ନିବାଚନ ପାଇଁ ଚିଠିଲେଖିଥିଲେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ଆସିନଥିଲା । ଶେଷରେ ଲୋକସେବାଭବନର କିଛି ଯୁବ କର୍ମଚାରୀ ଓ ଆଉ କିଛି ପୁରୁଖା ସଦସ୍ୟ ଏକାଠି ହୋଇ ନିର୍ବାଚନ ପାଇଁ ଅଣ୍ଟା ଭିଡିବାପରେ ସଂଘର ସାଧାରଣ ସମ୍ପାଦକ ସେମାନଙ୍କ ସପକ୍ଷରେ ବାହାରିଥିଲେ । ଯୁବ କର୍ମଚାରୀମାନେ ଘନ ଘନ ବୈଠକ ଡାକିବାପରେ ନିର୍ବାଚନ ପାଇଁ ନିଷ୍ପତ୍ତି ହେବା ସହିତ ନିର୍ବାଚନ କମିଶନ ଗଠନ ହୋଇପାରିଛି ।
ତେବେ ସଂଘର ଆର୍ଥିକ କାରବାରକୁ ନେଇ ଏବେ ବି ଛକାପଞ୍ଝା ଜାରି ରହିଛି । ୨୦୧୭ ମସିହାର ନିର୍ବାଚନ ପୂର୍ବରୁ ସଂଘ ଖାତାରେ ଥିବା ଅର୍ଥ ଓ ନିର୍ବାଚନ ପରେ ଘରଭଡା, ସଂଘ କାର୍ଯ୍ୟାଳୟରେ ବିବାହ, ବ୍ରତ ଆଦି ଭଡାରୁ ଆସିଥିବା ଅର୍ଥକୁ ନେଇ ଟଣାଓଟରା ଲାଗି ରହିଛି । ଏ ବାବଦରେ ଲକ୍ଷାଧିକ ଟଙ୍କାର ହିସାବ ମିଳୁନଥିବାବେଳେ ଏଥିପାଇଁ ସଭାପତି ଓ ସାଧାରଣ ସମ୍ପାଦକ ଗୋଷ୍ଠି ପରସ୍ପରକୁ ଦାୟୀ କରୁଛନ୍ତି । ବର୍ତ୍ତମାନ ନିର୍ବାଚନ କମିଶନ ସକ୍ରିୟ ହେବା ସହିତ ଖୁବ୍ଶୀଘ୍ର ନିର୍ବାଚନ କରିବାକୁ ଯାଉଥିବାରୁ ନୂଆ କର୍ମକର୍ତ୍ତାମାନେ ଶପଥ ନେବାପରେ ଅର୍ଥ ହିସାବ କରାଯିବ ବୋଲି ବରିଷ୍ଠ ସଦସ୍ୟମାନେ ମତ ଦେଉଛନ୍ତି ।
