ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ପ୍ରତିହତ କରିବା ନିମନ୍ତେ ଏକ ବହୁ ବିଭାଗୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ ଅଧିକାରୀଙ୍କ ପ୍ରତିନିଧି, ଜଳଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିର କର୍ତୃପକ୍ଷଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ ଆସୁଛି ଗ୍ରୀଷ୍ମକାଳ । ପାଖାପାଖି ମାର୍ଚ୍ଚ-୧୫ ତାରିଖ ପରେ ବଢିବ ତାତି । ଏଥିପାଇଁ ସବୁ ବିଭାଗର ସହଯୋଗରେ ନାଗରିକ ମାନଙ୍କୁ ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଯୋଗାଇବା ସହିତ ଏଥିପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ବୈଠକରେ ପ୍ରକାଶ ପାଇଛି । ବିଭାଗ ଗୁଡିକ କିପରି ସହଯୋଗ କରିବେ, କାର୍ଯ୍ୟସବୁ କେଉଁ ସମୟରେ ହେବ ଏହାର ଏକ ନକ୍ସା ପ୍ରସ୍ତୁତ ହେବବୋଲି କୁହାଯାଇଛି । ତେବେ ଆଲୋଚନାରେ ଜଳଯୋଗାଣ ବିଭାଗ ସମସ୍ତ ବସ୍ତିରେ ବିଶେଷ କରି ଦୁଇଟି ଲେଖାଏଁ ଜଳଭରଣା ଟାଙ୍କି ଯୋଗାଇ ଜଳ ଯୋଗାଇବାକୁ ଅତ୍ୟନ୍ତ ଗୁରୁତ୍ୱ ଦେବା, ସମସ୍ତ ନଳକୂଅ ଗୁଡ଼ିକର ମରାମତି ତୁରନ୍ତ କରାଇବା, ନିଜ ନିଜର ଟୋଲ୍ ଫ୍ରି ନମ୍ବର ଜଣାଇବା, ବି.ଏମ୍.ସି ଅଧିନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର (୨୬ ଗୋଟି) ରେ ଓ ଆର୍ ଏସ୍ ଏବଂ ବଡ଼ ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀସେବା ଓ ସ୍ୱାସ୍ଥ୍ୟ ସେବକମାନେ ମହଜୁଦ ରହିବା ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଇଛି ।
ପାଣିପାଗ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ଲୋକମାନଙ୍କୁ ସୂଚନା ଦେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସୂଚନା ଓ ଯୋଗାଯୋଗ ପାଇଁ ଓ ଏସ୍ ଡ଼ି ଏମ୍ ଏ ତରଫରୁ ଆବଶ୍ୟକୀୟ ପ୍ରଚାରପତ୍ର ଏବଂ ପୋଷ୍ଟର ତଥା ପ୍ରତିଷେଧକ ବାର୍ତା ଯୋଗାଇ ଦିଆଯିବାକୁ କୁହାଯାଇଛି । ସୂଚନାଯୋଗ୍ୟ କି, ଭୁବନେଶ୍ୱରରେ ଅଧିକ ଗ୍ରୀଷ୍ମତାପ ଅନୁଭୂତ ଅଂଚଳ ଗୁଡ଼ିକ ଅଧିନରେ ନେହେରୁ ପଲେଇ, ଇନ୍ ଫୋସିଟି ପଛପାଶ୍ୱର୍ ୱାର୍ଡ଼ ନଂ-୧, ଶ୍ରୀରାମ ନଗର ସ୍ଳମ୍ ୱାର୍ଡ଼ ନଂ-୫, ଜଗନ୍ନାଥ ଆମ୍ବତୋଟା ସ୍ଳମ୍ ୱାର୍ଡ଼ ନଂ-୬, ଶୈଳଶ୍ରୀ ବିହାର, ମହାବୀର ବସ୍ତି ୱାର୍ଡ଼ ନଂ-୭, ମୁଣ୍ଡାସାହି, ରଙ୍ଗମାଟିଆ ଉପର ସାହି ୱାର୍ଡ଼ ନଂ-୯, ଦୁରଦର୍ଶନ କେନ୍ଦ୍ର ୱାର୍ଡ଼ ନଂ-୧୨, ଏକାମ୍ର ଭିଲ୍ଲା ୱାର୍ଡ଼ ନଂ-୧୫, ଘାଟିକିଆ ଗାଁ ୱାର୍ଡ଼ ନଂ-୨୩, ମଙ୍ଗଳା ସ୍ଳମ୍ ୱାର୍ଡ଼ ନଂ-୨୦, ସୁବାସ ନଗର ସ୍ଳମ୍ ୱାର୍ଡ଼ ନଂ-୬୫ ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ ପକ୍ଷରୁ ଚିହ୍ନିତଏହି ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗଣମାଧ୍ୟମ, ପ୍ରଚାର ରଥ, ୱାର୍ଡ଼ କାର୍ଯ୍ୟାଳୟ, ଗୋଷ୍ଠୀ ସଙ୍ଗଠକ ଓ ଗୋଷ୍ଠୀ ସଙ୍ଗଠିକା, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱଚ୍ଛସାଥି, ଆବାସିକ କଲ୍ୟାଣ ସଂଘ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନ ମାଧ୍ୟମରେ ଗ୍ରୀଷ୍ମପ୍ରବାହ ପ୍ରତିଷେଧକ ବ୍ୟବସ୍ଥାର ବାର୍ତା ପ୍ରଚାର କରାଯିବ ଏବଂ ଆବଶ୍ୟକୀୟ ଶିକ୍ଷା ଓ ଯୋଗାଯୋଗ ଉପକରଣ ଓ ଏସ୍ ଡ଼ି ଏମ୍ଏ ଠାରୁ ଅଣାଯିବ ।
ଭୁବନେଶ୍ୱର ମହାନଗର ନିଗମର ପ୍ରାୟ ୪୦ ଟି ୱାଟର୍ ଏଟିଏମ୍ ଥିବାବେଳେ ଗତ ବର୍ଷ ପ୍ରାୟ ୧୩୬ ଟି ଜଳସେବା ଶିବିର ଖୋଲାଯାଇଥିଲା । ଆବଶ୍ୟକତା ଅନୁସାରେ ୱାଟର୍ ଏଟିଏମ୍ ସେବାକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିଷ୍ପତି ନିଆଯାଇଛି । ଜଳସେବା ଶିବିରକୁ ଆହୁରି ବ୍ୟବସ୍ଥିତ କରି ସହଭାଗୀ ଅନୁଷ୍ଠାନର ଗତିବିଧି ଏବଂ କାର୍ଯ୍ୟକାରୀତାକୁ ଧ୍ୟାନ ଦେଇ ଏହି ସେବାରେ ଆବଶ୍ୟକୀୟ ରଣନୀତି ଗ୍ରହଣ କରିବାକୁ କୁହାଯାଇଛି ।
ତେବେ ଅନେକ କ୍ଷେତ୍ରରେ ଖାଦ୍ୟ ପ୍ରଦୁଷଣ ମଧ୍ୟ ଗ୍ରୀଷ୍ମପ୍ରବହେ କାଳରେ ରୋଗଗ୍ରସ୍ତ କରାଇଥାଏ । ବି.ଏମ୍.ସି ପକ୍ଷରୁ ଅଧିକ ସଂଖ୍ୟକ ପେଷାଦାରଙ୍କୁ ଅଣାଯାଇ ବିଭିନ୍ନ ଲସି ଦୋକାନ ଏବଂ ଅନ୍ୟାନ୍ୟ ଖାଦ୍ୟ ଦୋକାନର ନମୂନା ସଂଗ୍ରହ କରାଯିବ । ସୂଚନାଯୋଗ୍ୟ କି, ଭୁବନେଶ୍ୱରରେ ଜଳଯୋଗାଣ ବ୍ୟବସ୍ଥା ଉନ୍ନତ ରହିଥିବା ଜଣାଯାଇଛି । ଭୁବନେଶ୍ୱର ମହାନଗର ନିଗମାଂଚଳରେ ସମୁଦାୟ ୨୯୨୮ ଟି ନଳକୂପ, ୨୮୨ ଟି ପମ୍ପ୍ ହାଉସ୍ ରହିଥିବା ବେଳେ ଅଧିକାଂଶ ବସ୍ତିରେ ଜଳସେବା ନିମନ୍ତେ ୧୬୬୦ ଟି ଜରୁରୀ ପିଇବା ପାଣି ଟାଙ୍କି ଦିଆଯାଇ ନିୟମିତ ଜଳଯୋଗାଣ କରାଯାଉଛି । ଖରାଦିନେ ଏହି ସେବାକୁ ଆହୁରି ତ୍ୱରାନ୍ୱିତ କରାଯିବ ।
ଏହି ବୈଠକରେ ବି.ଏମ୍.ସି ର ସିଟି ଇଞ୍ଜିନିୟର୍ ଦେବସୁନ୍ଦର ମହାପାତ୍ର, ମୁଖ୍ୟ ପୌର ଚିକିତ୍ସାଳୟ ଅଧିକାରୀ ଡ଼. ଗଣେଶ ପ୍ରସାଦ ଦାଶ, ୱାଟ୍କୋ ର ଜେନେରାଲ୍ ମ୍ୟାନେଜର୍ ଗୁରୁଚରଣ ଦାଶ ଏବଂ ଓ ଏସ୍ ଡ଼ି ଏମ୍ଏ ର ମୁଖ୍ୟ ଜେନେରାଲ୍ ମ୍ୟାନେଜର୍ ପ୍ରଦିପ କୁମାର ନାୟକ, ବି.ଏମ୍.ସି ର ଏକ୍ଜ୍ୟୁକିଟିଭ୍ ଇଂଜିନିୟର୍ ପି ଏସ୍ ଏନ୍ ପାତ୍ରୋ ଏବଂ ଅସୀମ ମିଶ୍ର ପ୍ରମୁଖ ରହିଥିବା ବେଳେ ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ଏବଂ ସିଟି ହେଲ୍ଥ ଅଫିସର ଡ଼. ବସନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନାର ପରିଚାଳନା କରିଥିଲେ ।
