ଭୁବନେଶ୍ୱର() ଆଉ ଗୋଟିଏ ଦିନ ପରେ ହୋଲି । ରଙ୍ଗର ପର୍ବ ହୋଲି । ପ୍ରତ୍ୟକ ବର୍ଷ ହୋଲିରେ ରାଜ୍ୟ ଠାରୁ ଆରମ୍ଭ କରି ପୁରା ବିଶ୍ୱରେ ବହୁତ ଧୁମଧାମରେ ହୋଲି ପାଳନ ହୋଇଥାଏ ।
ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟରେ ହୋଲି ପାଳନ ପ୍ରସ୍ତୁତି ମାନ୍ଦା ପଡି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା କରୋନା ସଂପ୍ରତି ମହାମାରୀର ରୂପ ନେଇ ସାରିଛି। କରୋନା ସଂକ୍ରମଣ ଭୟରେ ହୋଲି ପାଳନ ଉତ୍ସବ ପ୍ରସ୍ତୁତି ପ୍ରାୟ ଫିକା ପଡି ଯାଇଛି। ରଙ୍ଗ, ପିଚକାରୀ, ମୁଖା, ଛୋଟ ପିଲାଙ୍କ ଖେଳନା ଚୀନରେ ପ୍ରସ୍ତୁତ ହୋଇ ଭାରତୀୟ ବଜାରକୁ ଆସୁଥିବାରୁ ସେସବୁର ବ୍ୟବହାର ଦ୍ଵାରା କରୋନା ବ୍ୟାପିବାର ଆଶଙ୍କା ରହିଥବାରୁ ଚଳିତ ବର୍ଷ ହୋଲି ଫିକା ହୋଇଯାଇଛି ।
ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଥର ଇ-ହୋଲି ପାଳନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ହୋଲି ଶୁଭେଚ୍ଛା ଜଣାଇବାକୁ ଇ-କାର୍ଡ ପ୍ରସ୍ତୁତି ଚାଲିଛି। ସଂପ୍ରତି ସାମାଜିକ ଗଣମାଧ୍ୟମ ଇ-ମେଲ, ଫେସବୁକ, ହ୍ଵାଟ୍ସଆପ, ଏସଏମଏସଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ଗଣମାଧ୍ୟମ ହୋଲି ପର୍ବର ଶୁଭେଚ୍ଛା ଜଣାଇବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ରଙ୍ଗ ବଦଳରେ ଶୁଭେଚ୍ଛା ବାର୍ତ୍ତା ଦେଇ ହୋଲି ଉତ୍ସବ ପାଳନ କରିବାକୁ ଯୁବ ପିଢି ରୁଚି ରଖିଥିବା ଜଣା ପଡିଛି। ହୋଲି ରଙ୍ଗ ଖେଳର ସେଲଫି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରି ସାଙ୍ଗସାଥୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯୁବ ପିଢି ପ୍ରସ୍ତୁତି ଚଳାଇଛନ୍ତି। ବର୍ତ୍ତମାନ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ଟିକଟକ୍ ଭିଡିଓ ପାଲଟିଛି।
ସେପଟେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ସ୍ଵରାଷ୍ଟ୍ର ମନ୍ତ୍ରୀ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରମୁଖ ସତର୍କତାମୂଳକ ପଦକ୍ଷେପ ଓ ଲୋକଙ୍କୁ ସଚେତନ କରିବା ଆଭିମୁଖ୍ୟ ନେଇ ସେମାନେ ଏଥର ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି।
