Odia News Portal

ଘରୋଇ ବ୍ୟାଙ୍କ୍‍ ପଇସାରେ ସରକାରୀ ଦପ୍ତରର ସୂଚନା ଫଳକ

ଭୁବନେଶ୍ୱର : ଘରୋଇ ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମାକୁ ନେଇ ବାଦ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ କିଛି ସରକାରୀ ବିଭାଗ ଘରୋଇ ବ୍ୟାଙ୍କ୍‍ ସହାୟତାରେ ଯେଭଳି ଫଳକ ଲଗାଇଛନ୍ତି ତାହାକୁ ନେଇ ଏବେ ଅନେକ  ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଏଥିପାଇଁ କିଏ କିଭଳି ଅନୁମତି ଦେଇଛି କିଏ କିଭଳି ଲଗାଇଛି ତାହାର ଏବେ ଖୋଳତାଡ ଆରମ୍ଭ ହୋଇଥିବା ସୂଚନା ମିଳିଛି । ରାଜଧାନୀର ବିଭିନ୍ନ ସରକାରୀ ଦପ୍ତର ସ୧ୁଖରେ ଯେଉଁ ଚକ ଚକିଆ ଫଳକ ଲାଗିଛି ତାହାକୁ ଅନେକ ଘରୋଇ ବ୍ୟାଙ୍କ୍‍ ଯୋଗାଇଛନ୍ତି । ସବୁଠାରୁ ମଜାର କଥା ହେଉଛି ଯେଉଁ ୟେସ୍‍ ବ୍ୟାଙ୍କ୍‍କୁ ନେଇ ସରକାର ନାକେଦମ ହେଉଛନ୍ତି ସେ ବ୍ୟାଙ୍କ୍‍ ବି ଅନେକ ସରକାରୀ ଦପ୍ତର ସ୧ୁଖରେ ନିଜର ଫଳ ଲଗାଇଛି ।
ଫଳକରେ ସରକାରୀ ଦପ୍ତରର ଠିକଣା ଥିବାବେଳେ ତଳେ ରହିଛି ବ୍ୟାଙ୍କ୍‍ର ନାମ ଓ ଚିହ୍ନ । କେବଳ ସରକାରୀ ଦପ୍ତର ନୁହେଁ ରାଜଭବନ ଛକ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବି ଲାଗିଛି ଘରୋଇ ବ୍ୟାଙ୍କ୍‍ର ଫଳ । ତେବେ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କା ବ୍ୟୟରେ ସରକାରୀ କୋଠା ବାଡି ତିଆରି କରୁଥିବାବେଳେ କେଇ ଶହ ଟଙ୍କାର ଫଳକଟିଏ ଲଗାଇବାପାଇଁ କାହିଁକି ଘରୋଇ ବ୍ୟାଙ୍କ୍‍ ଉପରେ ନିର୍ଭର କରୁଛନ୍ତି । ସୂଚନା ଅନୁଯାୟୀ କିଛି ଅଧିକାରୀଙ୍କର ଘରୋଇବ୍ୟାଙ୍କ୍‍ ପ୍ରେମ ଯୋଗୁଁ ଏଭଳି ଅବସ୍ଥା ଉପୁଜିଛି । ଅଫିସରଙ୍କୁ ଖୁସି କରିବାପରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଦପ୍ତର ସ୧ୁଖରେ ନିଜର ଫଳକ ଲଗାଇ ଦେଉଛନ୍ତି । ଫଳରେ ଘରୋଇ ବ୍ୟାଙ୍କ୍‍ର ଭଲ ବିଜ୍ଞାପନ ମାଗଣାରେ ହେଉଛି । ସେତିକି ବିଜ୍ଞାପନ କରିବାପାଇଁ ଏହି ବ୍ୟାଙ୍କ୍‍ ଗୁଡିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତେ । ହେଲେ ତାହା ସମ୍ପୂର୍ଣ୍ଣ ମାଗଣାରେ ହେବାରେ ଲାଗିଛି । ଏବେ ଘରୋଇ ବ୍ୟାଙ୍କ୍‍ରେ ଅର୍ଥ ଜମାକୁ ନେଇ ସରକାର ହରଡଘଣାରେ ପଡିଥିବାବେଳେ ଏହି ଫଳକ ସଂକ୍ରାନ୍ତରେ ଖୋଳତାଡ ଆରମ୍ଭ ହୋଇଛି ।
କେବଳ ରାଜଧାନୀର ବିଭିନ୍ନ ଛକ କିମ୍ବା ସରକାରୀ ଦପ୍ତରରେ ଘରୋଇ ବ୍ୟାଙ୍କ ଗୁଡିକର ମାଗଣାରେ ନିଜର ଫଳକ ମାରିନାହାନ୍ତି, ବିଭିନ୍ନ ଥାନା ଗୁଡିକର ଫଳକ ବି ଘରୋଇ ସଂସ୍ଥାର ଦୟାରେ ତିଆରି ହୋଇଛି । ଏହାକୁ ନେଇ ପୂର୍ବରୁ କିଛିଟା ଆପତ୍ତି ଉଠିଥିଲେ ବି ତାହାକୁ କେହି କର୍ଣ୍ଣପାତ କରୁନଥିଲେ । ଏବେ ଘରୋଇ ବ୍ୟାଙ୍କ୍‍ ବିବାଦ ଦେଖାଦେବାରୁ ଏଭଳି ସହାୟତା ଚର୍ଚ୍ଚାର ଖୋରାକ ଯୋଗାଇଛି । ତେବେ ସରକାର ଏହି ଘଟଣାରେ ଏକ ପ୍ରକାର ହଲପଟା ହେବାପରେ ଏବେ ଘରୋଇ ସଂସ୍ଥାର ଏଭଳି ଅହେତୁକ ସହାୟତାକୁ ନେଇ ତର୍ଜମା ଆରମ୍ଭ ହୋଇଛି । ତେବେ ଏଭଳି ମାଗଣା ଫଳକ ଲଗାଇବା ପାଇଁ କିଏ ଅନୁମତି ଦେଇ କିଛି ଲାଭ ପାଇଛି କି ନାହିଁ ସେ ସଂକ୍ରାନ୍ତରେ ଖବର ସଂଗ୍ରହ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।