Odia News Portal

କରୋନା ଭୟରେ ଗାଁ ମୁହାଁ ରାଜଧାନୀ ବାସୀ

ଭୁବନେଶ୍ୱର : କରୋନାକୁ ନେଇ ସରକାର ଲୋକଙ୍କୁ ସର୍ତକ କରିଚାଲିଥିବାବେଳେ ରାଜଧାନୀର ଅନେକ ଲୋକ ଏବେ ଗାଁ ମୁହାଁ ହୋଇଛନ୍ତି । ରାଜଧାନୀ ଛାଡି ଗାଁ ପଳାଉଥିବା ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗାଁକୁ ଯିବାପାଇଁ ଲୋକେ ବ୍ୟାକୁଳ ହେଉଥିବାବେଳେ ଯେଉଁମାନେ ଗାଁକୁ ଯାଇଛନ୍ତି ସେମାନେ ଫେରିବାକୁ ଆଉ ମଙ୍ଗୁ ନାହାନ୍ତି । ଫଳରେ ରାଜଧାନୀର ରାସ୍ତାଘାଟ ଧିରେ ଧିରେ ଖାଁ ଖାଁ ହେବା ସହିତ ଦୋକାନ ବଜାର ବି ଖାଲି ପଡିଲାଣି । କରୋନାକୁ ନେଇ ଲୋକେ ସତର୍କ ହେଉଥିବାବେଳେ ରାଜଧାନୀରେ ପ୍ରଥମ କରୋନା ରୋଗୀ ଠାବ ହେବା ଲୋକଙ୍କୁ ସମସ୍ୟାରେ ପକାଇଛି । ଏହି ଭୂତାଣୁ ବିଭିନ୍ନ ମାଧ୍ୟମରେ ଲୋକଙ୍କ ଶରୀରରେ ପ୍ରବେଶ କରୁଥିବାବେଳେ ଏଥିରୁ ବଞ୍ଚିବାପାଇଁ ଲୋକେ ଗାଁକୁ ପଳାଉଛନ୍ତି । ପ୍ରତିଦିନ ସକାଳ ହେଲେ ବଭିନ୍ନ ବସ୍‍ଷ୍ଟାଣ୍ଡରେ ଭିଡ ପରିଲକ୍ଷିତ ହେଉଛି ।
ତେବେ ବହୁ ସଂଖ୍ୟାରେ ଲୋକେ ଗାଁକୁ ପଳାଉଥିବାବେଳେ ଆଉ ଯେଉଁମାନେ ରାଜଧାନୀରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଭୟରେ ଘରୁ ବାହାରୁ ନାହାନ୍ତି । ଫଳରେ ଧିରେ ଧିରେ ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ୟ ପାଲଟିବାରେ ଲାଗିଛି । ଗତ ଦୁଇଦିନ ଧରି କିଛି ଲୋକ ନିଜ ନିଜ ଆବଶ୍ୟକତା ଠାରୁ ଢେର ଅଧିକ ସାମଗ୍ରୀ ଖରିଦ କରିବାଯୋଗୁଁ ବହୁ ଦୋକାନାରେ ବି ସାମଗ୍ରୀ ଶେଷ ହୋଇଯାଇଛି । ଅଳ୍ପ କିଛି ସାମଗ୍ରୀ ବିକ୍ରିପରେ ଦୋକାନୀମାନେ ବାଧ୍ୟହୋଇ ବନ୍ଦ ବେପାର ବନ୍ଦ କରିବେବୋଲି ମତ ଦେଉଛନ୍ତି । ସେମାନଙ୍କ ମତରେ ଲୋକେ ଏତେ ପରିମାଣରେ ସାମଗ୍ରୀ ଉଠାଇଛନ୍ତି ଯେ ମାସେ ପର୍ଯ୍ୟନ୍ତ
ସେମାନଙ୍କୁ ଆଉ ବଜାରକୁ ଆସିବାକୁ ପଡିବାନାହିଁ ।
ବିଶେଷକରି ତେଜେରାତି ସାମଗ୍ରୀକୁ ଲୋକେ ଅଧିକ ପରିମାଣରେ ଖରିଦ କରିନେଇଛନ୍ତି । ସେହିଭଳି ରାଜଧାନୀର ଅନେକ ଲୋକ ବାହାରକୁ ପଳାଉଥିବାରୁ ବି ସେଭଳି ବେପାର ହେବାର ନାହିଁ । ତେଣୁ ଲୋକଙ୍କ ଗହଳିରେ ରହିବା ଅପେକ୍ଷା ଦୋକାନ ବନ୍ଦ କରିଦେବା ବରଂ ଭଲ ବୋଲି କିଛି କହୁଛନ୍ତି । ଅନ୍ୟ ପଟେ ସାମଗ୍ରୀ ଖରିଦ ଉପରେ କିଛି କଟକଣା ନଥିବାରୁ ବଜାରରୁ ପ୍ରଥମେ ମାସ୍କ ଓ ସାନିଟାଇଜର ଏବେ ଏବେ ହ୍ୟାଣ୍ଡୱାସ ଲିକ୍ୟୁଡି ଉଭାନ ହେବାରେ ଲାଗିଛି । ଯେଉଁଠି ଲୋକେ ପାଉଛନ୍ତି ପୁଳାଏ କରି କିଣି ପକାଉଛନ୍ତି । କମ୍ପାନୀମାନେ ସେହି ଅନୁପାତରେ ଯୋଗାଇ ପାରୁନାହାନ୍ତି ।
ତେଣୁ ଅତି ଜରୁରୀ ସାମଗ୍ରୀ ବଜାରରେ ଉପଲ୨ ହେଉନଥିବାରୁ ଲୋକେ ବଜାରକୁ ଆସିବା ବଦଳରେ ଘରେ ରହିବାକୁ ଉଚିତ୍‍ ମଣୁଛନ୍ତି । ଦିନ ମଜୁରିଆ, ମିସ୍ତ୍ରୀ, ଘରେ କାମ କରୁଥିବା ଲୋକମାନେ ଦଳ ଦଳ ହୋଇ ରାଜଧାନୀ ଛାଡୁଥିବାରୁ ଅନେକ ଲୋକେ ବି ହଇରାଣ ହରକତ ହେବା ଆରମ୍ଭ କଲେଣି । ତେଣୁ ସ୍ଥିତି ଅଧିକ ବିଗିଡିବା ପୂର୍ବରୁ ଏବେ ରାଜଧାନୀ ଛାଡୁଥିବା ଲୋକଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଇ ଏଠାରେ ରୋକିବାକୁ ମତ ପ୍ରକାଶ ପାଉଛି । ନହେଲେ କରୋନା ପ୍ରଭାବରେ ପ୍ରଥମେ ରାଜଧାନୀ ବଜାରରେ ବେପାର ବୁଡିଯିବ ବୋଲି କିଛି ବ୍ୟବସାୟୀ ମତ ଦେଉଛନ୍ତି ।