ଲକ୍ ଡାଉନ୍ ପାଇଁ ଅତ୍ୟାବଶ୍ୟକ ଜିନିଷ ପହଞ୍ଚି ପାରୁନି। ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧ୍ୟାନ ଆକର୍ଷଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଲକ୍ ଡାଉନକୁ ଓଡ଼ିଶାରେ କଡ଼ାକଡ଼ି କରାଯାଇଛି। କିନ୍ତୁ ଲକ୍ ଡାଉନ୍ ଯୋଗୁଁ ରାଜ୍ୟ ସୀମାରେ ମାଲ ପଡ଼ି ରହିଛି। ମାଲ ଗାଡ଼ି ଗୁଡ଼ିକ କିଲୋମିଟର କିଲୋମିଟର ବ୍ୟାପୀ ଛିଡା ହୋଇ ରହିଛନ୍ତି। ଫଳରେ ଆନ୍ତଃରାଜ୍ୟ ମାଲ୍ ପରିବହନ ବର୍ତ୍ତମାନ ପାଇଁ ସବୁଠୁ ବଡ ଆହ୍ଵାନ ହୋଇଛି।
ଅତି ଜରୁରୀ ଏବଂ ଜରୁରୀ ନଥିବା ଜିନିଷ ଭିତରେ ଫରକ୍ ଦେଖୁଥିବାରୁ ଜରୁରୀ ଜିନିଷ ପହଞ୍ଚି ପାରୁ ନାହିଁ। ବର୍ତ୍ତମାନ ସମୟରେ ଏହାର ତାଲିକା କରିବା ମଧ୍ୟ ସହଜ ବ୍ୟାପାର ନୁହେଁ। କଟକଣା ଯୋଗୁଁ ଜରୁରୀ ଜିନିଷ ପହଞ୍ଚିବା ପ୍ରଭାବିତ ହେଉଛି। ତେଣୁ ସାରା ଦେଶରେ ମାଲ ପରିବହନକୁ କୋହଳ କରିବା ଦିଗରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।