ନୂଆଦିଲ୍ଲୀ : ସାଇବର ଅପରାଧୀମାନେ ଏହି ଠକେଇ ବ୍ୟବସାୟରେ କରୋନା ଭାଇରସକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ଗତ ୨୦ ଦିନ ମଧ୍ୟରେ ୨୩୦୦ରୁ ଅଧିକ ୱେବସାଇଟ୍ ପଞ୍ଜିକୃତ ହୋଇଛି। ଯାହାର ଡୋମେନରେ ପଞ୍ଜୀକରଣ କୋଭିଡ-୧୯ ଏବଂ କରୋନା ପରି ସମାନ ନାମରେ କରାଯାଇଛ । ତାଜା ସୂଚନା ଅନୁଯାୟୀ, ଜାନୁଆରୀ ୧ ତାରିଖରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ କରୋନା ଭୂତାଣୁ ସମ୍ବନ୍ଧରେ ଗୁଗୁଲର ସର୍ଚ୍ଚ ଟ୍ରେଣ୍ଡ ୧୦୦ ଗୁଣରୁ ଅଧିକ ବୃଦ୍ଧି ପାଇଛି।
ମାର୍ଚ୍ଚ ପ୍ରଥମ ସପ୍ତାହରେ ଇସ୍ରାଏଲର ସାଇବର ଏଜେନ୍ସି ଚେକ୍ ପଏଣ୍ଟ ଏକ ରିପୋର୍ଟରେ ଏନେଇ ସୂଚନା ଦେଇଛନ୍ତି । ଭାରତର ଆଇଟି ମନ୍ତ୍ରଣାଳୟର କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଏକ ସତର୍କ ସୂଚନା ଜାରି କରିଛନ୍ତି। ଏହି ଆଲର୍ଟରେ କୁହାଯାଇଛି ଯେ ଜାଲିଆତି କରୁଥିବା ୱେବସାଇଟ୍ ମାଧ୍ୟମରେ ଗୁପ୍ତ ତଥ୍ୟ ଚୋରି ହେଉଛି। ସନ୍ଦେହଜନକ ଇ-ମେଲଗୁଡିକ ଉପରେ କ୍ଲିକ୍ ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ୱେବସାଇଟରେ ଆକର୍ଷଣୀୟ ବିଜ୍ଞାପନ ଖୋଲନ୍ତୁ ନାହିଁ । ନିଜ କମ୍ପ୍ୟୁଟରର ରିମୋଟ ଆକ୍ସେସ୍ କାହାକୁ ଦିଅନ୍ତୁ ନାହିଁ । ନଚେତ୍ ଆପଣ ଠକାମୀର ଶିକାର ହୋଇପାରନ୍ତି ।