Odia News Portal

ଆଜିଠୁ ସାରା ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର : ଆଗକୁ ସାରା ରାଜ୍ୟରେ ତାତି ବଢ଼ିବ । ଏପ୍ରିଲ ପହିଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଟପିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

ଗତ ଦୁଇ ଦିନ ହେବ ରାଜ୍ୟର ସବୁ ସ୍ଥାନରେ ତାପମାତ୍ରା ବଢ଼ିଛି । ଆଗକୁ ତାପମାତ୍ରା ଆହୁରି ହୁ ହୁ ହୋଇ ବଢ଼ିବ । ଏପ୍ରିଲ ପହଲା ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ଂ ସେଲସିୟସରୁ ୪୧ଂ ସେଲସିୟସ୍‌ରୁ ଅଧିକ ରହିବ । ଆସନ୍ତାକାଲି(ଶୁକ୍ରବାର)ଠୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ମୁଣ୍ଡ ଫଟା ଖରା ହେବ । ଆଦ୍ରତା କମ ରହିବ । ବାୟୁ ଚଳନ ବି କମିବ । ସମଗ୍ର ରାଜ୍ୟରେ ଗରମ ବଢ଼ିବ । ଚଳିତ ମାସ ୩୦ ଓ ୩୧ ତାରିଖ ରାଜ୍ୟର କେତେକ ସ୍ଥାନରେ ଉପରବେଳା କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ହେଲେ ମଧ୍ୟ ଗରମରୁ ନିସ୍ତାର ନାହିଁ । ତା’ ପରଦିନଠାରୁ ପୁଣି ଗରମ ବଢ଼ିବ ବୋଲି କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଅପରପକ୍ଷେ ସେ ଆଶଙ୍କା କରିଛନ୍ତି ଯେ, ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ସର୍ବାଧିକ ତାପମାତ୍ରା ୨୮ ତାରିଖ ବେଳକୁ ୩୮ରୁ ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିବ । ୩୧ ବେଳକୁ ୪୦ଂ ସେଲସିୟସ୍‌ ସ୍ପର୍ଶ କରିବ । ଏପ୍ରିଲ ୨ରେ ୪୧ଂ ସେଲସିୟସ୍‌ ରହିବ । ୩ରେ ସାମାନ୍ୟ କମିବ । ରାତିର ସର୍ବନିମ୍ନ ତାପମାତ୍ରା ୨୮ରୁ ୩୦ଂସେଲସିୟସ୍‌ ଭିତରେ ରହିବ । ପରେ ୨ଂ ସେଲସିୟସ୍‌ ବଢ଼ିବ । ତାପରେ ପାଗ ଅପରିବର୍ତ୍ତିତ ରହିବ । ସେହିପରି ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାରେ ୩୧ ତାରିଖ ସର୍ବୋଚ୍ଚ ତାପମାତ୍ରା ୪୦ଂ ସେଲସିୟସ୍‌ ଟପିପାରେ । ୨ ତାରିଖ ବେଳକୁ ୪୧.୫ଂସେଲସିୟସ୍‌ ସ୍ପର୍ଶ କରିବ। ୫ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା, ଝାରସୁଗୁଡା ସମେତ ପଶ୍ଚିମ ଓଡ଼ିଶା ଅପେକ୍ଷାକୃତ ଅଧିକ ଗରମ ରହିବ । ୨୯ ପର୍ଯ୍ୟନ୍ତ ୨ରୁ ୩ଂ ସେଲସିୟସ୍‌ ବଢ଼ିବା ସହିତ ପରବର୍ତ୍ତୀ ୪ଦିନ ୩ଂ ସେଲସିୟସ୍‌ ବଢ଼ିବ । ଏପ୍ରିଲ ୨ ବେଳକୁ ସର୍ବୋଚ୍ଚ ତାପମାତ୍ରା ୪୨ଂ ସେଲସିୟସ୍‌ ଛୁଇଁବ । ୩ରେ ୪୨ ଟପିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଗୁରୁବାର ବଲାଙ୍ଗୀର ଓ ସୋନପୁରର ସର୍ବାଧିକ ତାପମାତ୍ରା ୩୮ଂ ସେଲସିୟସ୍‌ ଛୁଇଁଥିଲା । ସେହିପରି ଅନୁଗୁଳରେ ୩୭.୭ଂସେଲସିୟସ୍‌ ଥିବା ବେଳେ ବୌଦ୍ଧ ଓ ଟିଟିଲାଗଡ଼ରେ ୩୭.୫ଂ ସେଲସିୟସ୍‌ ରହିଥିଲା । ବାରିପଦା ଓ ନୟାଗଡ଼ରେ ୩୭ଂ ସେଲସିୟସ୍‌ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି । ତେବେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୫ଂ ସେଲସିୟସ୍‌ ଟପିଥିଲା ।