Odia News Portal

ନିଶା ବେପାରୀଙ୍କ ପାଇଁ କରୋନା ଆଣିଛି ପୁଷମାସ

ଭୁବନେଶ୍ୱର : କରୋନା ମାଡରେ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ନିଶାବେପାରୀଙ୍କ ପାଇଁ କିନ୍ତୁ ଏହି ମହାମାରୀ ପୁଷମାସ ଆଣି ଦେଇଛି । ଗୁଟ୍‍ଖା ହେଉ କି ମଦ ଅଥବା ଗଞ୍ଜେଇ ସବୁକିଛି ତିନି ଚାରିଗୁଣା ଦରରେ ଉପଲବ୍ଧ । ନିଶାଡିମାନେ ବି କିଣିବାରେ ଲାଗିଛନ୍ତି । ଲକ୍‍ ଡାଉନ୍‍ ଘୋଷଣା ହେବା ପରଠାରୁ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ଏବେ ମଦ ଦୋକାନ ବନ୍ଦ । ହେଲେ ଚୋରା ମଦ ସହିତ ବେପାରୀମାନେ ପ୍ରତିଦିନ ଧରାପଡୁଛନ୍ତି । ଏ ମଦ କେଉଁଠୁ ଆସୁଛି ତାହା କେହି କହିପାରୁ ନାହାନ୍ତି । ରାଜଧାନୀରେ ଏବେ ମଦ ଦୁର୍ମୁଲ୍ୟ । ଶହେ ଟଙ୍କା ମଦ ବୋତଲ ଏବେ ୪୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି । ୬୦୦ରୁ ୧୦୦୦ ଟଙ୍କାରେ ମିଳୁଥିବା ମଦର ଦର ୫୦୦୦ ଟଙ୍କା ଟଙ୍କା । ଫୋନ୍‍ କଲେ ଲୋକେ ନେଇ ଘରେ ପହଞ୍ଚାଇ ଦେଉଛନ୍ତି । ଯେଉଁମାନେ ଏତେ ଦର ଦେଇ ମଦ କିଣିପାରୁ ନାହାନ୍ତି ସେମାନଙ୍କ ପାଇଁ ପାଉଚ୍‍ ମଦ ବି ବେପାରୀମାନେ ଉପଲବ୍ଧ କରିଛନ୍ତି ।

ସହରର ବସ୍ତି ଗୁଡିକ ଏବେ ଚୋରାମଦ ବେପାରୀ ଓ ମଦୁଆଙ୍କ ଆଡ୍ଡାସ୍ଥଳ ପାଲଟିଛି । ସରକାର ଏବେ ଆଗୁଆ ୪ମାସର ଭତ୍ତା, ନିର୍ମାଣ ଶ୍ରମିକ ଭତ୍ତା ସାଙ୍ଗକୁ ଖାଦ୍ୟ ସୁରକ୍ଷା ହତାଧିକାରୀଙ୍କୁ ଆଗୁଆ ତିନିମାସର ରାସନ ଓ ୧୦୦୦ ଟଙ୍କାକରି ଦେଉଛନ୍ତି । ଲୋକଙ୍କ ହାତରେ ଏବେ ପଇସା ଥିବାରୁ ମଦବେପାରୀମାନେ ତାକୁ ନେବାପାଇଁ ପୂରା ଯୋଜନା କରିଛନ୍ତି । ଲୋକେ ବି ରାସନ ଚାଉଳ ଗହମ ବିକି ମଦ ପିଇବା ଆରମ୍ଭ କଲେଣି । କେବଳ ମଦ ନୁହେଁ ଚୋରା ଗଞ୍ଜେଇ ଦର ବି ୩/୪ ଗୁଣା ହୋଇଯାଇଛି । ଗଞ୍ଜେଇ ବେପାରୀମାନେ ସାଇକେଲରେ ପୁଡିଆ ଧରି ସହର ସାରା ବୁଲୁଛନ୍ତି । ଏଥି ସହିତ ଗୁଟ୍‍ଖା, ସିଗାରେଟ ଆଦିର ବି ବ୍ୟାପକ କଳାବଜାର ଚାଲିଛି । ୫ଟଙ୍କାରେ ମିଳୁଥିବା ଗୁଟ୍‍ଖାର ଦାମ ଏବେ ୧୨ ଟଙ୍କା । ସିଗାରେଟ ଗୋଟିକୁ ଅତି କମ୍‍ରେ ୨୦ ଟଙ୍କାରେ ବିକ୍ରି ହେଉଛି । ସହରରେ କିଛି ଲୋକ ଏବେ ଏଭଳି ଚୋରା ନିଶାକାରବାରକୁ ଜୋରଦାର କରିଥିବାବେଳେ ଗାଡି ଚାଳକଙ୍କୁ ଗୋଡାଉଥିବା ପୁଲିସ୍‍ ସେମାନଙ୍କ ପ୍ରତି ଦୃଷ୍ଟି ଦେଉନାହିଁ । ଇତି ମଧ୍ୟରେ ରାଜଧାନୀ ଆଖପାଖରୁ ଚୋରା ନିଶାବେପାରୀମାନେ ବିଭିନ୍ନ ବାହାନା କରି ସହରକୁ ଆସି ସେମାନଙ୍କର କାରବାର ଚଳାଇଛନ୍ତି ।

 

ଏଥି ସହିତ ସହରରେ ଥିବା କିଛି ମଦ ଦୋକାନୀ ବି ଦୋକାନ ପଛଦ୍ୱାର ଦେଇ ନିଶା ବେପାରୀଙ୍କ ସୁବିଧା ଦେଖି କାରବାର ଚଳାଇଛନ୍ତି । ୠଳ୍‍ ଡାଉନ୍‍ ହେବାର ମାସକ ପରେ ବି ସହରରେ ଯେଭଳି ଚଢା ଦରରେ ନିଶା ସାମଗ୍ରୀ ବିକ୍ରି ଚାଲିଛି ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁ କିଛି ବନ୍ଦ ଥିବାବେଳେ ନିଶାବେପାରୀଙ୍କ ଗାଡି କିଭଳି ଗଡୁଛି ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ।