କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ନିକଟବର୍ତ୍ତୀ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଲେପ୍ରସି କଲୋନୀ କୁହାଯାଉଥିବା ଡିପଲ ନଗର ବାସୀଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି । କୁକୁଡ଼ାଖଣ୍ଡି ଠାରୁ ମାହୁରୀ କାଳୁଆ ରାସ୍ତାରେ ଥିବା ଏହି କଲୋନୀରେ ବସବାସ କରୁଛନ୍ତି ପ୍ରାୟ ୪୦ ପରିବାର । ସେମାନଙ୍କ ମୁଖ୍ୟ ବୃତ୍ତି କହିଲେ ବିଶେଷକରି ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳୁଛି । କରୋନା ଭୁତାଣୁର ଭୟାଭୟତା କାରଣରୁ ସାରା ଦେଶ ଏକ ମାସରୁ ଅଧିକ ସମୟ ହେବ ଲକଡାଉନ ଥିବା ବେଳେ ଏମାନଙ୍କ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇଯାଇଛି ।
ଉକ୍ତ କଲୋନିରୁ ପଞ୍ଚାୟତ ଦୂରତା ପ୍ରାୟ ୫ କିମିରୁ ଅଧିକ ହୋଇଥିବା ବେଳେ ଯେ କୌଣସି ସରକାରୀ ଯୋଜନା ପାଇବା ପାଇଁ ସେମାନଙ୍କୁ ଚାଲି ଚାଲି ଯିବାକୁ ପଡିଥାଏ । ବର୍ତ୍ତମାନ ଲକ ଡାଉନ ପରେ ସେମାନଙ୍କୁ ମାଗଣା ଚାଉଳ ସହ ୧ ହଜାର ଟଙ୍କା ସହାୟତା ରାଶି ମିଳିଛି । କିନ୍ତୁ ଗରିବ ଶ୍ରେଣୀର ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାରୀ ନିୟମ କରିଥିବା ବେଳେ ବର୍ତ୍ତମାନ ସେମାନଙ୍କ ନିକଟରେ ଏହି ରନ୍ଧା ଖାଦ୍ୟ ପହଞ୍ଚିନଥିବା ନେଇ କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି । ଯଦି ରନ୍ଧା ଖାଦ୍ୟ ଦରକାର ତେବେ ଆଙ୍କୁଶପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନେବା ପାଇଁ ସରପଞ୍ଚ କହୁଛନ୍ତି ।
କିନ୍ତୁ ଆମେ ଭିନ୍ନକ୍ଷମ ହୋଇଥିବାରୁ ଏତେ ଦୂର ଯାଇ ଖାଦ୍ୟ ଆଣିବା ଆମ ପକ୍ଷେ ସମ୍ଭବ ନୁହେଁ । ଏ ବାବଦରେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ରଙ୍କ କହିବା କଥା ସେମାନଙ୍କୁ ସରକାରଙ୍କ ତରଫରୁ ଚାରି ମାସର ଭତା ସହ ରାସନ କାର୍ଡ ପିଛା ୧ ହଜାର ଟଙ୍କା ଏବଂ ମାଗଣା ଚାଉଳ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଡାଲି ଯଦି ଆସେ ତାହେଲେ ଆମେ ସେମାନଙ୍କୁ ପ୍ରଦାନ କରିବୁ । ତେବେ ଏହି ସମୟରେ ଭିକ୍ଷାବୃତ୍ତିକୁ ଆପଣେଇବା ସହ ଜୀବନ ବଞ୍ଚିବାର ଆଶା ଧୀରେ ଧୀରେ ମଉଳି ଯାଉଥିବା କହିଛନ୍ତି ।