Odia News Portal

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ତାଲା ପକାଇବା ଘଟଣା : ଡ୍ରାଇଭର ଓ ଗାଡି ମାଲିକ ଗିରଫ

ସମ୍ବଲପୁର : ବୁର୍ଲାରେ ଆମ୍ବୁଲାନ୍ସ ଭିତରେ ରୋଗୀ, ରୋଗୀର ସ୍ତ୍ରୀ ଓ ତାର ୪ ବର୍ଷର ଛୋଟ ଛୁଆକୁ ରାତିସାରା ବନ୍ଦ ଘଟଣାରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଗିରଫ । ଗାଡି ମାଲିକ ଛୋଟଲାଲ ପ୍ରସାଦ ଓ ଡ୍ରାଇଭର ପ୍ରଦୀପ ପଟ୍ଟନାୟକକୁ ଗିରଫ କରି ବୁର୍ଲା ପୋଲିସ କୋର୍ଟ ଚାଲାଣ କରିଛି । ଗତକାଲି ଆମ୍ବୁଲାନ୍ସକୁ ପୋଲିସ ଜବତ କରିଥିଲା ।

ଜବତ ହୋଇଥିବା ଆମ୍ବୁଲାନ୍ସ ନମ୍ବର ହେଉଛି ଓଡି ୧୫ ୦୨୨୩ । ସୂଚନା ଅନୁସାରେ ଗତ ୨ ତାରିଖ ଦିନ ନୂଆପଡାର ଡଗରେଶ୍ବର ମାଝୀ ନାମକ ଜଣେ ରୋଗୀ ଏକ ବେସରକାରୀ ଆମ୍ବୁଲାନ୍ସ ଭଡା କରି ବୁର୍ଲାରୁ ନୂଆପଡା ଯାଇଥିଲେ । ସାଙ୍ଗରେ ତାଙ୍କର ୪ ବର୍ଷର ଛୋଟ ଶିଶୁ ପୁତ୍ର ଓ ସ୍ତ୍ରୀ ଥିଲେ ।

ନୂଆପଡା ପହଂଚିଲା ପରେ ଆମ୍ବୁଲାନ୍ସ ଡ୍ରାଇଭରକୁ ସବୁ ପଇସା ଦେଇନପାରିବାରୁ ସେ ପୁଣି ତାଙ୍କୁ ଗାଡିରେ ଲକ୍ କରି ୩୦୦ କିମି ବୁର୍ଲା ଫେରାଇ ଆଣିଥିଲେ । ଏପରିକି ରାତି ସାରା ଆମ୍ବୁଲାନ୍ସ ଗାଡିରେ ସମସ୍ତଙ୍କୁ ବନ୍ଦ କରି ଘରକୁ ପଳାଇଥିଲେ । ରାତିରେ ଡଗରେଶ୍ବର ନିଜର ସ୍ତ୍ରୀ ଓ ଛୋଟ ଛୁଆକୁ ଧରି ରାତି ସାରା ଆମ୍ବୁଲାନ୍ସରେ ଭୋକ ଉପାସରେ ରାତି କାଟିଲେ ।
ସକାଳୁ କିଛି ଲୋକ ଡଗରଶ୍ବରକୁ ଉଦ୍ଧାର କରିଥିଲେ । ଏ ଘଟଣା ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।