Odia News Portal

ସରକାରଙ୍କୁ ଘେରିଵାକୁ ଵିରୋଧିଙ୍କ ଉଦ୍ୟମ ଫେଲ୍

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଫଳ କରୋନା ମୁକାବିଲା ପାଇଁ ରାଜ୍ୟରେ ଗୋଷ୍ଠି ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଥିଲାବେଳେ କରୋନାକୁ ଢାଲ କରି ସରାକରଙ୍କୁ ଘେରିବାପାଇଁ ବିରୋଧିଦଳ ଚଳାଇଥିବା ଉଦ୍ୟମ ବି ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଉନାହିଁ । ପ୍ରବାସୀଙ୍କୁ ରେଳ ଟିକଟ ପଇସା ଦେବା ହେଉ କିମ୍ବା କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ବିରୋଧି ଯେତେ ଗଳାଫଟାଇ ଚିତ୍କାର କଲେ ବି ତାହା ଦାନା ଧରୁନାହିଁ । ଓଲଟା ବିରୋଧିଙ୍କ କାର୍ଯ୍ୟ ଦେଖି ବିଭିନ୍ନ ସ୍ଥାନରେ ଲୋକେ ତାତିଲେଣି ।

ପ୍ରବାସୀଙ୍କୁ ସଫଳତାର ସହ ଓଡିଶା ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପ୍ରରେ ପୂରା ରାଜ୍ୟ ପ୍ରଶାସନ ଏଥିପାଇଁ ଲାଗି ପଡିଛନ୍ତି । ଏହାକୁ ଦେଖି ସରକାରଙ୍କୁ ଘେରିବାପାଇଁ ଜାତୀୟ କଂଗ୍ରେସର ଆହ୍ୱାନରେ ରାଜ୍ୟ କଂଗ୍ରେସ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ରେଳଭଡା ଦେବ ବୋଲି ଘୋଷଣା କଲା । ତେବେ ରେଳ ଭଡା କିଭଳି ଦିଆଯିବ, କାହାକୁ କେଉଁଠାରେ ଦିଆଯିବ ତାହାର କିଛି ରୂପରେଖ ପ୍ରସ୍ତୁତ ନକରି ଦଳ ଘୋଷଣା କରିଦେଲା । ଏପରିକି ରାଜ୍ୟ ସରକାରଙ୍କୁ ପ୍ରବାସୀଙ୍କ ତାଲିକା ମାଗିବାକୁ ବି ପଛାଇଲା ନାହିଁ । ଜଣେ ହେଲେ କେହି ପ୍ରବାସୀ ରେଳଭଡା ନେବାପାଇଁ ଆଗ୍ରହ ଦେଖାଇଲେ ନାହିଁ କି କଂଗ୍ରେସ ବି ଜଣଙ୍କ ଘରେ ପହଞ୍ଚି ଭଡା ଅର୍ଥ ଦେଲା ନାହିଁ ।

କଂଗ୍ରେସର ଏଭଳି ଆଚରଣ ଚାଲିଥିବାବେଳେ ବିରୋଧିଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଆପତ୍ତି ଉଠାଇଲେ । ଏପରିକି କେତେକ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଲୋକେ ଦିନରେ ଖାଇବା ପରେ ରାତି ଯାଇ ଘରେ ଶୋଉଥିବା ଅଭିଯୋଗ ଆଣିଲେ । ତେବେ ଅନୁଧ୍ୟାନରୁ ସେଭଳି କିଛି ଘଟିନଥିବା ଜଣାପଡିଥିଲା । ଏହାପରେ ବିଜେପି ଏହି ଘଟଣାରେ ନିରବି ଗଲା । ଏହାପରେ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ଦଳର କିଛି ନେତା ବି ସରକାରଙ୍କୁ ଘେରିବାପାଇଁ ପ୍ରୟାସ ଆରମ୍ଭ କରିଥିଲେ । ହେଲେ ତାହା ଫଳବତୀ ହୋଇପାରିଲା ନାହିଁ । ଅନ୍ୟ ପକ୍ଷରେ ବିରୋଧିଦଳର ଏଭଳି ଆଚରଣକୁ ରାଜ୍ୟବାସୀ ସହଜରେ ହଜମ କରିପାରୁ ନାହାନ୍ତି । କରୋନା ଭଳି ମହାମାରୀ ସମୟରେ ସରକାରଙ୍କୁ ସବୁ ପ୍ରକାର ସହାୟତା ଦେବା ବଦଳରେ ବିରୋଧି କରିବା ଠିକ୍‍ ନୁହେଁ ବୋଲି ଅନେକ ମତ ଦେଉଛନ୍ତି ।

ରାଜ୍ୟର ପ୍ରଶାସନକଳ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ଭଲ ମନ୍ଦ ବୁଝିବା ସହିତ ଗାଡିରେ ଆଣି ଘରେ ପହଞ୍ଚାଇବାର ବ୍ୟବସ୍ଥା କରୁଥିବାବେଳେ ବିରୋଧିଦଳ କେବଳ ଭିଡିଓ କିମ୍ବା ପ୍ରେସ୍‍ ବିବୃତ୍ତି ଜାରି କରୁଥିବାରୁ ଲୋକେ ତାହାକୁ ଗ୍ରହଣ କରୁନାହାନ୍ତି । ଲୋକେ ଯଦି କ୍ୱାରେଣ୍ଟାଇନ୍‍ କେନ୍ଦ୍ର ଛାଡି ରାତିରେ ଘରକୁ ପଳାଉଛନ୍ତି ତେବେ ସେହି ଅଞ୍ଚଳରେ ଥିବା ବିଜେପିର କର୍ମୀ ଓ ନେତାମାନେ କ’ଣ କରୁଛନ୍ତି ବୋଲି ଓଲଟା ସାଧାରଣରେ ପ୍ରଶ୍ନ ହେଲାଣି ।

ସରକାରଙ୍କୁ… ସେହିଭଳି ପ୍ରତି ଗାଁରେ ନିଜର କର୍ମୀ ଥିବା ଦାବି କରୁଥିବା ପୁରାତନ ଦଳ କଂଗ୍ରେସ କାହିଁକି ଗାଁ ଗାଁରେ ପ୍ରବାସୀଙ୍କୁ ଖୋଜି ଟଙ୍କା ବାଣ୍ଟୁନାହିଁ ବୋଲି ଲୋକେ ପଚାରୁଛନ୍ତି । ବିରୋଧିଦଳ ଦଳ କେବଳ ବିରୋଧ ପାଇଁ ଏଭଳି ଆଚରଣ ପ୍ରଦର୍ଶନ କରିବେ ତେବେ ମହାମାରୀ ଯାଉ କି ନଯାଇ ଲୋକେ ପୁଣିଥରେ ବିରୋଧିଙ୍କୁ ନିଜ ଅଞ୍ଚଳରୁ ବିଦା କରିବେ ବୋଲି ଅନେକ ମତ ଦେଉଛନ୍ତି ।