ଭୁବନେଶ୍ୱର : ଆଜି ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଭାରତୀୟ ପାଣିପାଗ କର୍ଯ୍ୟାଳୟର ସୂଚନା ଅନୁସାରେ ଘନିଭୂତ ହେଉଥିବା ଲଘୁଚାପ ଅମ୍ପନ୍ ପାଇଁ ପ୍ରସ୍ତୁତି ବାବଦରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅମ୍ପନ୍ ପ୍ରସ୍ତୁତି ବୈଠକରେ ରାଜ୍ୟପାହ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା (ବିଜ୍ଞାନ ଓ କାରୀଗରୀ କୌଶଳ,ସାଧାରଣ ଉଦ୍ୟୋଗ ଓ ଭିନ୍ନକ୍ଷମ ସଶକ୍ତିକରଣ ), ଅନନ୍ତ ନାରାୟଣ ଜେନା (ବିଧାୟକ ଭୁବନେଶ୍ୱର ମଧ୍ୟ), ସୁଶାନ୍ତ କୁମାର ରାଉତ (ବିଧାୟକ ଭୁବନେଶ୍ୱର ଉତର) ଏବଂ ବି ଏମ୍ ଓିର କମିଶନର ପ୍ରେମ୍ ଚନ୍ଦ୍ର ଚୌଧରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଓଡ଼ିଶାର ଉପକୂଳରେ ଉତର ଦିଗକୁ ଘନୀଭୂତ ହୋଇ ମହାବାତ୍ୟାର ରୂପ ନେଉଥିବା ଅମ୍ପନ୍ ର ଗତିବିଧି, ଭୁବନେଶ୍ୱରରେ ଏହାର ସମ୍ଭାବ୍ୟ ପ୍ରଭାବ, ମହାବାତ୍ୟା ଜନିତ ଅବପାତର ସମୟ, ଭୁବନେଶ୍ୱରର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ଏବଂ ଏଥିପାଇଁ ପୂର୍ବ ପ୍ରସ୍ତୁତି ବାବଦରେ ଆଲୋଚନା କରାଯାଇଥିଲା । ଭୁବନେଶ୍ୱରେ ସମୁଦାୟ ୩୭ ଟି ସମ୍ବେଦନଶୀଳ ଜଳମଗ୍ନ ଅଂଚଳ ହୋଇଥିବା ବେଳେ ଏଥିପାଇଁ ବି.ଏମ୍.ସି. ଟିମ୍ ପ୍ରସ୍ତୁ ଅଛନ୍ତି ବୋଲି କହିଥିଳେ କମିଶନର । ବର୍ତମାନ ବି.ଏମ୍.ସି. ତରଫରୁ ୨୦ ଟି ପମ୍ପ୍ ମହଜୁଦ ରହିଥିବା ବେଳେ ଆଉ ୨୭ ଟି ଉଚ୍ଚଶକ୍ତି ସମ୍ପନ୍ନ ପମ୍ପ୍ ଅଗ୍ନିଶମ ବିଭାଗ ପାଖରେ ମହଜୁଦ ଅଛି ବୋଲି ସୂଚନା ଦିଆଯାଇଅଛି ।
ପ୍ରସ୍ତୁତି ପର୍ଯ୍ୟାୟରେ ୬ ଟି ଟିମ୍ ଦେଖାଶୁଣା କରିବା ଦାୟିତ୍ୱରେ ରହିଥିବା ବେଳେ ପ୍ରତି ଜୋନ୍ ରେ ଜେସିପି, ଟିପ୍ପର୍, ଟ୍ରାକ୍ଟର୍ ଇତ୍ୟାଦି ମହଜୁଦ ରହିଛି ଏବଂ ପବନର ବେଗ ହାରାହାରି ୬୦ କି.ମି. ହେବବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ସାଧାରଣ ବିପର୍ଯ୍ୟୟ କାଳୀନ ଉଦ୍ଧାର କାର୍ଯ୍ୟ ଇତ୍ୟାଦି ପାଇଁ ଅଗ୍ନିଶମ ବିଭାଗର କର୍ମୀମାନଙ୍କ ସହାୟତା ନିଆଯିବ ବୋଲି ବି.ଏମ୍.ସି. ପକ୍ଷରୁ ସୂଚନା ଦିଆଯାଇଅଛି ।
ପାନୀୟ ଜଳଯୋଗାଣ ଏବଂ ବିଦ୍ୟୁତ୍ ଜନିତ ଅସୁବିଧାରୁ ଲୋକେ ହଇରାଣ ନହେବାପାଇଁ ଆବଶ୍ୟକ ସ୍ଥଳେ ଜେନେରେଟର୍ ଏବଂ କର୍ମଚାରୀଙ୍କ ଉପସ୍ଥିତି ଓ ପ୍ରକୃଷ୍ଠ ସଂଯୋଜନା ଅବସ୍ଥାର ଉନ୍ନତିରେ ସହାୟକ ହେବବୋଲି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପଦେଶ ଦେଇଥିଲେ ।
ବସ୍ତି ଅଂଚଳକୁ ବିଶେଷ ଧ୍ୟାନ ଦେଇ ଯେଉଁ ଅଂଚଳ ଅଧିକ ସମ୍ବେଦନଶୀଳ, ଆବଶ୍ୟକ ହେଲେ ସେଠାରୁ ଲୋକଙ୍କୁ ଆଣି ନିରାପଦ ସ୍ଥାନକୁ ନେବା ଏବଂ ଡ଼୍ରେନ୍ ପାଶ୍ୱର୍ବର୍ତୀ ଅଂଚଳ ଗୁଡ଼ିକୁ ଧ୍ୟାନ ଦେବାକୁ କହିଥିଲେ ବିଧାୟକ ଭୁବନେଶ୍ୱର ମଧ୍ୟ ଅନନ୍ତ ନାରାୟଣ ଜେନା । ୱାର୍ଡ଼ ନଂ-୪ ରେ ପାଣି ଓ ଡ୍ରେନ୍ ସମସ୍ୟାକୁ ଧ୍ୟାନଦେଇ ସେଠାରେ ଆବଶ୍ୟକ ହେଲେ ଜେନେରେଟର୍ ଇତ୍ୟାଦି ଯୋଗୋଇବାକୁ ସୁଶାନ୍ତ କୁମାର ରାଉତ (ବିଧାୟକ ଭୁବନେଶ୍ୱର ଉତର) ଜଣାଇ ଥିଲେ ।
ଏହାପରେ ସିଟି ଇଂଜିନିୟର୍ ଦେବସୁନ୍ଦର ମହାପାତ୍ର ପ୍ରସ୍ତୁତିର ବିବିଧ ସାମଗ୍ରୀ ଏବଂ ଉପକରଣ ତଥା ଏଥିପାଇଁ ମହଜୁଦ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଥିବାର ସୂଚନା ଦେଇଥିଲେ ।
ଉକ୍ତ ବୈଠକରେ ବି ଏମ୍ ସିର ଅତିରିକ୍ତ କମିଶନର-୧ ସୁରଥ ଚନ୍ଦ୍ର ମଲ୍ଲିକ ,ଅତିରିକ୍ତ କମିଶନର-୨ ଅବନୀକାନ୍ତ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।