Odia News Portal

ସାବତ ମା’ ମାଡ଼ରେ ୭ ବର୍ଷର ପୁଅ ଗୁରୁତର

କଟକ : ମା’ଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ ବୋଲି କୁହାଯାଏ। ଛୁଆକୁ ସୁରକ୍ଷିତ ରଖିବା ପାଇଁ ମା’ ସବୁ ପ୍ରକାରର କଷ୍ଟ ସହିବାକୁ ପ୍ରସ୍ତୁତ ଥାଏ। ଦୁନିଆର ସବୁ ଦୁଃଖକୁ ନିଜେ ସହି ଛୁଆକୁ ପ୍ରତିଟି ସୁଖ ଦେବାକୁ ଅହରହ ଚେଷ୍ଟା କରିଥାଏ ମା’। କିନ୍ତୁ ଏବେ ମା’ର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି କଟକରେ।

କଟକ ସିଡିଓ ସେକ୍ଟର ୭ରେ ଏକ ୭ ବର୍ଷର ପୁଅକୁ ସାବତ ମା’ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ କଟକ ଚାଇଲ୍ଡଲାଇନ୍‌ ଛୁଆକୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଛି। ପ୍ରଥମେ ମର୍କତ ନଗର ଥାନା ଓ ପରେ ସିଡବ୍ଲ୍ୟୁସିଙ୍କ ନିକଟରେ ଭିଡିଓ କନ୍‌ଫରେନ୍ସିଂରେ ଛୁଆକୁ ହାଜର କରାଯାଇଥିଲା।

ଏହି ଘଟଣାରେ ମର୍କତନଗର ଥାନା ପୋଲିସ ଉଭୟ ବାପା ଓ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି। ଶିଶୁର ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ତେବେ ମାମଲାକୁ ଗୁରୁତର ସହ ନେଇ କମିଶନରେଟ୍‌ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି।