ଭୁବନେଶ୍ବର : ଶିଶୁମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଏବେ କିଛି ପରାମର୍ଶଦାତାଙ୍କ ଚକ୍ରବ୍ୟୁହରେ । ଜାତୀୟ ଓ ଆର୍ନ୍ତଜାତୀୟ ସଂସ୍ଥାର ଏହି ତଥାକଥିତ ଉପଦେଷ୍ଟାମାନେ କମିଶନକୁ ଏଭଳି ବାଟବଣା କରୁଛନ୍ତି ଯେ ଲୋକେ ଏହାର ଦପ୍ତର ଘେରାଉ ପାଇଁ ସଜବାଜ ହେଲେଣି । ତେଣୁ ତୁରନ୍ତ ରାଜ୍ୟ ସରକାର ଏହି ସଂସ୍ଥାଟି ଉପରେ ଦୃଷ୍ଟି ପକାଇବା ସହିତ ଏହାର ନବକଳେବର ପାଇଁ ମତପ୍ରକାଶ ପାଇଲାଣି ।
ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ କାର୍ଯ୍ୟ ହେଉଛି ରାଜ୍ୟର ସମସ୍ତ ଶିଶୁମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବା । ବିଶେଷକରି ଶିକ୍ଷା ଅଧିକାର ଆଇନ୍ ଓ ପୋକ୍ସୋ ଆଇନ୍ର ମନିଟରିଂ କରିବା । କମିଶନଙ୍କ ନିକଟରେ ଅଭିଯୋଗ ଆସିଲେ ତାହାର ତଦନ୍ତ ଓ ସମାଧାନ ସହିତ ଦଣ୍ଡ ଦେବାର ବ୍ୟବସ୍ଥା ଥିବାବେଳେ କମିଶନ ମଧ୍ୟ ନିଜଆଡୁ କୌଣସି ମାମଲାକୁ ସୋ ମୋଟୋ ଭାବେ ଗ୍ରହଣ କରିପାରିବେ । ଅତିତରେ ଏଭଳି ଶହ ଶହ ଘଟଣାରେ କମିଶନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି ।
ତେବେ ଗତ କିଛିଦିନ ହେଲା କମିଶନ ସ୍ଥାଣୁ ପାଲଟିଥିବା ନେଇ କେତେକ ସଂଘ ଅଭିଯୋଗ ଉଠାଇବାରେ ଲାଗିଛନ୍ତି ।
ବିଶେଷକରି ବିଦ୍ୟାଳୟରେ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ସେଠାରେ ସେମାନଙ୍କୁ ବିଭିନ୍ନ ପ୍ରକାର ଉତ୍ପୀଡନ କରାଯାଉଥିବାବେଳେ କମିଶନ ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିଛି ଓଡିଶା ଅଭିଭାବକ ମହାସଂଘ । ଏପରିକି ନିର୍ଦ୍ଦିଷ୍ଟ ଭାବେ କିଛି ବିଦ୍ୟାଳୟ ଓ ଏଠାରେ ଘଟିଥିବା ଘଟଣା କମିଶଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ କମିଶନ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ଆଣି ଦପ୍ତର ଘେରିବାକୁ ଚେତାବନୀ ଦେଇଥିବା ଜଣାଯାଇଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମିଶନରେ ଉପଦ୍ଦେଷ୍ଟା ସାଜିଥିବା କିଛି ଆର୍ନ୍ତଜାତୀୟ ଓ ଜାତୀୟ ସଂସ୍ଥାର ପ୍ରତିନିଧି ସଂସ୍ଥାଟିକୁ ଅଚଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଏମାନେ ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ପାଇଁ ପରାମର୍ଶ ଦେବା ବଦଳରେ ନିଜ ନିଜ ସଂସ୍ଥା ଅର୍ଥରେ ବିଭିନ୍ନ ପ୍ରକଳ୍ପ ହାତକୁ ନେବା, ଗବେଷଣା କରିବା ପାଇଁ ବାଟ ବତାଉଛନ୍ତି । ଫଳରେ କମିଶନ ତାଙ୍କର ମୂଳ କାର୍ଯ୍ୟରୁ ଦୂରେଇ ଯାଉଥିବା କୁହାଯାଉଛି ।
ଏହି ସୂତ୍ର ଅନୁଯାୟୀ ଏଠାରେ ଉପଦ୍ଦେଷ୍ଟା ସାଜିଥିବା କିଛି ବ୍ୟକ୍ତିଙ୍କର ଶିଶୁ ସୁରକ୍ଷା କିମ୍ବା ଶିକ୍ଷା ଅଧିକାର ଉପରେ ଆଦୌ ଧ୍ୟାନ ଧାରଣା ନଥିବାବେଳେ କୌଣସି ପ୍ରକାରେ ଏଠାରେ ଆସ୍ଥାନ ଜମାଇଛନ୍ତି । ଏମାନଙ୍କ ଦ୍ୱାରା ପ୍ରଭାବିତ ହେବା ଫଳରେ ବର୍ତ୍ତମାନ ରାଜ୍ୟରେ ଦେଖାଦେଇଥିବା ମହାମାରୀରେ ଶିଶୁମାନଙ୍କ ଅବସ୍ଥା ସଂକ୍ରାନ୍ତରେ କମିଶନ କୌଣସି ପଦକ୍ଷେପ ନେଇପାରୁ ନାହାନ୍ତି । ହଜାର ହଜାର ଶିଶୁଙ୍କର ପାଠପଢା ପ୍ରଭାବିତ ଉପଦେଷ୍ଟା ହୋଇଥିବାବେଳେ ଏ ଦିଗରେ ସେଭଳି କିଛି ପଦକ୍ଷେପ ନିଆଯାଉ ନାହିଁ । ପ୍ରତିଦିନ ଶହ ଶହ ଶିଶୁ ରାସ୍ତା ଘାଟରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଥିବା କମିଶନ ନିରବତା ଅବଲମ୍ବନ କରୁଛନ୍ତି । ହାତଗଣତି କେତୋଟି ସହଜ ମାମଲାକୁ ଗ୍ରହଣ କରି ତାହାକୁ ଗଣମାଧ୍ୟମରେ ଯେଭଳି ପ୍ରଚାର କରି କମିଶନ ନିଜର କାର୍ଯ୍ୟ ସାରି ଦେଉଛନ୍ତି ତାହା ଆଗାମୀ ଦିନରେ ଏହି ସଂସ୍ଥାର ଗାରିମା ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ନିର୍ଭର କରେ ।