ଭୁବନେଶ୍ବର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଦିନ ରାତି ଏକ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ କିଛି ମହିଳା ଅଧିକାରୀ ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏମାନଙ୍କ କାରନାମା ପାଇଁ ସରକାର କେବଳ ଅକଳରେ ପଡୁ ନାହାନ୍ତି ସାଧାରଣରେ ସମାଲୋଚନାର ସମ୍ମୁଖୀନ ବି ହେଉଛନ୍ତି । କାରନାମା କରୁଥିବା ଏହି ମହିଳା ଅଧିକାରୀଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି କେନ୍ଦୁଝର ପାଟଣା ଥାନାର ମହିଳା ଆଇଆଇସି । କରୋନା ମୁକାବିଲାରେ ପୁଲିସ୍ ନାକେଦମ ହେଉଥିବାବେଳେ ଏହି ଅଧିକାରୀ ଜଣଙ୍କ ଜମିବାଡି ମାମଲାରେ ମୁଣ୍ଡ ପୂରାଇ ଗୋଟିଏ ପକ୍ଷର ବ୍ୟକ୍ତିଙ୍କୁ ଥାନାକୁ ଆଣି ନିସ୍ତୁକ ବାଡେଇଲେ । ମାଡ ସହିତ ଗୋଇଠା ଓ ଅତି ଅସଭ୍ୟ ଭାଷାରେ ଗାଳିଦେଲେ । ମାଡର ଭିଡିଓ ଭାଇରାଲ ହେବାପରେ ସରକାର ସବୁ ସ୍ତରରୁ ସମାଲୋଚିତ ହେଲେ ।
ଶେଷରେ ଏହି ମହିଳା ଅଧିକାରୀଙ୍କୁ ଡିଜି ନିଲମ୍ବିତ କରିବାକୁ ବାଧ୍ୟ ହେଲେ । ଆଉ ଜଣେ ମହିଳା ଅଧିକାରୀ ହେଲେ ବାଲିଆପାଳର ବିଡିଓ ମହାଶୟା । ଏ ମହାଶୟା କ୍ୱାରେଣ୍ଟାଇନ କେନ୍ଦ୍ର ଦାୟିତ୍ୱରେ ଥିଲେ । ହେଲେ ପ୍ରବାସୀମାନେ ପାଣି ମାଗିବାରୁ ଏଭଳି ଭାଷାରେ ଗାଳିଦେଲେ ଯେ ଲୋକେ କାନରେ ହାତ ଦେଇଦେଲେ । ସିଧା ଶୁଣେଇଲେ ମୁଁ ବିଡିଓ, ତୁମ ଭଳି ଦାଦନ ନୁହେଁ । ମୋ କଥା ତୁମେ ଶୁଣିବ, ତୁମ ଚଉଦ ପୁରୁଷ ବି ଶୁଣିବେ । ଏହା ସହିତ ଆଉ କିଛି ଅପଶବ୍ଦ ବ୍ୟବହାରର ବି ଅଭିଯୋଗ ଆସିଲା । ଏହି ଭିଡିଓଟି ଭାଇରାଲ ହେବାପରେ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ହେଲେ ଘଟଣାକୁ ପନ୍ଦରଦିନ ବିତି ଯାଇଥିଲେ ବି
ମହିଳା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ଏହିଘଟଣାରେ ପ୍ରଶାସନ ଅଧିକ ନିନ୍ଦିତ ହେବାରେ ଲାଗିଛି ।
ତୃତୀୟ ମହିଳା ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ବନ୍ତର ତହସିଲଦାର । ରାତ୍ରୀକାଳୀନ କର୍ଫ୍ୟୁ ଜାରି ସମୟରେ ଏ ଅଧିକାରୀ ଜଣଙ୍କ ନିଜର ପାୱାର ଦେଖାଇ ଦୋକାନ ଖୋଲିବା ସହିତ ତା ଭିତରେ ପଶି କିଣାକିଣି କରୁଥିଲେ । ଯୋଗକୁ କେହି ଜଣେ ଏହାର ଭିଡିଓ ସୁଟିଂ କରି ଭାଇରାଲ କରିଦେଲା । ଫଳରେ କରୋନା ଯୋଦ୍ଧାଙ୍କର ଏହି କାରନାମା ଏବେ ଦାଣ୍ଡରେ ପଡି ହାଟରେ ଗଡିବା ସହିତ ସରକାରଙ୍କୁ ବି ଅକଳରେ ପକାଇ ଦେଇଛି । ସଦ୍ୟତମ ଘଟଣାଟି ଘଟିଛି ଗତକାଲି ।
ମହିଳା ଅଧିକାରୀ ଓ କର୍ମଚାରୀମାନେ ସାଧାରଣତଃ ଭଦ୍ର ଓ ନରମ ସ୍ୱଭାବର ହୋଇଥିବାବେଳେ ରାଜ୍ୟର କିଛି ମହିଳା ଅଧିକାରୀ ଠିକ୍ ଏହାର ବିପରୀତ ହୋଇ ଏଭଳି କାରନାମା କରୁଛନ୍ତି ଯେ କରୋନା ଚର୍ଚ୍ଚା ବି ଏମାନଙ୍କ କାଣ୍ଡ ଆଗରେ ଫିକା ପଡିଯାଉଛି । ସରକାରଙ୍କ ପ୍ରଶଂସାର ଅମୃତ ଭାଣ୍ଡ ଭିତରେ ଏମାନେ ବୁନ୍ଦାଏ ଲେଖା ବିଷ ପକାଇ ସବୁକିଛି ଗୋଳମାଳ କରିଦେଉଥିବାରୁ ଏଭଳି ଅଧିକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।