Odia News Portal

କରୋନା ଠାରୁ ଭୟଙ୍କର ଆଚରଣ କରୁଛି କମିଶନରେଟ ପୁଲିସ୍‍

ଭୁବନେଶ୍ବର : ନିଜକୁ ‘ପିପୁଲ୍‍ସ ପୁଲିସ୍‍’ ବା ଲୋକଙ୍‍କ ପୁଲିସ୍‍ ଭାବେ ଉପସ୍ଥାପିତ କରୁଥିବା କମିଶନରେଟ ପୁଲିସ୍‍ ଏବେ ଲୋକଙ୍କ ପାଇଁ କରୋନା ଠାରୁ ବି ଭୟଙ୍କର ହୋଇପଡିଲେଣି । କେତେବେଳେ ଲୋକଙ୍କୁ ରାସ୍ତାରେ ବାଡିଆପିଟା କରୁଛନ୍ତି
ତ ଆଉ କେତେବେଳେ ବିନା କାରଣରେ ଫାଇନ୍‍ କାଟି ଚର୍ଚ୍ଚିତ ହେଉଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ପୁଲିସ୍‍ କମିଶନରଙ୍କ ନିୟବଣରେ ଆଉ ସହରରର ଖାକିବାକୁମାନେ ଥିଲାଭଳି ମନେ ହେଉନାହିଁ । କରୋନା କଟକଣା ପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଲାଗୁ ହେଲାବେଳେ ସାଧାରଣ ଚୋର ଓ ନିଶା ବେପାରୀଙ୍କୁ ଧରି ପାରୁନଥିବା ପୁଲିସ୍‍ ବାବୁମାନେ ସହରରେ ଗୁଣ୍ଡାଙ୍କ ଭଳି ରାସ୍ତାକୁ ଓହ୍ଲାଇ ଆସିଲେ । ଯାହାକୁ
ଯେଉଁଠି ପାଇଲେ ଧରି ପିଟିଲେ । ଏପରିକି ଗଣମାଧ୍ୟମ କ୍ୟାମେରା ସାମ୍ନାରେ ବିଭିନ୍ନ ପୋଜ୍‍ରେ ପିଟି ଫଟୋ ଉଠାଇବାରେ ଲାଗିଲେ । ସାଧାରଣ ଲୋକ, ବ୍ୟବସାୟୀ କାହାରିକୁ ଛାଡିଲେ ନାହିଁ । ସହରରେ ଏକ ପ୍ରକାର ଆତଙ୍କ ଖେଳାଇଦେଲେ । କମିଶନର ମହାଶୟ ବି ଏହାକୁ ମନଭରି ଉପଭୋଗ କଲେ । ହେଲେ ଯେତେବେଳେ ବ୍ୟବସାୟୀ ମହାସଂଘ ଖୋଲାଖୋଲି ଭାବେ ପୁଲିସ୍‍ ବିରୁଦ୍ଧରେ ମୁହଁ ଖୋଲିଲା ସେତେବେଳେ ବାବୁଙ୍କ ଅକଲ ଗୁଡ୍‍ମ ହୋଇଗଲା । କହିଲେ ଆଉ ବେପାରୀଙ୍କୁ ମାଡ ହେବନାହିଁ ।
ଖୋଦ ପୁଲିସ୍‍ କମିଶନର କହିବା ପରେ ବି ତଳିଆ ପୁଲିସ୍‍ଙ୍କର ଉତ୍ପାତ କମିଲା ନାହିଁ । ଚୋର ଡକାୟତଙ୍କୁ ଧରିବା
ବଦଳରେ କାହାକୁ କେଉଁଠି ବାଡେଇବେ ସେହି ଚିନ୍ତାରେ ରହିଲେ । ଯାହାକି ବାଡେଇ ନପାରିଲେ ତାହାଠାରୁ ଫାଇନ୍‍
ଆଦାୟ କଲେ । ତେବେ ଫାଇନ୍‍ ଆଦାୟ ସମୟରେ ଆଗପଛ କିଛି ନବୁଝିବାରୁ ସେଥିପାଇଁ ନିନ୍ଦିତ ହେଉଛନ୍ତି । ଏଭଳି ଏକ
ଘଟଣା ଦୁଇଦିନ ତଳେ ଘଟିଛି । ରାଜଧାନୀର ଜଣେ ଆଗଧାଡିର ସାମ୍ବାଦିକ ବଜାରକୁ ଆସିଥିବା ସମୟରେ ପୁଲିସ୍‍ ବାବୁଙ୍କ
ହାବୁଡରେ ପଡିଥିଲେ । ବିନା ମାସ୍କରେ ଥିବାରୁ ଖାକିବାବୁମାନେ ତାଙ୍କୁ ପୁଲିସିଆ ଷ୍ଟାଇଲ୍‍ରେ କାହିଁକି ମାସ୍କ ପିନ୍ଧିନ ବୋଲି
ପଚାରିଲେ । ଗଣମାଧ୍ୟମ ପ୍ରତିନିଧି ଜଣଙ୍କ ଅତି ବିନମ୍ରତାର ସହ ସେ ଜଣେ ଶ୍ୱାସରୋଗୀ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ
ମାସ୍କ ପିନ୍ଧୁନଥିବା କହିଥିଲେ । ହେଲେ ଖାକିବାବୁମାନେ କିଛି ନବୁଝି ନସୁଝି ତାଙ୍କ ଠାରୁ ୧୦୦ ଟଙ୍କା ଜୋରିମାନା ଆଦାୟ
କଲେ । ସାମ୍ବାଦିକ ଜଣଙ୍କ କିନ୍ତୁ ପୁଲିସ୍‍ର ଆଚରଣ ଓ ଉଚ୍ଚାରଣ ଜାଣିବାପାଇଁ ନିଜର ପରିଚୟ ଗୋପନ ରଖିଥିଲେ ।
ସୋସିଆଲ ମିଡିଆରେ ବିସ୍ତୃତ ଭାବେ ଉଲ୍ଲେଖ କରିବାପରେ ଏହା ପଦାକୁ ଆସିଛି ।
ବାରମ୍ବାର ଉଇ କେୟାର ଉଇ ଡେୟାର ସ୍ଲୋଗାନ ଦେଉଥିବା କମିଶନରେଟ ପୁଲିସ୍‍ ଏବେ କିଛିଦିନ ବିବାଦୀୟ ପୁଲିସ୍‍ର
ଆଖ୍ୟା ପାଇଗଲାଣି । ବିପର୍ଯ୍ୟସ୍ତ ଟ୍ରାଫିକ ପରିଚାଳନା ଯୋଗୁଁ କେତେବେଳେ ଆମ୍ବୁଲାନ୍ସ ଭିତରେ ଛୋଟ ପିଲାଙ୍କ ଜୀବନ
ଯାଉଛି ତ ଆଉ କେତେବେଳେ ଖୋଦ ପୁଲିସ୍‍ର ବଡ ବାବୁଙ୍କ ଘରୁ ସିନ୍ଧିଚୋରି ହୋଇ ଯାଉଛି । କିଛି ବଡ ଅଫିସରଙ୍କୁ
ସନ୍ତୁଷ୍ଟ କରିବା ଓ ବଡ ନେତାଙ୍କୁ ସାଲ୍ୟୁଟ ମାରିବା କାର୍ଯ୍ୟରେ କମିଶନରେଟ ପୁଲିସ୍‍ର କର୍ମଚାରୀମାନେ ମାତି ଥିବାରୁ ଏଭଳି
ଅବସ୍ଥା ଉପୁଜିଛି ବୋଲି ଏବେ ସାଧାରଣରେ ମତ ପ୍ରକାଶ ପାଉଛି ।