Odia News Portal

ଓଡ଼ିଶାର ଏହି ଜିଲ୍ଲା ଭାରତରେ କଲା ରେକର୍ଡ

ଅସାଧାରଣ ପରିସ୍ଥିତିରେ ଅସାଧାରଣ ଉପାୟ ଆପଣାଇବା ଉଚିତ। ବର୍ତ୍ତମାନ କରୋନା ସ୍ଥିତିରେ ରାଜ୍ୟ ସରକାର ଶ୍ରମିକଙ୍କୁ ରୋଜଗାର ପ୍ରଦାନ କରିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି। ତେବେ ଇତି ମଧ୍ୟରେ କେନ୍ଦୁଝର ଜିଲ୍ଲା ଖଣିଜ ଫାଉଣ୍ଡେସନ୍‌ ମନରେଗା ଶ୍ରମିକଙ୍କୁ ନ୍ୟୁନତମ ମଜୁରୀ ଦେବାକୁ ନିଷ୍ପତ୍ତି ନେଇଛି।

ଭାରତର ଏକମାତ୍ର ଜିଲ୍ଲା ଭାବେ ପ୍ରଥମ ଥର ପାଇଁ କେନ୍ଦୁଝରରେ ମନରେଗା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବ। ଏନେଇ ପୂର୍ବରୁ ଅର୍ଥନୀତିଜ୍ଞମାନେ ବହୁ ଦାବି କରିଥିଲେ। ପ୍ରବାସୀ ଶ୍ରମିକ ତଥା ରାଜ୍ୟର ଗରିବ ଓ ଅସହାୟ ମଜୁରିଆଙ୍କୁ କରୋନା ସ୍ଥିତିରେ ରୋଜଗାର ଯୋଗାଇବା ପାଇଁ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଥିବା କେନ୍ଦୁଝର ଜିଲ୍ଲାପାଳ ତଥା ଡିଏମ୍‌ଏଫ୍‌ର ଚେୟାରମ୍ୟାନ୍‌ ଓ ମ୍ୟାନେଜିଂ ଟ୍ରଷ୍ଟି ଆଶିଷ ଠାକ୍‌ରେ କହିଛନ୍ତି।

ଏବେ କେନ୍ଦୁଝର ଜିଲ୍ଲାର ମନରେଗା ଶ୍ରମିକଙ୍କ ମଜୁରୀକୁ ୪୪ ପ୍ରତିଶତ ବଢ଼ାଇ ଦିଆଯାଇଛି। ପୂର୍ବରୁ ସେମାନଙ୍କୁ ୨୦୭ଟଙ୍କା ମଜୁରୀ ମିଳୁଥିବା ବେଳେ ଏହବେ ତାହାକୁ ବଢ଼ାଇ ୨୯୮ ଟଙ୍କା କରିଦିଆଯାଇଛି। ମନରେଗା ହେଉଛି ଦୁନିଆର ସବୁଠୁ ବଡ଼ ଶ୍ରମିକ ରୋଜଗାର କାର୍ଯ୍ୟକ୍ରମ।ଏହାର ଉଦ୍ଦେଶ୍ୟ ଗ୍ରାମୀଣ କ୍ଷେତ୍ରରେ ପ୍ରତି ଘରେ ପ୍ରତିବର୍ଷ ଜଣଙ୍କୁ ୧୦୦ ଦିନର ଗ୍ୟାରେଣ୍ଟି ରୋଜଗାର ପ୍ରଦାନ କରିବା। କେନ୍ଦୁଝର ଜିଲ୍ଲାରେ ଲାଗୁ ହୋଇଥିବା ଏହି ନୂତନ ମଜୁରୀ ସ୍କିମ୍‌ ଯୋଗୁ ଜିଲ୍ଲାର ହଜାର ହଜାର ଶ୍ରମିକ ଉପକୃତ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ଠାକ୍‌ରେ କହିଛନ୍ତି।