Odia News Portal

୧୯-୨୨ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା, ତାହା ହେବାର ସମ୍ଭାବନା ଆଉ ପରିଲକ୍ଷିତ ହେଉନାହିଁ । ଅପରପକ୍ଷରେ ସ୍ଥଳଭାଗ ଉପରେ ଘୂର୍ଣ୍ଣିବଳୟ ଯୋଗୁ ମୌସୁମୀ ପ୍ରବାହ ସକ୍ରିୟ ରହିବ । ଯାହାକି ରାଜ୍ୟରେ ବର୍ଷା କରାଇବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୭ ଦିନ ଭିତରେ ବଙ୍ଗୋପସାଗରରେ କୌଣସି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ନାହିଁ । ତଥାପି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ମାତ୍ର ଉପକୂଳ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ସମ୍ଭାବନା ଅଛି ।

ପୂର୍ବ ଉତ୍ତରପ୍ରଦେଶ ଓ ସଂଲଗ୍ନ ବିହାର ଉପରେ ଘୂର୍ଣ୍ଣିବଳୟ ଆଜି ରହିଥିଲା । ଆସନ୍ତା ୫ ଦିନ ଭିତରେ ଏହା ସ୍ଥାନ ପରିବର୍ତ୍ତନ କରିବ । ୨୦ ତାରିଖରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ରହିପାରେ । ୨୧ରେ ଏହା ଝାଡ଼ଖଣ୍ଡ ଓ ଓଡ଼ିଶା ଉପରେ ରହିବା ସମ୍ଭାବନା ଅଛି । ୨୨ରେ ଛତିଶଗଡ଼ ସଂଲଗ୍ନ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ରହିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୦ ଓ ୨୧ ତାରିଖରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶା ଉପରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ୨୧ ଓ ୨୨ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମରୁ ଭାରି ବର୍ଷା ସମ୍ଭାବନା ଅଛି ।

୨୨ରେ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକରେ ମଧ୍ୟମ ଧରଣର (୧୫ରୁ ୩୫ ମିଲିମିଟର) ବର୍ଷା ହୋଇପାରେ । ରଥଯାତ୍ରା ଦିନ (୨୩ ତାରିଖ) ପୁରୀ ଓ ଭୁବନେଶ୍ୱର ପାଗ ମେଘୁଆ ରହିବ । ବଡ଼ ବର୍ଷା ସମ୍ଭାବନା ନାହିଁ । ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ (୨୪ ତାରିଖ ଯାଏଁ) ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ସମଗ୍ର ଉପକୂଳବର୍ତ୍ତୀ ଜିଲ୍ଲା ସହ ଢେଙ୍କାନାଳ ଓ କନ୍ଧମାଳରେ ସ୍ୱାଭାବିକଠାରୁ ୪୦% କମ୍‌ ବର୍ଷା ହେବ । ମୟୂରଭଞ୍ଜ, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିରରେ ୩୦% ଅଧିକ ବର୍ଷା ହୋଇପାରେ । ବାକି ଜାଗାରେ ବର୍ଷା ସ୍ୱାଭାବିକ ରହିବ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ କହିଛନ୍ତି, ବଙ୍ଗୋପସାଗରରେ ଏବେ ଲଘୁଚାପ ସମ୍ଭାବନା ନାହିଁ । ହେଲେ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ୧୯ରୁ ରାଜ୍ୟରେ ବର୍ଷା ବଢ଼ିବ । ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ୧୯ ତାରିଖରେ ପ୍ରବଳ ବର୍ଷା ହୋଇପାରେ । ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି ।

ଆସନ୍ତାକାଲି ବଡ଼ ବର୍ଷା ସମ୍ଭାବନା କମ୍‌ । ତଥାପି ଉତ୍ତର ଓଡ଼ିଶାର କେତେକ ଜାଗାରେ ବର୍ଷା ହୋଇପାରେ । ୧୯ ତାରିଖରୁ ବର୍ଷା ବଢ଼ିବ । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଅନୁଗୁଳ, କେନ୍ଦୁଝର, ବରଗଡ଼, ଢେଙ୍କାନାଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ।