ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଜୁଲାଇ କଟକଣା ଲାଗୁ ହେବାପରେ ଗାଁ ଠୁ ସହର ପର୍ଯ୍ୟନ୍ତ ଏବେ ଆରମ୍ଭ ହୋଇଛି ଭୋଜିଭାତ ଫିକ୍ସିଂ । ବାହାଘର, ବ୍ରତଘର ଠାରୁ ଆରମ୍ଭକରି ଶୁଦ୍ଧଘର ପର୍ଯ୍ୟନ୍ତ ଲୋକଙ୍କୁ ଭୋଜି ଦେବାପାଇଁ ଗାଁରେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ଅଙ୍ଗନବାଡି, ଆଶା କର୍ମୀଙ୍କ ସହିତ ଫିକ୍ସିଂ ଚାଲିଥିବାବେଳେ ସହରରେ ପୁଲିସ୍ ନଜର ଆଢୁଆଳରେ ଭୋଜିଭାତ ଚାଲିଛି । କରୋନା ଭୟ ଥିଲେ ବି ଲୋକେ ଭୋଜିରେ ଯୋଗ ଦେଉଛନ୍ତି ଓ ଭୋଜିଖାଇ ଯେଭଳି ଫେରୁଛନ୍ତି ତାହା ଆଗାମୀ ଦିନରେ ଗୋଷ୍ଠି ସଂକ୍ରମଣକୁ ନିମନ୍ତ୍ରଣ କରୁଛି ବୋଲି ବିଶେଷଜ୍ଞମାନେ କହିଲେଣି । ଜୁଲାଇମାସ ହେଉଛି ବିବାହ ଋତୁ । କଟକଣା ଉଠିବା ଆଶାରେ ଅନେକ ଲୋକ ନିଜ ନିଜ ବାହାଘର ଭୋଜିଭାତକୁ ଜୁଲାଇକୁ ରଖିଛନ୍ତି । ଏପରିକି ଜୁନ୍ ଅଧାରେ ବାହାଘର ସାରିଥିବା ଲୋକେ ବି ଜୁଲାଇକୁ ଭୋଜି ତାରିଖ ସ୍ଥିର କରିଛନ୍ତି । ଗାଁ ଗହଳରେ ଏଥିପାଇଁ ଏକ ପ୍ରକାର କସରତ ଚାଲିଛି । ସରପଞ୍ଚଙ୍କ, ଅଙ୍ଗନବାଡି, ଆଶାକର୍ମୀ ଆଦିଙ୍କ ଜ୍ଞାତସାରରେ ଚାଲୁଛି ଭୋଜିଭାତ । ସ୍ଥାନୀୟ ପୁଲିସ୍କୁ ଯେଭଳି ଖବର ନଯିବ ସେଥିପାଇଁ ସମସ୍ତଙ୍କୁ ତାଗିଦା ହେଉଛି । ଏପରିକି ଅନେକ ଭୋଜିରେ ମୋବାଇଲ୍ ଫଟୋ ଉଠାକୁ ବାରଣ କରାଯାଇଛି ।

