ଶ୍ରୀନଗର : କାଶ୍ମୀର ଘାଟିରୁ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଜାରି ରହିଛି ଉଦ୍ୟମ । ଏହିକ୍ରମରେ ଜୁଲାଇ ୪ ତାରିଖ ଶନିବାର ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାର ଆରାହ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ଟଳିପଡିଛି । ଏ ଘଟଣା ପରେ ସେଠାରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ନିହତ ଆତଙ୍କବାଦୀର ପରିଚୟ ଏବଂ ସେ କେଉଁ ଗୋଷ୍ଠୀ ସମ୍ପୃକ୍ତ ସେ ନେଇ ଜଣାପଡିନାହିଁ ।
ଆରାହ ଅଞ୍ଚଳରେ ଆତଙ୍କବାଦୀ ଉପସ୍ଥିତି ସମ୍ପର୍କରେ ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ସେଠାରେ ଘେରାବନ୍ଦୀ କରାଯିବା ସହ ଖାନ ତଲାସୀ ଆରମ୍ଭ କରାଯାଇଥିଲା । ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଯାହାର ଜବାବ ଦେବାକୁ ଯାଇ ପାଲଟା ଆକ୍ରମଣ କରିଥିଲା ସୁରକ୍ଷାବାହିନୀ । କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ୱିଟ କରି ଏଠାରେ ହୋଇଥିବା ଆତଙ୍କବାଦ ବିରୋଧି ଅପରେସନ ବାବଦରେ ସ୍ପଷ୍ଟ କରାଯାଇଛି ।
ଅନ୍ୟପଟେ ଶନିବାର ଜମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ସମେତ ଗୁଳିଗୋଳା ସୁରକ୍ଷା ବାହିନୀ ପକ୍ଷରୁ ଜବତ କରାଯାଇଛି । ଯାହା ମଧ୍ୟରେ ରହିଛି ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚର(UBGL-Under Barrel Grenade Launcher), ୟୁବିଜିଏଲ ଗ୍ରେନେଡ(UBGL Grenade), ଏକେ ମାଗାଜିନ(AK magazine), ପିସ୍ତଲ, ଆଇଇଡି(IED-Improvised Explosive Device ) ତିଆରି ପାଇଁ ବ୍ୟବହତ ହେଉଥିବା ସାମଗ୍ରୀ ସହିତ ଡିଟୋନେଟର ଏବଂ ପ୍ରେସର ମାଇନ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର