ଭୁବନେଶ୍ୱର : ଖସିଲା ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ । ଏବେ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ଅନ୍ୟ ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ଅତିରିକ୍ତ ୫୦% ନୁହେଁ, ୧୫% ଶୁଳ୍କରେ ମିଳିବ ମଦ । ମଦ ଉପରେ ଅତିରିକ୍ତ କୋଭିଡ ଶୁଳ୍କରୁ ୨୦୦ କୋଟି ଟଙ୍କା ମିଳିଛି ।
ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ଅଫ୍ଲାଇନ୍ରେ ମଦ ବିକ୍ରି । ଗ୍ରାହକମାନେ କାଉଣ୍ଟର ସାମ୍ନାରୁ ମଦ କିଣିଛନ୍ତି । କିନ୍ତୁ ଏଥିରେ ଟେନସନ ସାଜିଛି ‘ଇ-ଟୋକନ୍’ । ଏ ନୂଆ ସିଷ୍ଟମ ଅନେକ ଗ୍ରାହକଙ୍କୁ ବୁଝାପଡୁନି । ଓଡି଼ଶା ଷ୍ଟେଟ୍ ବ୍ରେଭରେଜ୍ କର୍ପୋରେସନ(ଓଏସ୍ବିସି)ର ୱେବ୍ସାଇଟ୍କୁ ଯାଇ ମଧ୍ୟ ସ୍ଲଟ ବୁକିଂ କରିପାରୁ ନାହାନ୍ତି । ଯାହାକୁ ନେଇ ଦ୍ୱନ୍ଦ ଦେଖାଦେଇଛି ।
ମଦ କାଉଣ୍ଟର ସାମ୍ନାରୁ ଭିଡ଼ କମାଇବା ଲକ୍ଷ୍ୟରେ ଅବକାରୀ ବିଭାଗ ପକ୍ଷରୁ ଇ-ଟୋକନ୍ ବ୍ୟବସ୍ଥା କରାଯାଇଛି । ପାନୀୟ ନିଗମ ୱେବ୍ସାଇଟ୍ରୁ ଦୋକାନ ଖାଲି ରହୁଥିବା ସମୟରେ ହିଁ ସ୍ଲଟ ବୁକିଂ କରିହେବ । ପ୍ରତି ସ୍ଲଟରେ ବୁକିଂ ହୋଇଥିବା ୧୦ଜଣ ଗ୍ରାହକ ଏକାବେଳକେ ସାମାଜିକ ଦୂରତା ନିୟମ ମାନି ମଦ କିଣିବାକୁ ଅନୁମତି ମିଳିଛି । କିନ୍ତୁ ଅନେକ ଗ୍ରାହକଙ୍କୁ ଏହି ସିଷ୍ଟମ ବୁଝାପଡୁନି ।
ମଦ କାଉଣ୍ଟର ୧୨ ଘଣ୍ଟିଆ ସାହାଣ ମେଲା ସତ୍ତେ୍ୱ ଆଜି ପ୍ରଥମ ଦିନରେ ଗ୍ରାହକଙ୍କ ଦର୍ଶନ ମିଳି ନଥିଲା । ରାଜଧାନୀର ଅଧିକାଂଶ ମଦ ଦୋକାନ ଦିନ ତମାମ ଖାଁ ଖାଁ ଲାଗୁଥିଲା । କିଛି କାଉଣ୍ଟର ସାମ୍ନାରେ ଅଳ୍ପ ସଂଖ୍ୟକ ଗ୍ରାହକ ଧାଡି଼ ବାନ୍ଧି ମଦ କିଣୁଥିବା ଦେଖା ଯାଇଥିଲା । ଅପରାହ୍ଣ ବେଳାକୁ କିଛି ମାତ୍ରାରେ ଲୋକଙ୍କ ଭିଡ ବଢ଼ିଥିଲା । ଗ୍ରାହକ ନଥିବାରୁ ମଦ କାଉଣ୍ଟର ସାମ୍ନାରେ ବ୍ୟାରିକେଡର ଆବଶ୍ୟକତା ପଡି଼ନଥିଲା । ଇ-ଟୋକନ୍କୁ ନେଇ ଗ୍ରାହକ ଓ ମଦ ଦୋକାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖା ଯାଇଥିଲା ।
ଜଣେ ମଦ ଦୋକାନୀ କହିଛନ୍ତି, ପ୍ରଥମତଃ କୋଭିଡ୍-୧୯ ଚାର୍ଜ ଯୋଗୁଁ ମଦ ଦାମ୍ ବଢ଼ିଥିବାରୁ ମଦ ବିକ୍ରି ଢ଼େର୍ କମିଯାଇଛି । ଏହାଛଡ଼ା ବହୁ ଗ୍ରାହକ ଅନ୍ଲାଇନ୍ ସିଷ୍ଟମ ସହ ଅଭ୍ୟସ୍ତ ନୁହନ୍ତି । ସେମାନଙ୍କୁ ଏହି ଇ-ଟୋକନ ବ୍ୟବସ୍ଥା ଏବେ କଣ୍ଟା ସାଜିଛି । କେମିତି କେଉଁ ଉପାୟରେ ଇ-ଟୋକନ ପାଇବେ, ଏଥିନେଇ ସେମାନେ ବାଉଳା ହେଉଛନ୍ତି । କରୋନା ଯୋଗୁଁ ଉପୁଜିଥିବା ଏମିତି ପରିସ୍ଥିତି ଆଗକୁ କମିବ ବୋଲି ସେ ଆଶା ରଖିଛନ୍ତି ।
ସ୍ଲଟ ବୁକିଂ କରିବେ କେମିତି?
୧. ମଦ କିଣିବା ପାଇଁ ସ୍ଲଟ ବୁକିଂ କରିବାକୁ ହେଲେ, ପ୍ରଥମେ ଓଡି଼ଶା ଷ୍ଟେଟ୍ ବ୍ରେଭରେଜ୍ କର୍ପୋରେସନ (ଓଏସ୍ବିସି)ର ୱେବ୍ସାଇଟ୍ osbc.co.in କୁ ଯିବାକୁ ପଡି଼ବ ।
୨- ଗ୍ରାହକଙ୍କୁ କମ୍ପ୍ୟୁଟର ପେଜ୍ରେ ‘ଇ-ଟୋକନ ଫର୍ ସ୍ଲଟ ବୁକିଂ’ ଉପରେ କ୍ଲିକ୍ କରିବାକୁ ପଡ଼ିବ । ଏହି ଲିଙ୍କ୍ ୱେବ୍ସାଇଟ୍ର ଉପର ଆଡ଼କୁ ଡାହାଣ ପାଶ୍ୱର୍ରେ ଅଛି ।
୩- ଲିଙ୍କ୍ରେ କ୍ଲିକ୍ କରିବା ପରେ ଖୋଲୁଥିବା ପେଜ୍ରେ ପ୍ରଥମେ ତାରିଖ ଓ ନିଜ ମୋବାଇଲ ନମ୍ବର ଦେବାକୁ ପଡି଼ବ ।
୪- ନମ୍ବର ଦେବା କ୍ଷଣି ଆପଣଙ୍କ ମୋବାଇଲ୍କୁ ଏକ ଓଟିପି ଆସିବ । ଏହାକୁ ଉକ୍ତ ପେଜ୍ରେ ଟାଇପ୍ କରି କ୍ଲିକ୍ କରିବା ପରେ ଗ୍ରାହକଙ୍କୁ ନାଁ ଓ ଜିଲ୍ଲା ଟାଇପ୍ କରିବାକୁ ପଡିବ ।
୫- ଏହାପରେ ଜିଲ୍ଲାର ସମସ୍ତ ମଦ ଦୋକାନ ସମ୍ପର୍କରେ ତଥ୍ୟ ଆସିବ । ଦୋକାନ ବାଛିବା ପରେ ଗ୍ରାହକଙ୍କୁ ବୁକିଂ ଟୋକନ ମିଳିବ ।
୬- ଚୟନ କରା ଯାଇଥିବା ମଦ କାଉଣ୍ଟରରେ ଖାଲି ସମୟରେ ସ୍ଲଟ ବୁକିଂ କରାଯାଇ ପାରିବ । ଅର୍ଥାତ, ସ୍ଲଟରେ ଚିହ୍ନ ନାଲି ଥିଲେ, ଉକ୍ତ ସମୟରେ ବୁକିଂ ସରିଛି । ସ୍ଲଟର ରଙ୍ଗ ସବୁଜ ଥିଲେ, ସେହି ସମୟରେ ମଦ କିଣାଯାଇ ପାରିବ ।
୭- ସ୍ଲଟ୍ ବୁକିଂ ପରେ ମିଳିଥିବା ‘ଇ-ଟୋକନ’କୁ ମଦ କାଉଣ୍ଟରରେ ଦେଖାଇ କିଣିପାରିବେ ।
୮- ମୋବାଇଲ୍ରେ ବୁକିଂ କରୁଥିବା ଗ୍ରାହକଙ୍କୁ ପ୍ରଥମେ ୱେବ୍ସାଇଟ୍ର ଡାହାଣ ପାଶ୍ୱର୍ ଉପରେ ଥିବା ତିନୋଟି ଗାର ଉପରେ କ୍ଲିକ୍ କରିବାକୁ ପଡି଼ବ । ଏଥିରୁ ଆସୁଥିବା ଅପ୍ସନରେ ସବା ତଳକୁ ଲେଖା ଥିବା ‘ସ୍ଲଟ ବୁକିଂ’ ଉପରେ କ୍ଲିକ୍ କଲେ, ‘ଇ-ଟୋକନ ଫର୍ ସ୍ଲଟ ବୁକିଂ’ ପେଜ୍ ଖୋଲିବ ।
ଏଥିରେ ମୋବାଇଲ୍ ନମ୍ବର ଦେଇ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଇ-ଟୋକନ୍ ପାଇ ପାରିବେ ।