Odia News Portal

ବାପା ହେଲେ ଚେନ୍ନାଇ ସୁପର କିଙ୍ଗସର ଏହି ବ୍ୟାଟ୍ସମ୍ୟାନ

ହାଇଦ୍ରାବାଦ : ଚେନ୍ନାଇ ସୁପର କିଙ୍ଗସ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଗତ ରବିବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ତାଙ୍କ ପତ୍ନୀ ଚେନ୍ନୁପାଲି । ଏ ଖବର ରାୟୁଡୁ ସୋସିଆଲ ମିଡିଆରେ ନିଜ ପ୍ରଶଂସକମାନଙ୍କୁ ସେୟାର କରିଛନ୍ତି । ଉଭୟ ମା’ ଓ ଝିଅଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ରାୟୁଡୁ ସେମାନଙ୍କ ସହ ସେଲ୍‌ଫି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛନ୍ତି । ୨୦୦୯ରେ ସେ ବିବାହ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍‌ସ ଅଫିସିଆଲ ଟ୍ୱିଟରରେ ରାୟୁଡୁଙ୍କ ଫଟୋ ସେୟାର କରାଯାଇଛି ।

୨୦୧୯ ଦିନିକିଆ ବିଶ୍ୱକପ୍‌ ଦଳରେ ସୁଯୋଗ ନପାଇବା କାରଣରୁ ରାୟୁଡୁ କ୍ରୋଧିତ ହୋଇ ଅବସର ଘୋଷଣା କରିଥିଲେ । କିନ୍ତୁ ପରେ ପୁଣି ନିଜ ନିଷ୍ପତ୍ତି ବଦଳାଇ ଥିଲେ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାୟୁଡୁ କହିଥିଲେ, ବିଶ୍ୱକପ୍‌ ଦଳରେ ସାମିଲ ନହେବା ଯୋଗୁ ହତାଶ ହୋଇ ପଡ଼ିଥିଲି । ଫଳରେ ଅବସର ନେବା ନିଷ୍ପତ୍ତି ନେଇ ଯାଇଥିଲି । ଏବେ ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳକୁ ଫେରିବା ନେଇ ଆଗ୍ରହୀ ରହିଛି । ସେ ନେଇ କଠିନ ପରିଶ୍ରମ କରୁଛି ।’