Odia News Portal

ସ୍ତ୍ରୀ ପେଟରେ ଦା ପୂରାଇ ଦେଲା ନୃଶଂସ ସ୍ୱାମୀ

ଭୁବନେଶ୍ୱର : ସାମାନ୍ୟ ଘରୋଇ କଳିକୁ କେନ୍ଦ୍ରକରି ତମାଣ୍ଡୋ ଥାନା ଅନ୍ତର୍ଗତ ନାରଗୋଦା ଗ୍ରାମରେ ଆଜି ଘଟିଛି ଅଭାବନୀୟ କାଣ୍ଡ । ସ୍ତ୍ରୀ’ ପେଟରେ ସ୍ୱାମୀ ଧାରୁଆ ଦା’ ପୂରାଇ ଦେବା ଫଳରେ ତାଙ୍କ ଅନ୍ତବୁଜୁଳା ପଦାକୁ ବାହାରି ପଡ଼ିଛି । ଗୁରୁତର ଅବସ୍ଥାରେ ସ୍ତ୍ରୀ’ଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ସମ୍ପର୍କରେ ଥାନାରେ କୌଣସି ଏତଲା ହୋଇ ନଥିଲେ ମଧ୍ୟ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତନାଘନା ଚଳାଇଛି ।

ମିଳିଥିବା ସୂଚନା ମୁତାବକ ନାରଗୋଦା ଗ୍ରାମର ନବ ଭୋଇ(୫୦) ଆଜି ସକାଳେ ବିଲକୁ ବାହାରିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ’ ମୀନା(୪୫) ସହିତ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ନବ ହାତରେ ଧରିଥିବା ଦା’ରେ ପ୍ରଥମେ ମୀନାଙ୍କୁ ୨ ଚୋଟ ଦେଇଥିଲେ । ଏହାପରେ ପେଟରେ ଭୁସି ଦା’କୁ କାଢ଼ି ଆଣିଥିଲେ । ଫଳରେ ମୀନାଙ୍କ ପେଟ ଫାଡ଼ି ହୋଇ ଅନ୍ତବୁଜୁଳା ପଦାକୁ ବାହାରି ଆସିଥିଲା । ଗ୍ରାମବାସୀ ମୀନାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ।