ଭୁବନେଶ୍ୱର : କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ଲକ୍ଡାଉନ୍ କଟକଣା ରାଜଧାନୀରେ ଲାଗୁ ହୋଇଥିବାବେଳେ ନିୟମ ଭାଙ୍ଗୁଥିବା ଅଧିକାଂଶ ଅମାନିଆ ହେଉଛନ୍ତି ସରକାରୀ ବାବୁ । ବଡି ଭୋରରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହାଟ ବଜାରରୁ ଆରମ୍ଭକରି ରାସ୍ତାଘାଟରେ ବାବୁମାନେ ପଇଁତରା ମାରିବାରୁ ପୁଲିସ୍ ବି ନାକେଦମ ହେଲାଣି । କେଉଁଠି ମାଛହାଟରେ ଗୋଡାଇ ବାଡଉଛି ତ ଆଉ କେଉଁଠି ଫାଇନ୍ ଆଦାୟ କରୁଛି । ତେଣୁ ରାସ୍ତାଘାଟରେ ଅମାନିଆ ହେଉଥିବା ଏହି ସରକାରୀ କର୍ମଚାରୀଙ୍କ ସଂକ୍ରାନ୍ତରେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ ପାଇଁ ଦାବି ହେଉଛି । ଲକ୍ଡାଉନ୍ କଟକଣା ଯୋଗୁଁ କମ୍ ସଂଖ୍ୟାରେ କର୍ମଚାରୀମାନେ ଅଫିସର ଆସିବାକୁ କୁହାଯାଇଛି । ଯେଉଁମାନେ ଆସିବେ ସେମାନେ ନାକାବନ୍ଦି ଦାୟିତ୍ୱରେ ଥିବା ପୁଲିସ୍ କର୍ମଚାରୀଙ୍କୁ ସେମାନଙ୍କ ଦପ୍ତରର ପରିଚୟପତ୍ର ଦେଖାଇ ଆସିପାରିବେ ବୋଲି କୁହାଯାଇଛି । ଏହି ମଉକାରେ ଅଧିକାଂଶ ସରକାରୀ ବାବୁ ଅଫିସ ଆସୁନାହାନ୍ତି । ହେଲେ ଘରେ ବି ରହୁନାହାନ୍ତି । ସକାଳେ ହେଲେ ଦୁଇଚକିଆ ଯାନ ଧରି ବଜାରକୁ ବାହାରି ପଡୁଛନ୍ତି । କିଏ ମାଛ ହାଟରେ ଗହଳି କରୁଛି ତ ଆଉ କିଏ ପରିବା ବଜାରରେ । ଯେହେତୁ ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଆବଶ୍ୟକ ସାମଗ୍ରୀ ଖରିଦ ପାଇଁ ପ୍ରଶାସନ ସମୟ ଦେଇଛି ବାବୁମାନେ ତାହାର ପୂରା ଫାଇଦା ଉଠାଇବାରେ ଲାଗିଛନ୍ତି ।
ରବିଵାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ମାଛ ମାର୍କେଟରେ। ପୁଲିସ ବାଡି ଦେଖି ଦଉଡୁଥିବା ଅଧିକାଂଶ ଲୋକଙ୍କ ଭିତରେ ଥିଲେ ସରକାରୀ ବାବୁ । ଆଇଁଷ ଖାଇବାପାଇଁ ସକାଳୁ ଦୁଇ ଚକିଆ ଚଢି ବାହାରି ଆସିଥିଲେ । ହେଲେ ପୁଲିସ୍ କମିଶନର ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଘର ନିକଟ ବଜାରରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ । କେହି ଗାଡି ଧରି ବଜାରକୁ ଆସିପାରିବେ ନାହିଁ । ହେଲେ ତାହାକୁ ଏହି ସରକାରୀ ବାବୁମାନେ ମାନିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । ଆଇଁଷ ଓ ତଟକା ପରିବା ପାଇଁ ଏମାନେ ଯେ ଜଣେ ଜଣେ ସୁପର ସ୍ପ୍ରେଡର ନହେବେ ତାହା କହିହେବ ନାହିଁ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି । ସକାଳ ସକାଳୁ ହାଟ ବଜାରରେ ଚକ୍କର କାଟି ଫେରିବାପରେ କିଛି ଅମାନିଆ କର୍ମଚାରୀ କରୋନା ଆଳରେ ଅଫିସ ନଜାଇ ବେକରେ ଆଇକାର୍ଡ ପକାଇ ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଉଛନ୍ତି । ରାସ୍ତା ଘାଟରେ ଅଧିକାଂଶ ବାବୁଙ୍କୁ ଦେଖିବାକୁ ମିଳୁଛି । ସୋମବାର ଠାରୁ ଦପ୍ତର ଆସିବାକୁ ହେଲେ ଆଇକାର୍ଡ ସହିତ ଉପରିସ୍ଥ ଅଧିକାରୀଙ୍କ ଅନୁମତିପତ୍ର ଆବଶ୍ୟକ ବୋଲି ପୁଲିସ୍ କହିଥିବାରୁ ଏବେ କିଛି ଅମାନିଆ ଏଭଳି ଅନୁମତିପତ୍ର ଯୋଗାଡରେ ଲାଗି ପଡିଛନ୍ତି ।
ତେବେ ଶିକ୍ଷିତ ବାବୁମାନଙ୍କ ଏଭଳି ଅମାନିଆ ପ୍ରକୃତି ଏବେ ପୁଲିସ୍ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ସରକାରୀ କର୍ମଚାରୀଙ୍କ ଅମାନିଆ କାର୍ଯ୍ୟ କଳାପ ଯୋଗୁଁ ଅନ୍ୟ ଲୋକେ ବି ଆଇନ୍ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି । ତେଣୁ ରାଜଧାନୀରେ ପୁଲିସ୍ କଠୋର ନହେଲେ ଏମାନଙ୍କୁ ପାରି ହେବନାହିଁ ବୋଲି କିଛି ଲୋକ ମତ ଦେଉଥିବାବେଳେ ଅମାନିଆ ସରକାରୀ କର୍ମଚାରୀଙ୍କୁ ଧରି ସମ୍ପୃକ୍ତ ବିଭାଗକୁ ଜଣାଇବା ସହିତ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କିଛି ପୂର୍ବତନ ବରିଷ୍ଠ ପ୍ରଶାସକ ମତ ଦେଉଛନ୍ତି । ତେବେ ଆଜି ଠାରୁ ପୁଲିସ୍ କିଭଳି ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
