କାବୁଲ : ସାରା ବିଶ୍ବରେ ମଲାଲା ୟୁସୁଫଜାଇଙ୍କୁ ଆତଙ୍କବାଦୀଙ୍କ ବିରୋଧରେ ତାଙ୍କ ସାହାସିକତା ପାଇଁ ଜଣାଯାଏ। ଆଜିକାଲି ଅଫଗାନିସ୍ତାନର ଜଣେ ୧୬ ବର୍ଷୀୟ ଝିଅର ପ୍ରତିଶୋଧର କାହାଣୀ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଝିଅଟି ତାଲିବାନ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବାର ଲଢେଇର ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ପ୍ରତିଶୋଧ ତାଲିବାନୀ ଆତଙ୍କବାଦୀଙ୍କୁ ଭୟଭୀତ କରିଦେଇଛି। ଏହି ଝିଅଟିର ନାଁ ହେଲା କମର ଗୁଲ, ଯିଏକି ନିଜ ବାପା-ମାଙ୍କ ହତ୍ୟାର ପ୍ରତିଶୋଧ ନେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ତାଲିବାନୀ ଆତଙ୍କବାଦୀମାନେ କମର ଗୁଲଙ୍କ ବାପା-ମାଙ୍କୁ ଘର ବାହାରକୁ ଟାଣି ନେଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ନିଜର ବାପା-ମାଙ୍କୁ ଆତଙ୍କବାଦୀମାନେ ମାରୁଥିବାର ଦେଖି ରକ୍ତମୁଖା ପାଲଟିଯାଇଥିଲେ ଝିଅ କମର ଗୁଲ। ସେ ନିଜେ ଏକେ-୪୭ ରାଇଫଲରୁ ୩ଜଣ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପରେ କମର ଗୁଲଙ୍କ ପ୍ରତିଶୋଧ ଘଟଣା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ଥାନୀୟ ପୋଲିସର କହିବା ଅନୁସାରେ, ୧୭ ଜୁଲାଇ ରାତି ୧ଟା ବେଳେ କିଛି ତାଲିବାନୀ ଆତଙ୍କବାଦୀ କମର ଗୁଲଙ୍କ ଘରେ ପଶି ଯାଇଥିଲେ। ଆତଙ୍କବାଦୀମାନେ କମର ଗୁଲଙ୍କ ବାପାଙ୍କୁ ଖୋଜୁଥିଲେ, କାରଣ ସେ ଗାଁ ମୁଖିଆ ଓ ସରକାରଙ୍କ ସମର୍ଥକ ଥିଲେ। ଏହି କାରଣରୁ ଆତଙ୍କବାଦୀମାନେ କମର ଗୁଲଙ୍କ ବାପାଙ୍କୁ ଘର ବାହାରକୁ ଟାଣି ନେଇଯାଇଥିଲେ। ଆତଙ୍କବାଦୀଙ୍କୁ ଏଭଳି କରୁଥିବାର ଦେଖି କମର ଗୁଲଙ୍କ ମା’ ମଧ୍ୟ ତାଙ୍କୁ ବିରୋଧ କରିଥିଲେ। ଏହି ସମୟରେ ତାଲିବାନୀ ଆତଙ୍କବାଦୀମାନେ ତାଙ୍କର ବାପା-ମାଙ୍କୁ ହତ୍ୟା କରିଦେଇଥିଲେ। ଏହାପରେ କମର ଗୁଲ ବାହାରକୁ ଆସି ଆତଙ୍କବାଦୀଙ୍କ ଉପରକୁ ଏକେ-୪୭ ରାଇଫଲରୁ ଆଖିବୁଜା ଗୁଳି ମାଡ କରିଥିଲେ। କମର ଗୁଲଙ୍କ ସହିତ ତାଙ୍କ ଭାଇ ମଧ୍ୟ ଘଟଣାସ୍ଥଳରେ ଥିଲେ।
ଏହି ଗୁଳିକାଣ୍ଡ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଗୁଳିକାଣ୍ଡରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁହାଯାଉଛି ସେତେବେଳେ ୪୦ ରୁ ଅଧିକ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏବେ ଅଫଗାନ ସୁରକ୍ଷାବଳ କମର ଗୁଲ୍ ଓ ତାଙ୍କ ଭାଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି। କମର ଗୁଲଙ୍କ ହାତରେ ଏକେ-୪୭ ରାଇଫର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।