Odia News Portal

ରାଜମହଲ ପରେ ଅନ୍ୟ ଅଞ୍ଚଳରେ କାତି ବୁଲିବା ଆଶଙ୍କା

ଭୁବନେଶ୍ୱର : ନିଶା କାରବାର ପାଇଁ ଦିନ ଦ୍ୱିପ୍ରହରରେ ରାଜମହଲ ଛକରେ କାତି ବୁଲିଥିବାବେଳେ ପୁଲିସ୍‍ ଯଦି ନିଶା ବେପାରୀ ଓ ନିଶାଡିଙ୍କୁ ସାବାଡ ନକରେ ତେବେ ଆଗାମୀ ଦିନରେ ରାଜଧାନୀର ବହୁ ସ୍ଥାନରେ କାତି ବୁଲିବାର ଆଶଙ୍କା ଉପୁଜିଲାଣି । କରୋନା କଟକଣା ଆଳରେ ଅପରାଧିମାନେ ଯେଭଳି ନିଶାବେପାର ଚଳାଇଛନ୍ତି ତାହାକୁ ଦେଖି ରାଜଧାନୀବାସୀ ଏଭଳି ଆଶଙ୍କା ବ୍ୟକ୍ତ କରୁଛନ୍ତି । ମାର୍ଚ୍ଚ ମାସରେ କରୋନା କଟକଣା ଜାରି ହେବା ପରେ ପରେ ଅନେକ ନିଶା ବେପାରୀ ଓ ନାମୀ ଅପରାଧି ଜେଲ୍‍ରୁ ଫେରିଛନ୍ତି । ଜେଲ୍‍ରେ ସ୍ଥାନାଭାବ ଓ କରୋନା ସଂକ୍ରମଣ ଆଳରେ ସୋମନଙ୍କୁ ଜାମିନି ମିଳିଯାଇଛି । ଜାମିନରେ ଆସିଲାପରେ ଅନେକ ଏବେ ଚୋରି ଓ ନିଶାବେପାରକୁ ପେଶା କରିଛନ୍ତି । ପୁଲିସ୍‍ ଏମାନଙ୍କୁ ଦେଖୁଥିଲେ ବି ସଂକ୍ରମଣ ନାଁରେ ଗିରଫ କରୁନାହିଁ । ଏହାର ଫଳ ଦେଖିକକୁ ମିଳିଲା ରାଜଧାନୀର ଛାତି ଉପରେ ରାଜମହଲ ଛକରେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଲା ଯେ ନିଶା ବେପାରୀମାନେ ଆଉ ରାଜଧାନୀ ପୁଲିସ୍‍କୁ ଖାତିର କରୁନାହାନ୍ତି କି ଆଇନ୍‍କୁ ଡରୁ ନାହାନ୍ତି ।
ଏମାନେ ଏବେ ପୁଲିସ୍‍ ପଞ୍ଝାର ବହୁ ଦୂରରେ । କେବଳ ରାଜମହଲ ଅଞ୍ଚଳ ନୁହେଁ, କରୋନା କଟକଣା ଲାଗୁ ହେବା ପରେ ପରେ ସହରର ବିଭିନ୍ନ ୟୁନିଟ୍‍ ଏବେ ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ଅନ୍ୟ ପ୍ରାୟ ସବୁ ବେପାର ମାନ୍ଦା ପଡିଥିବାରୁ ନିଶା ବେପାରରେ ଅଧିକାଂଶ ଅପରାଧି ମନୋନିବେଶ କରିଛନ୍ତି । ବସ୍ତି ଅଞ୍ଚଳରେ ଏମାନେ ଆଡ୍ଡା ଜମାଇଥିବାବେଳେ ପୁଲିସ୍‍ ନାକ ନିଶ ତଳେ ଅଧିକାଂଶ କାରବାର ଚାଲିଥିବାର ଅଭିଯୋଗ ହେଉଛି । ଏହାର ସବୁଠାରୁ ବଡ ଉଦାହରଣ ହେଉଛି ରାଜଭବନ ନିକଟରେ ଥିବା ୬ନମ୍ବର ଅଞ୍ଚଳ । ଛଅ ନମ୍ବର କାଳିମନ୍ଦିର ନିକଟସ୍ଥ ଇଲାକା ଏବେ ନିଶାଡିଙ୍କ ଅମରାବତୀ ପାଲଟିଛି । ପାହାନ୍ତା ପହରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏଠାରେ ନିଶାଡିଙ୍କ ଆଡ୍ଡା ଜମୁଛି । ସବୁଠାରୁ ବଡ କଥା ହେଲା ଏହି ଅଞ୍ଚଳରେ ଏବେ ଗଞ୍ଜେଇ ବେପାରୀଙ୍କ ସଂଖ୍ୟା ୧୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରେ ଚାରିଜଣ ମହିଳା ବି ଅଛନ୍ତି । ବେପାର ପାଇଁ ଏମାନଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । କେତେବେଳେ ମୁଣ୍ଡ ଗଡିବ କହିହେବ ନାହିଁ । ସେହିଭଳି ଡ୍ରାଗ୍ସ କାରବାର କରୁଥିବା କିଛି ଅପରାଧି ବି ଏହି ଅଞ୍ଚଳକୁ ନିରାପଦ ସ୍ଥାନ ଭାବେ ବାଛି ନେଇଛନ୍ତି ।
ହଳଦିପଡିଆ ବସ୍ତିରେ ପୁଲିସ୍‍ ମାଡ ପଡିବାପରେ ଏବେ ଧଳାଜହରର ପେଣ୍ଠସ୍ଥଳୀ ପାଲଟିଛି ଛଅ ନମ୍ବର । ନିଶା ସେବନ ପାଇଁ ଉତ୍ତରା ଠାରୁ ଆରମ୍ଭ କରି ଫୁଲନଖରା ପର୍ଯ୍ୟନ୍ତ ସ୍ଥାନରୁ ଯୁବକମାନେ ଛଅ ନମ୍ବରକୁ ଛୁଟି ଆସୁଛନ୍ତି । ଏଠାରେ ନିଶା କାରବାର ଏଭଳି ବ୍ୟାପିଛି ଯେ ସତେ ଯେମିତି ଏହି ଅଞ୍ଚଳଟି ପୁଲିସ୍‍ ଖାତାରେ ନାହିଁ । କେବଳ ଛଅ ନମ୍ବର ଅଞ୍ଚଳ ନୁହେଁ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ପ୍ରାୟ ସମାନ ଅବସ୍ଥା । ଲୋକସେବା ଭବନ, ରାଜଭବନ ନିକଟରେ ଯଦି ଦିନ ଦ୍ୱିପ୍ରହରରେ ନିଶା କାରବାର ଓ ଏଥିପାଇଁ ବିଚ୍‍ରାସ୍ତାରେ କାତି ବୁଲିବ ତେବେ ଅନ୍ୟ ଅଞ୍ଚଳ କଥା ସହଜରେ ଅନୁମେୟ । ନିଶାବେପାରୀ ଓ ଅପରାଧିମାନେ ଯେଭଳି ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଆଡ୍ଡା ଜମାଇଛନ୍ତି ସେମାନଙ୍କ ନୂଆ ପୁଲିସ୍‍ ଡିସିପି କେତେଦୂର ସାବାଜ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।