ଭୁବନେଶ୍ୱର : କୋଭିଡ ମୁକାବିଲା ଠାରୁ ଯୁବନେତାଙ୍କ ରାଜ୍ୟ ଗସ୍ତ ପ୍ରସଙ୍ଗରେ ସରକାରଙ୍କୁ ଟର୍ଗେ କରି ଫେଲ ମାରିଥିବା ବିରୋଧିଦଳ ହାତରେ ଏବେ କାଳିଆ ଅସ୍ତ୍ର ପଡିଛି । ରାଜ୍ୟ ସରକାର ଚାଷୀଙ୍କ ମଧ୍ୟରୁ କେତେକଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନେ ପାଇଥିବା କାଳିଆ ପଇସା ଫେରାଇବାପାଇଁ କହିବାପରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । କରୋନା ମହାମାରୀ ସମୟରେ ସରକାରଙ୍କ ଏଭଳି ନୀତି ଚାଷୀ ବିରୋଧି ବୋଲି କହି ବିରୋଧିମାନେ ଏବେ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ତେବେ ବିରୋଧିଦଳ ଏହାକୁ ଏକ ମଉକା ଭାବେ ବ୍ୟବହାର କରୁଥିବାବେଳେ ଶାସକଦଳର ଅନେକ ନେତା ବି ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରୁଛନ୍ତି ।
କାଳିଆ ଯୋଜନାର ନିୟମ ଅନୁଯାୟୀ ଗରିବ ଚାଷୀଙ୍କୁ ସରକାର ବର୍ଷକୁ ୧୦ହଜାର ସହାୟତା ପ୍ରଦାନ କରିଥାନ୍ତି । ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିବା ଏହି ଯୋଜନାରେ ୫ଲକ୍ଷରୁ ଅଧିକ ଚାଷୀ ଦୁଇଟି କିସ୍ତିର ଅର୍ଥ ପାଇଛନ୍ତି ।
ଏବେ ତୃତୀୟ କିସ୍ତି ମଳିବା କଥା । ହେଲେ ଟଙ୍କା ମିଳିବା ବଦଳରେ କିଛି ଚାଷୀଙ୍କ ଆକାଉଣ୍ଟକୁ ଏବେ ପଇସା ଫେରାଇବାପାଇଁ ବାର୍ତ୍ତା ଯିବାରେ ଲାଗିଛି । ତେବେ ରାଜ୍ୟର ଲକ୍ଷାଧିକ ଚାଷୀଙ୍କୁ କାଳିଆ ଯୋଜନା ସହାୟକ ହୋଇଥିବାବେଳେ ଏବେ କାହିଁକି ସରକାର ଏଭଳି ପଦକ୍ଷେପ ନେଲେ ତାହାକୁ ଅନେକ ବୁଝିପାରୁ ନାହାନ୍ତି ।
ତେବେ ସରକାର ଫେରସ୍ତ ନୋଟିସ୍ ଧରାଇବା ପରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧିଦଳ କଂଗ୍ରେସ ଓ ବିଜେପି ଏହାକୁ ରାଜନୈତିକ ଅସ୍ତ୍ର କରି ସରାକରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଖୋଦ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଚାଷୀଙ୍କୁ ଅର୍ଥ ନଫେରାଇବାକୁ ଆହ୍ୱାନ ଦେଇଥିବାବେଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ ଉଭୟ ଦର ଆକ୍ରମଣକୁ ଜୋରଦାର କରିବୋ ବୋଲି ମଧ୍ୟ ସୂଚନା ଦେଲେଣି । ସରକାରଙ୍କ ସଫଳ କରୋନା ମୁକାବିଲା କରି ପ୍ରଶଂସିତ ହେଉଥିବା ସମୟରେ ଏଭଳି ନିଷ୍ପତ୍ତି କିଏ କିଭଳି ଭାବେ ନେଲା ତାହାକୁ ନେଇ ଏବେ ସରକାରୀଦଳରେ ବି ଆଲୋଚନା ଆରମ୍ଭ ହୋଇଛି ।
କୃଷି ଭବନରେ ଏହାକୁ ନେଇ ଘମାଘୋଟ ଆଲୋଚନା ଚାଲିଥିବାବେଳେ ବାହାରକୁ ସମସ୍ତେ ନିରବତା ଅବଲମ୍ବନ କରୁଛନ୍ତି । କାଳିଆ ଯେଉଁ ଯୋଜନା ସରକାରଙ୍କ ପାଇଁ ବଡ ଆସେଟ ହୋଇଥିଲା ଓ ଏଥିପାଇଁ ବଜେଟ୍ରେ ଅର୍ଥ ବରାଦ ହୋଇଥିଲା ସେଥିରେ କେଉଁମାନେ ଅଯୋଗ୍ୟ ହିତାଧିକାରୀଙ୍କୁ ପୂରାଇ ବଦନାମ କରିଦେଲେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିରୋଧିଦଳ ଗୁଡିକ ଏବେ ଦାୟୀ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ ସହିତ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଥିବାରୁ କାହା ମୁଣ୍ଡରେ ଖଣ୍ଡା ପଡିବ ତାହାକୁ ନେଇ ଅନେକ ଅଧିକାରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ କାହା ବିରୁଦ୍ଧରେର କାର୍ଯ୍ୟାନୁଷ୍ଠାନ ହେଉ କି ନହେଉ ମହାମାରୀ ସମୟରେ ସରକାରୀଦଳ ପାଇଁ ଏହା କ୍ଷତିକାରକ ବୋଲି କିନ୍ତୁ ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।