Odia News Portal

କରୋନା ପରୀକ୍ଷା କରି ଘରୋଇ ସଂସ୍ଥା ମାଲାମାଲ

ଭୁବନେଶ୍ୱର : କୋଭିଡ ପରୀକ୍ଷା କରି ଘରୋଇ ସଂସ୍ଥା ଏବେ ମାଲାମାଲ । କେନ୍ଦ୍ର ସରକାର ଗୋଟିଏ ପରୀକ୍ଷାର ଦର ୨୨୦୦ ଟଙ୍କା ସ୍ଥିର କରିବାପରେ ପ୍ରାୟ ସବୁ ଶ୍ରେଣୀର ଲୋକେ ଏବେ ନିଜ ନିଜର କରୋନା ପରୀକ୍ଷାପାଇଁ ଧାଡି ଲଗାଉଛନ୍ତି । ବିଶେଷକରି ଯେଉଁମାନଙ୍କର ସରକାରୀ ପରୀକ୍ଷା ଉପରେ ଭରସା ପାଉନାହିଁ ଓ କୋଭିଡ ଡାକ୍ତରଖାନା ଯିବାରୁ ବର୍ତ୍ତିବାକୁ ଚାହୁଁଛନ୍ତି ସେମାନେ ଘରୋଇ ପରୀକ୍ଷାକେନ୍ଦ୍ରକୁ ଦଉଡୁଛନ୍ତି । ତେବେ କେତେକ କ୍ଷେତ୍ରରେ ସରକାରୀ ଓ ଘରୋଇ ରିପୋର୍ଟରେ ତାଳମେଳ ରହୁନଥିବାରୁ ଲୋକେ ଦୋଛକିରେ ପଡୁଛନ୍ତି ।
ରାଜଧାନୀରେ ଥିବା କରୋନା ପରୀକ୍ଷାକେନ୍ଦ୍ରରେ ଏଭଳି ଭିଡ ଲାଗୁଛି ଯେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଅବଶ୍ୟ ଏଠାରେ ପରୀକ୍ଷା କଲେ ୨୪ଘଣ୍ଟା ଭିତରେ ରିପୋର୍ଟ ହାତରେ ଧରାଇ ଦିଆଯାଉଛି । ଯାହା କି ସରକାରୀ ସ୍ତରରେ ହୋଇପାରୁ ନାହିଁ । ସରକାର କରୁଥିବା ମାଗଣା ପରୀକ୍ଷା ପାଇଁ ନମୂନା ଦେଲେ କେତେବେଳେ ରିପୋର୍ଟ ମିଳିବ ତାହାର କୌଣସି ଠିକଣା ରହୁନାହିଁ ।

ରିପୋର୍ଟ ଦେବା ବଦଳରେ କରୋନା ପିଜିଟିଭ ବୋଲି ସୂଚନା ଦେଇ ପ୍ରଶାସନ ଲୋକଙ୍କୁ ଘରୁ କୋଭିଡ ଡାକ୍ତରଖାନାକୁ ନେଇ ଯାଉଛନ୍ତି । ଯଦି କେହି ପଜିଟିଭ ରିପୋର୍ଟ ମାଗୁଛି ତାହାକୁ ପରେ ମିଳିବ ବୋଲି କହୁଛନ୍ତି । ତେଣୁ ସରକାରୀ ଘୋଷଡାରୁ ବଞ୍ଚିବାପାଇଁ କିଛି ବ୍ୟକ୍ତି ଏବେ ସରକାରୀ ଡାକ୍ତରଖାନାରେ ସ୍ୱାବ ଦେଲାପରେ ମଧ୍ୟ ପଇସା ଖର୍ଚ୍ଚ କରି ଘରୋଇ ଡାକ୍ତରଖାନାରେ ପରୀକ୍ଷା କରାଇ ନେଉଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ କେତେକ ସ୍ଥାନରେ ସରକାରୀ ରିପୋର୍ଟ ପଜିଟିଭ ବୋଲି ଫୋନ ଆସିଲାପରେ ଘରୋଇ ରିପୋର୍ଟକୁ ଗ୍ରହଣ କରାଯାଉନାହିଁ । ନମୂନା ଦେଇଥିବା ବ୍ୟକ୍ତିଙ୍କୁ ବାଧ୍ୟ କରାଯାଇ କୋଭିଡ ଡାକ୍ତରଖାନାକୁ ଟଣାଯାଉଛି । ଏଭଳି ଘଟଣା ଦୁଇଦିନ ତଳେ କେଶୁରା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଯୁବକ କ୍ୟାପିଟାଲ ହସ୍ପିଟାଲରେ ନମୂନା ଦେବାପରେ ସିଧାସଳଖ ଗୋଟିଏ ଘରୋଇ ପରୀକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱାବ ପରୀକ୍ଷା କରାଇ ନେଇଥିଲେ । ଘରୋଇ କେନ୍ଦ୍ର ରିପୋର୍ଟରେ ନେଗେଟିଭ ଆସିଥିବାବେଳେ ସରକାରୀ ରିପୋର୍ଟ ପଜିଟିଭ ଥିବା ତାଙ୍କ ନିକଟକୁ ଫୋନ ଆସିଥିଲା । ତେବେ ସିଏ ପ୍ରଥମେ କ୍ୟାବିଟାଲ ହସ୍ପିଟାଲରେ ସ୍ୱାବ ଦେଇଥିଲେ ଘରୋଇ ରିପୋର୍ଟ ନେଗେଟିଭ ଥିବାରୁ ସେ କରୋନା ମୁକ୍ତ ବୋଲି ଦର୍ଶାଇଥିଲେ ମଧ୍ୟ ବିଏମ୍‍ସି କତ୍ତୃପକ୍ଷ ତାଙ୍କୁ କରୋନା ଡାକ୍ତରଖାନାରେ ଭର୍ତ୍ତି କରିଦେଇଛନ୍ତି ।

ଏଭଳି ଅନେକ ଘଟଣା ଘଟୁଥିବାରୁ ପଇସା ଗଣି ଘରୋଇ ପରୀକ୍ଷାଗାରରେ କୋଭିଡ ପରୀକ୍ଷା କରୁଥିବା ଲୋକେ ହରଡଘଣାରେ ପଡୁଛନ୍ତି । ଏଣେ ବିଏମ୍‍ସି କର୍ତ୍ତୃପକ୍ଷ ଘରୋଇ ରିପୋର୍ଟକୁ ଅଣଦେଖା କରିବା ନେଇ ମଧ୍ୟ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ କେଉଁ ରିପୋର୍ଟ ଠିକ୍‍ ତାହାକୁ ନେଇ ଲୋକେ ଦ୍ୱନ୍ଦରେ ପଡୁଥିବାବେଳେ ଅର୍ଥ ଖର୍ଚ୍ଚ କରି ମୁଣ୍ଡରେ ହାତଦେଇ ବସିବା ସାର ହେଉଛି । ଲୋକଙ୍କ କରୋନା ପକେଟ ଖାଲି ହେଉଥିବାବେଳେ ଘରୋଇ କରୋନା କେନ୍ଦ୍ର ଗୁଡିକ କିନ୍ତୁ ମାଲାମାଲ ହେବାରେ ଲାଗିଛନ୍ତି । ଲୋକଙ୍କ ଭିତରେ ଏଭଳି ପ୍ରଚାର ହୋଇଗଲାଣି ଯେ ଆକାଶରେ ମେଘ ଦେଖିଲେ ଲୋକେ କରୋନା ପରୀକ୍ଷା ପାଇଁ ଦଉଡିବା ଆରମ୍ଭ କରିଦେଲେଣି ।
ତେଣୁ ସରକାରୀ ଓ ଘରୋଇ ରିପୋର୍ଟ ମଧ୍ୟରୁ କେଉଁଟି ଠିକ୍‍ ଓ ଲୋକେ କିଭଳି ଘରୋଇ ପରୀକ୍ଷା କେନ୍ଦ୍ରରେ ନମୂନା ପରୀକ୍ଷା କରିବେ ସେ ସଂକ୍ରାନ୍ତରେ ସରକାର ସ୍ପଷ୍ଟ କରିବାକୁ ମତ ପ୍ରକାଶ ପାଉଛି । ଏ ନେଇ କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ନଥିବାରୁ ଲୋକେ କେବଳ ଅର୍ଥ ଶ୍ରାଦ୍ଧ କରି ହୀନସ୍ତା ହେବା ସାର ହେଉଛି । ଏହା ଦ୍ୱାରା କେବଳ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହେଉନାହାନ୍ତି, ଅନେକ ଯୁବକ ଭଡା ଘରୁ ତଡା ଖାଇବା ସହିତ ନିଜର ରୋଜଗାର ବି ହରାଇବାରେ ଲାଗିଛନ୍ତି ।