Odia News Portal

ରାଜଧାନୀରେ ୪ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ

ଭୁବନେଶ୍ବର : ଗଞ୍ଜେଇ ଚୋରା ଚାଳଣର ମୁଖ୍ୟ ମାଧ୍ୟମ ପାଲଟିଛି ଟ୍ରେନ। ଦିନକୁ ଦିନ ଟ୍ରେନରେ ଗଞ୍ଜେଇର ଚୋରା ଚାଲଣ ହେଉଥିବାର ଖବର ଗଣମାଧ୍ୟମର ଶିରୋନାମା ପାଲଟୁଛି । ହେଲେ ଏଥିରେ ୪୦ ପ୍ରତିଶତ ଜବତ ହେବାରେ ସଫଳ ହେଉଥିବା ବେଳେ ବାକି ୬୦ ପ୍ରତିଶତ ଖସିପଳାଇବାରେ ସଫଳ ହେଉଛନ୍ତି। ଆଜି ମଧ୍ୟ ଏଭଳି ଗଞ୍ଜେଇ ଚୋରା ଚାଳଣର ବେପାରୀ ଫେରାରା ହୋଇଯାଇଥାନ୍ତା ଯଦି ଜିଆରପି ପୋଲିସ ଚଢାଉ ନକରିଥାନ୍ତା।

ଲକଡାଉନରେ  ଜମିଥାନ୍ତା ଗଞ୍ଜେଇ ବେପାର। କିନ୍ତୁ  ତାପୂର୍ବରୁ ଜିଆରପି ହାବୁଡରେ ପଡିଗଲା ବସ୍ତା ବସ୍ତା ଗଞ୍ଜେଇ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ରେଳ ଷ୍ଟେସନରେ । ଜଣେ ବ୍ୟକ୍ତି ଗଞ୍ଜେଇ ବସ୍ତା ସବୁକୁ ଟ୍ରେନ ଯୋଗେ ଚାଲଣକରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଠିକଣା ସମୟରେ ଜିଆରପିର ଏକ ଟିମ୍ ଚଢାଉ କରି  ପାଖାପାଖି ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ  ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି। ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଓ କେଉଁ ଆଡେ ଯାଉଥିଲା ତାହାର ତଦନ୍ତ ଚାଲିଛି ବୋଲି ଜିଆରପି ପୋଲିସ ତରଫରୁ ସୂଚନା ମିଳିଛି।