Odia News Portal

କରୋନା ଆଢୁଆଳରେ ମନ୍ତ୍ରୀ-ଅଫିସରଙ୍କର ବେପାର ନିଶା

ଭୁବନେଶ୍ୱର : କରୋନା ମହାମାରୀରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ରାଜ୍ୟର ଜଣେ ଉଚ୍ଚ ପଦସ୍ଥ ଅଫିସର ଓ ଆଉ ଜଣେ ମନ୍ତ୍ରୀଙ୍କୁ ବେପାର ନିଶା ଘାରିଛି । ଦୁଇ ଜଣ ମିଶି କାରଖାନା ପ୍ରତିଷ୍ଠାରେ ମାତିଛନ୍ତି । ଏମାନଙ୍କ ଭାଗିଦାରୀରେ କାରଖାନା କାର୍ଯ୍ୟ ଝାରସୁଗୁଡା ଜିଲ୍ଲାରେ ଆଗେଇ ଚାଲିଥିବାବେଳେ ଏଥିପାଇଁ କୁଆଡେ ୧୦୦ କୋଟି ଟଙ୍କାର ଋଣ ହୋଇଥିବା ଆଲୋଚନା ହେଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ପ୍ରଶାସନ କରୋନାରେ ମାତିଥିବାବେଳେ ନଜର ଆଢୁଆଳରେ ଏହି କାରଖାନା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । କାରଖାନାଟି ହେଉଛି ଇଣ୍ଡଷ୍ଟ୍ରିଆଲ ହାଜାର୍ଡସକୁ ନଷ୍ଟ କରିବାପାଇଁ । ଆଗାମୀ ଦିନରେ ଏହି ଶିଳ୍ପରେ ବ୍ୟାପକ ଲାଭ ସୁଯୋଗ ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି କାରଖାନା ପ୍ରତିଷ୍ଠା ଚାଲିଛି । ତେବେ ସବୁଠାରୁ ବଡ କଥା ହେଉଛି କାରଖାନାରେ ଉଭୟ ଅଫିସର ଓ ମନ୍ତ୍ରୀ ଦୁଇଜଣ ଛଦ୍ମବେଶରେ ଅଛନ୍ତି । କଥାଟି ଏବେ ବାହାରକୁ ଆସିବା ପରେ ଏମାନଙ୍କ ସଂକ୍ରାନ୍ତରେ ଜୋରଦାର ଆଲୋଚନା ହେଉଛି ।

 

ଆଲୋଚନା ଅନୁଯାୟୀ ଅଫିସର ଜଣଙ୍କ ଅଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସମ୍ପୃକ୍ତ ଅଧିକାରୀ ଜଣଙ୍କ ଏଠାରେ ରହିବା ସହିତ ଏକାଧିକ କ୍ଷମତାକୁ ନିଜ ହାତରେ ରଖିଛନ୍ତି । ଏହି ଇଣ୍ଡଷ୍ଟ୍ରିଆଲ ହାଜାର୍ଡସ ତନଖି ଦାୟିତ୍ୱ ବି ତାଙ୍କ ହାତରେ ରହିଛି । ତେଣୁ ଆଗାମୀ ଦିନରେ ଅନ୍ୟ ସମସ୍ତ ଶିଳ୍ପସଂସ୍ଥାକୁ ପ୍ରଭାବିତ କରି ନିଜ କାରଖାନାର କଳେବର ବୃଦ୍ଧି କରିବାର ବିଶେଷ ସୁଯୋଗ ତାଙ୍କ ପାଖରେ ଅଛି । କାରଖାନାରେ ସିଂହଭାଗ ଅର୍ଥ ଅଫିସର ଜଣଙ୍କ ଖଟାଇଥିବାବେଳେ ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ ମନ୍ତ୍ରୀଙ୍କୁ ନିଜ ସାଙ୍ଗରେ ରଖିଛନ୍ତି । ଅଫିସର ଓ ମନ୍ତ୍ରୀ ଦୁଇ ଜଣ ଯାକ ବ୍ୟବସାୟରେ ପୋଖତ ହୋଇଥିବାରୁ ସେମାନଙ୍କ କାରଖାନାଟି ଭଲ ଚାଲିବ ବୋଲି ଏବେ ଆଲୋଚନା ହେଉଛି । କାରଣ ଅଫିସର ଜଣଙ୍କ ବ୍ୟବସାୟରେ ମନୋନିବେଶ କରିବାପରେ ଏବେ ତାଙ୍କ ପୁତ୍ରଙ୍କ ମାଧ୍ୟମରେ ନିଜ କାରବାରକୁ ସମ୍ପ୍ରସାରିତ କରିଛନ୍ତି ।

 

ଅଫିସର ପିତା ଝାରସୁଗୁଡାରେ କାରଖାନା ପ୍ରତିଷ୍ଠା କରୁଥିବାବେଳେ ବ୍ୟବସାୟୀ ପୁତ୍ର ମଧ୍ୟ ଖୋରଧାରେ ଅନୁରୂପ ଏକ କାରଖାନା ବସାଉଛନ୍ତି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଖୋଦ ରାଜ୍ୟ ମୁଖ୍ୟ ଶାସନ ସଚିବ ଥିବାବେଳେ ସଦସ୍ୟ ସଚିବ ଭାବେ ଜଣେ ବରିଷ୍ଠ ଆଇଏଫ୍‍ଏସ୍‍ ଅଫିସର ରହିଥାନ୍ତି । ତେବେ ଏଭଳି ସ୍ଥିତିରେ ଜଣେ ଜଣେ ଅଫିସର କିଭଳି ଏଠାରେ ୨୦ବର୍ଷରୁ କରୋନା  ଉର୍ଦ୍ଧ୍ୱ ସମୟ ଧରି ଆସ୍ଥାନ ଜମାଉଛନ୍ତି ଓ ଟଙ୍କା ଠୁଳ କରି ବେପାର ଚଳାଉଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଦିନରାତି ଏକ କରିଥିବାବେଳେ ବେପାର ପାଇଁ ମନ୍ତ୍ରୀ-ଅଫିସରଙ୍କର ଏଭଳି ଯୋଡି ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତୁରନ୍ତ ଏ ଦିଗରେ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବା ସହିତ କାରଖାନା ପ୍ରତିଷ୍ଠାରେ ମାତିଥିବା ମନ୍ତ୍ରୀ ଓ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ମନ୍ତ୍ରୀ-ଅଫିସରଙ୍କ ଯୋଡିଙ୍କ ବେପାର ଚର୍ଚ୍ଚା ପରିବେଶ ଭବନର କାନ୍ଥ ଡେଇ ଲୋକସେବା ଭବନରେ ପହଞ୍ଚିଥିବାବେଳେ ଏହି ଦୁଇଜଣଙ୍କ ପର୍ଦ୍ଦାଫାସ ପାଇଁ ଗୋଟିଏ ଗୋଷ୍ଠି ଏବେ ଲାଗି ପଡିଥିବା ସୂଚନା ମିଳିଛି ।