ଭୁବନେଶ୍ୱର : ରକ୍ଷା ବନ୍ଧନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧେ। ଏହି ବନ୍ଧନର ପାଉଣା ହିସାବରେ ଭାଇ ଭଉଣୀକୁ ଜୀବନ ସାରା ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦିଏ। ଆଜିକାଲି ରକ୍ଷା ବନ୍ଧନରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧିଲେ ଭାଇ ଉପହାର ହିସାବରେ ଟଙ୍କା, ଚକୋଲେଟ ନଚେତ ପୋଷାକ ଦେଉଥିବାବେଳେ ଜଣେ ଯୁବକ କରୋନା ସମୟରେ ବିବାହିତ ଭଉଣୀ ଓ ଭଉଣୀର ପରିବାରର ସୁରକ୍ଷା ପାଇଁ ତାଙ୍କ ଘର ସାନିଟାଇଜ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଭୁବନେଶ୍ୱରରେ ରହୁଥିବା ବିଭୁତି ମହାପାତ୍ର (୩୦) ଆଜି ରକ୍ଷା ବନ୍ଧନରେ ବାଙ୍କୀସ୍ଥିତ ଭଉଣୀ ଘରକୁ ଯାଇଥିଲେ। ଭଉଣୀ ବନ୍ଦାପନା କରି ରାଖୀ ବାନ୍ଧି ସାରିବା ପରେ ବିଭୁତି ଉପହାର ଭାବେ ତାଙ୍କ ଘରକୁ ସାନିଟାଇଜ କରିଥିଲେ। କରୋନା ମହାମାରୀରୁ ନିଜ ଭଉଣୀକୁ ସୁରକ୍ଷିତ ରଖିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଆଜିର ସ୍ଥିତିରେ ଗୋଟେ ଭଉଣୀ ପାଇଁ ଏହା ପ୍ରକୃତ ଉପହାର ବୋଲି ଚର୍ଚ୍ଚା ହେଉଛି। ବିଭୁତିଙ୍କର ଏଭଳି ଉପହାରକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
