ଭୁବନେଶ୍ଵର : ଲାଭଜନକ ପଦ ପଦବୀରେ ଥିବା ଅଧିକାରୀଙ୍କ ବଦଳି ହେଲେ ତାହାକୁ ବାତିଲ ଲାଗି ମନ୍ତ୍ରୀ, ବିଧାୟକମାନେ ଚାପ ପକାନ୍ତି । ହେଲେ ଦୀର୍ଘବର୍ଷ ଧରି ଏକାଧିକ ଦାୟିତ୍ୱରେ ଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟ ହାଲୁକା ପାଇଁ ଅନ୍ୟମାନଙ୍କୁ ଦାୟିତ୍ୱ ଦେଲା ବେଳକୁ ମନ୍ତ୍ରୀ ବିଧାୟକଙ୍କ ଚାପ ଏବେ ପ୍ରଶାସନିକ ସ୍ତରରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ସମସ୍ତଙ୍କର ଗୋଟିଏ ଲବି ଅଫିସର ଜଣଙ୍କ ହାତରେ ସବୁ କ୍ଷମତା ରହିବ । ଏଭଳି ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ । ବୋର୍ଡର ମୁଖ୍ୟଯନ୍ତ୍ରୀ ଏହି ଦପ୍ତରରେ ୨୩ବର୍ଷ ଧରି ଅଛନ୍ତି । ତାଙ୍କ ହାତରେ ରହିଛି ଛଅ ଛଅଟି ଗୁରୁତ୍ୱପୂର୍ଣ୍ଣ କ୍ଷମତା । ଏଥି ମଧ୍ୟରେ ଶିଳ୍ପସଂସ୍ଥାର ପ୍ରଦୂଷଣ ଯାଞ୍ଚ ଠାରୁ ଆରମ୍ଭ କରି ନୂଆ ଶିଳ୍ପକୁ ଅନୁମତି ଦେବା ଇତ୍ୟାଦି । ତେବେ ଦିନକୁ ଦିନ ରାଜ୍ୟରେ କାମର ଚାପ ବଢୁଥିବାରୁ ଓ ଏକାଧିକ ଶିଳ୍ପସଂସ୍ଥା ରାଜ୍ୟକୁ ଆସୁଥିବାରୁ ସମ୍ପୃକ୍ତ ଯନ୍ତ୍ରୀଙ୍କ ହାତରୁ କିଛି କାମ କାଢି ଅନ୍ୟ ଯନ୍ତ୍ରୀଙ୍କ ଦେବାପାଇଁ ନିକଟରେ ଉଦ୍ୟମ ଆରମ୍ଭ ହୋଇଥିଲା ।
ହେଲେ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ହୋଇଥିବା ଏହି ଉଦ୍ୟମ ଏବେ ବିରୁଡି ବସାରେ ବାଡି ମାରିବା ଭଳି ହୋଇଛି । କ୍ଷମତା ବିକେନ୍ଦ୍ରୀକରଣର ଫାଇଲ ପ୍ରସ୍ତୁତ ହେବାମାତ୍ରେ ରାଜ୍ୟର ଦୁଇଜଣ ତୁଙ୍ଗ ମନ୍ତ୍ରୀ ଓ ଜଣେ ଯୁବ ବିଧାୟକ ଅଫିସରଙ୍କ ପାଇଁ ଲବି ଆରମ୍ଭ କରିଦେଇଛନ୍ତି । କୌଣସି ପ୍ରକାରେ ଅଫିସରଙ୍କ ହାତରୁ ଗୋଟିଏ ହେଲେ ଦାୟିତ୍ୱ ଯେଭଳି କଢାନଯିବ ସେଥିପାଇଁ ଚାପ ପକାଇବାରେ ଲାଗିଥିବା ବିଶ୍ୱସ୍ତ
ସୂତ୍ରରୁ ଖବର ମିଳିଛି । ମନ୍ତ୍ରୀ ଦୁଇଜଣଙ୍କ ଭିତରେ ଜଣେ
ଦକ୍ଷିଣ ଓଡିଶା ଓ ଆଉଜଣେ ପଶ୍ଚିମ ଓଡିଶାର ହୋଇଥିବାବେଳେ ଯୁବ ବିଧାୟକ ଜଣଙ୍କ କିନ୍ତୁ ଉପକୂଳିଆ ।
ବିଧାୟକ ହେବା ପୂର୍ବରୁ ସମ୍ପୃକ୍ତ ଅଫିସରଙ୍କ ସହିତ ଏହି
ଯୁବନେତାଙ୍କର ଘନିଷ୍ଠ ସମ୍ପର୍କ ଥିବା ନେଇ ପରିବେଶ ଭବନରେ ଚର୍ଚ୍ଚା ଜୋରଦାର ହେଉଛି । କେବଳ ଏହି ଦୁଇ ମନ୍ତୀ କିମ୍ବା ଯୁବ ବିଧାୟକ ନୁହନ୍ତି ପରିବେଶ ଭବନକୁ ଗୁଡ୍ବାଏ କରିଥିବା ଜଣେ ବରିଷ୍ଠ ଅଧିକାରୀ ବି ସମ୍ପୃକ୍ତ ଯନ୍ତ୍ରୀଙ୍କ ଲାଗି ଲବି କରୁଛନ୍ତି । ଏଭଳି ସ୍ଥିତି ଦେଖି ପରିବେଶ ଭବନର କିଛି କର୍ମଚାରୀଙ୍କ କହିବା କଥା ଯେ ଯନ୍ତ୍ରୀଙ୍କ ହାତରୁ ଗୋଟିଏ ଦୁଇଟି କ୍ଷମତା ଅଧସ୍ତନ କର୍ମଚାରୀଙ୍କୁ ଦେବା ବେଳକୁ ଯଦି ଏଭଳି ଚାପ ତେବେ ରାଜ୍ୟ ସରକାର ଯଦି ସମ୍ପୃକ୍ତ ଯନ୍ତ୍ରୀଙ୍କ ବରିଷ୍ଠତା ଓ ଅଭିଜ୍ଞତାକୁ ଦେଖି ଅନ୍ୟ ସ୍ଥାନକୁ ପରାମର୍ଶଦାତା ଭାବେ ଅନ୍ୟ ସ୍ଥାନକୁ ବଦଳି କରିବେ ତେବେ ଅବସ୍ଥା କ’ଣ ହେବ । ସେତେବେଳକୁ ବୋଧେ ଡଜନେ ମନ୍ତ୍ରୀ ଓ ଦୁଇ ଡଜନ ବିଧାୟକ ଆସି ଏଠାରେ ପହଞ୍ଚିବେ ବୋଲି ଜଣେ କର୍ମଚାରୀ ତାତ୍ସଲ୍ୟ କରି କହିଛନ୍ତି ।
ସବୁଠାରୁ ବଡ କଥା ହେଉଛି ଯେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍ ମୁଖ୍ୟ ଶାସନ ସଚିବ । ସଦସ୍ୟ ସଚିବ ହେଉଛନ୍ତି ଜଣେ ବରିଷ୍ଠ ଆଇଏଏଫ୍ଏସ୍ ଅଫିସର । ଦପ୍ତରଟି ସମ୍ବେଦନଶୀଳ ଓ ରାଜ୍ୟ ବିକାଶର ପ୍ରମୁଖ ବାହକ ହୋଇଥିବାରୁ ସରକାରଙ୍କ ନଜର ଏହା ଉପରେ ଥାଏ । ତେବେ ଏତେ ସବୁ ସତ୍ୱେ ଜଣେ ଅଧିକାରୀ କିଭଳି ୨୩ବର୍ଷ ଧରି ଏହି ଦପ୍ତରରେ ରହିଛନ୍ତି ଓ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକାଧିକ କ୍ଷମତାକୁ ଜାବୁଡି ଧରିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରଶାସନିକ ପ୍ରଦୂଷଣ ବୋଲି ମଧ୍ୟ କେତେକ କହିବାକୁ ପଛାଉ ନାହାନ୍ତି । ତୁରନ୍ତ କ୍ଷମତାର ବିକେନ୍ଦ୍ରୀକରଣ ସହିତ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ଅଧିକାରୀଙ୍କ ହାତରେ କ୍ଷମତା ଅର୍ପଣ କରାଗଲେ ପ୍ରଶାସନରେ ସ୍ୱଚ୍ଛତା ଆସିବ ବୋଲି କିଛି ବରିଷ୍ଠ ପ୍ରଶାସକ ମତ ଦେଇଛନ୍ତି ।