Odia News Portal

ଆଜି-କାଲି ସପ୍ତାହାନ୍ତ ସଟ୍‌ଡାଉନ୍‌ : ରାସ୍ତାଘାଟ ଶୂନଶାନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍‌ ଲଗାଇବାକୁ ଆଜିଠାରୁ ଲାଗୁ ହେବ ସପ୍ତାହାନ୍ତ ସଟ୍‌ଡାଉନ୍‌ । କରୋନା ସଂକ୍ରମଣରେ ଆଗୁଆ ଥିବା ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲା ସହ ରାଉରକେଲା ସହରରେ ଅଗଷ୍ଟ ମାସ ଶେଷ ଯାଏ ପ୍ରତିି ଶନିବାର ଓ ରବିବାର ସଟ୍‌ଡାଉନ ରହିବ । ଏହାଛଡ଼ା ଢେଙ୍କାନାଳ, ନବରଙ୍ଗପୁର ସହ ବହୁ ଜିଲ୍ଲାରେ ଜିଲ୍ଲା ପ୍ରଶାସନ କରୋନା ସ୍ଥିତିକୁ ଦେଖି ସପ୍ତାହାନ୍ତ ସଟଡାଉନ୍‌ ଘୋଷଣା କରିଛନ୍ତି ।

କରୋନା ମୁକାବିଲା ସହ ଅର୍ଥନୀତିକୁ ଧ୍ୟାନ ଦେଇ ରାଜ୍ୟ ସରକାର ଅଗଷ୍ଟ ମାସରେ କୋଭିଡ୍‌ କଟକଣାକୁ କୋହଳ କରିଛନ୍ତି । ତେବେ ଯେଉଁ ଜିଲ୍ଲାରେ କରୋନା ସ୍ଥିତି ଅପେକ୍ଷାକୃତ ଉଦବେଗଜନକ ସେଠାରେ ଅଗଷ୍ଟ ୩୧ ଯାଏ ପ୍ରତି ଶନି ଓ ରବିବାର ସଟଡାଉନ୍‌ ରଖିବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । କଟକଣା କୋହଳ ସତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ଦୋକାନ ବଜାର ବନ୍ଦ ରହିବା ସହ କେହି ବାହାରେ ଚଳପ୍ରଚଳ କରିପାରିବେନି । ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ ।

ଏ ସପ୍ତାହାନ୍ତ ସଟଡାଉନରେ ସ୍ୱାସ୍ଥ୍ୟ, ପୁଲିସ, ଅଗ୍ନିଶମ, ଟେଲିକମ ସମେତ ସମସ୍ତ ଜରୁରୀ ସେବାକୁ କଟକଣାମୁକ୍ତ ରଖାଯାଇଛି । ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା, ବିଭାଗ, କାର୍ଯ୍ୟାଳୟ, କର୍ମଚାରୀ, ଆମ୍ବୁଲାନ୍ସ, ଏନଏଚରେ ମାଲ ପରିବହନ ଗାଡ଼ି ଯାତାୟତ କରିପାରିବେ। ଜଳ ଯୋଗାଣ, ବିଦ୍ୟୁତ ସେବା, ରେଳ ଓ ବିମାନ ସେବା କଟକଣାମୁକ୍ତ ରହିବ। ମେଡିକାଲ କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ସାଧାରଣ ଲୋକେ ଯାଇପାରିବେ। ପେଟ୍ରୋଲ ପମ୍ପ, ସିଏନଜି ଷ୍ଟେସନ, ଏଲପିଜି ବିତରଣ ଚାଲିବ। ରେଳ, ବିମାନ ସେବା ଜାରି ରହିବ । ଏଟିଏମ ଖୋଲିବ। କ୍ଷୀର ଦୋକାନ ଖୋଲା ରହିବ। ସକାଳ ୫ଟାରୁ ସକାଳ ୮ଟା ଭିତରେ ଖବରକାଗଜ ବିତରଣ କରିପାରିବେ ହକର୍‌ । ଅନୁମତି ନେଇ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ ନିୟମ ଅନୁଯାୟୀ କରିହେବ ।

ସରକାର ନିର୍ଦ୍ଦେଶ ଦେଇଛନ୍ତି, ସଟଡାଉନ୍‌ ଜିଲ୍ଲାକୁ ଛାଡ଼ି କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରଶାସନର ଲକଡାଉନ କଟକଣା ବଳବତ୍ତର ରହିବ । ଏହି ଅଞ୍ଚଳରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍‌ ରହିବ । ପ୍ରଶାସନ ଲୋକଙ୍କ ପାଖରେ ଜରୁରୀ ସେବା ପହଞ୍ଚାଇବ । କଣ୍ଟେନମେଣ୍ଟ ଜୋନ୍‌ ବାହାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ଥିଲେ ସ୍ଥାନୀୟ ପ୍ରଶାସନ ବଫର୍‌ ଜୋନ୍‌ ଚିହ୍ନଟ କରିପାରିବେ।